fbpx

ଜି-୨୦ ଶିଖର ସମ୍ମିଳନୀରେ ମିଳିତ ଜାତିସଂଘକୁ ମୋଦିଙ୍କ କଟାକ୍ଷ: ଆମେରିକା- ୟୁରୋପକୁ ଦେଲେ ଏପରି ପରାମର୍ଶ

ନୂଆଦିଲ୍ଲୀ: ଆଜିଠାରୁ ଇଣ୍ଡୋନେସିଆ ବାଲିରେ ୨ ଦିନ ଧରି ଏ-୨୦ ଶିଖର ସମ୍ମିଳନୀ ଆରମ୍ଭ ହୋଇଯାଇଛି । ସେଠାରେ ଭାରତ ସମେତ ୧୦ ପ୍ରମୁଖ ରାଷ୍ଟ୍ରର ପ୍ରତିନିଧି ଉପସ୍ଥିତ ଅଛନ୍ତି । ଏହି ସମ୍ମୀଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବା ସହ ଜାତିସଂଘକୁ କଟାକ୍ଷ କରିଛନ୍ତି । ସେ ଜି-୨୦ ସମ୍ମିଳନୀ ରେ ଉଦବୋଧନ ଦେଇ କହିଛନ୍ତି ଯେ, ମିଳିତ ଜାତିସଂଘ ବିଶ୍ୱ ସମସ୍ୟାର ମୁକାବିଲା କରିବାରେ ବିଫଳ ହୋଇଛି । ଆମେ ଏହାକୁ ଯଥେଷ୍ଟ ଉନ୍ନତି କରିବାକୁ ସକ୍ଷମ ହୋଇ ନାହୁଁ । ଏଥିସହିତ ମୋଦି କୌଣସି ଦେଶର ନାଁ ନନେଇ ଆମେରିକା ଏବଂ ୟୁରୋପ ଦେଶକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ, ଶକ୍ତି ଯୋଗାଣ ଉପରେ ଆମେ କୌଣସି ପ୍ରକାର ପ୍ରକାରର ପ୍ରତିବନ୍ଧକକୁ ଉତ୍ସାହିତ କରିବା ଉଚିତ୍ ନୁହେଁ। ରୁଷ ଏବଂ ୟୁକ୍ରେନ ପରେ ଆମେରିକା ଏବଂ ୟୁରୋପୀୟ ଦେଶମାନେ ଅନେକ ପ୍ରକାରର ପ୍ରତିବନ୍ଧକ ଲଗାଉଛନ୍ତି । ଏଥିସହିତ ଏହି ଜି -୨୦ ସମ୍ମିଳନୀରୁ ବିଶ୍ୱକୁ ବହୁତ କିଛି ଆଶା ଥିବା ମୋଦି କହିଛନ୍ତି ।

ପ୍ରଧାନମନ୍ତ୍ରୀ ସମ୍ମିଳନୀରେ ଜଳବାୟୁ ପରିବର୍ତ୍ତନ, କୋଭିଡ ମହାମାରୀ, ୟୁକ୍ରେନର ବିକାଶ ଏବଂ ଆନୁସଙ୍ଗିକ ବିଶ୍ୱ ସ୍ତରିୟ ସମସ୍ୟା ଉପରେ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଏହି ସବୁ ସମସ୍ୟା ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ଯାହାଫଳରେ ବିଶ୍ୱର ଯୋଗାଣ ଶୃଙ୍ଖଳା ଭୁଶୁଡି ପଡିଛି । ସମଗ୍ର ବିଶ୍ୱରେ ଜୀବନ ପାଇଁ ଅତ୍ୟାବଶ୍ୟକ ଜିନିଷ ଯୋଗାଣର ସଙ୍କଟ ଦେଖାଦେଇଛି । ପ୍ରତ୍ୟେକ ଦେଶର ଗରିବ ନାଗରିକଙ୍କ ପାଇଁ ଏହି ଆହ୍ୱାନ ଅଧିକ ଗମ୍ଭୀର ଅଟେ । ସେହିପରି ସମ୍ମିଳନୀରେ ସେ ଏହା ମଧ୍ୟ କହିଛନ୍ତି,ମିଳିତ ଜାତିସଂଘ ପରି ବହୁପକ୍ଷୀୟ ଅନୁଷ୍ଠାନ ମଧ୍ୟ ଏହି ପ୍ରସଙ୍ଗରେ ପ୍ରଭାବହୀନ ଏବଂ ଆମେ ସମସ୍ତେ ସେଥିରେ ଆବଶ୍ୟକ ସଂସ୍କାର ଆଣିବାରେ ବିଫଳ ହୋଇଛୁ । ଯାହାକୁ ସ୍ୱୀକାର କରିବାକୁ କେହି କୁଣ୍ଠାବୋଧ କରିବା ଉଚିତ୍ ନୁହେଁ । ତେଣୁ ଆଜିର ଜି -୨୦ ସମ୍ମିଳନୀରୁ ବିଶ୍ୱକୁ ବହୁତ କିଛି ଆଶା ଅଛି ।

ଅନ୍ୟପକ୍ଷେ ଏହି ସମ୍ମଳନୀରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ପରସ୍ପରକୁ ସାକ୍ଷାତ କରିଛନ୍ତି । ଏଥିସହିତ ତାଇୱାନ୍ ପ୍ରସଙ୍ଗରେ ଦୁଇ ଦେଶର ରାଷ୍ଟ୍ରପତି ମୁହାଁମୁହିଁ ହୋଇଛନ୍ତି । ଚୀନ ରାଷ୍ଟ୍ରପତି ଜିନପିଙ୍ଗ୍ କହିଛନ୍ତି, ତାଇୱାନ୍ ହେଉଛି ଏକ ଚରମ ରେଖା । ତେଣୁ ଆମେରିକା ଏହାକୁ ଅତିକ୍ରମ କରିବା ଉଚିତ ନୁହେଁ । ସେହିପରି ତାଇୱାନକୁ ଆମେରିକା ସୁରକ୍ଷା ପ୍ରଦାନ କରିବ ବୋଲି ବାଇଡେନ୍ କହିଛନ୍ତି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ଡିସେମ୍ବର ୧ରୁ ଭାରତ ଏହି ଜି-୨୦ ସମୂହର ନେତୃତ୍ୱ ନେବ । ଯାହାଫଳରେ ପରବର୍ତ୍ତୀ ଶିଖର ସମ୍ମିଳନୀ ଭାରତରେ ଅନୁଷ୍ଠିତ ହେବ । ତେଣୁ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ନିକଟରୁ ପ୍ରଧାନମନ୍ତ୍ରୀ ମୋଦି ଜି-୨୦ର ଅଧ୍ୟକ୍ଷତା ଦାୟିତ୍ୱ ଗ୍ରହଣ କରିବେ । ତେବେ ପ୍ରଧାନମନ୍ତ୍ରୀ ମୋଦି ଇଣ୍ଡୋନେସିଆ ବାଲିରେ ୪୫ ଘଣ୍ଟା ରହିବାର କାର୍ଯ୍ୟକ୍ରମ ରହିଛି । ଏହି ସମୟ ମଧ୍ୟରେ ସେ ଜି -୨୦ ସମ୍ମିଳନୀରେ ଯୋଗ ଦେଇ ସାରିଥିବା ବେଳେ ଅନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ ।

Get real time updates directly on you device, subscribe now.