ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ । ଚଳିତ ଶିକ୍ଷାବର୍ଷରୁ ଏହି ପୁରସ୍କାର ପ୍ରଦାନ ଆରମ୍ଭ ହେବ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ପ୍ରାଥମିକ, ମାଧ୍ୟମିକ ପିଲା ଓ ଶିକ୍ଷକଙ୍କ ମଧ୍ୟରୁ ଶ୍ରେଷ୍ଠ ପ୍ରଦର୍ଶକଙ୍କୁ ପୁରସ୍କାର ମିଳିବ । ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।
ଆର୍ଥିକ କ୍ଷେତ୍ରରେ ପଛୁଆ ଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ମିଳିବ ସ୍ୱତନ୍ତ୍ର ସ୍କଲାରଶିପ୍ । ଦକ୍ଷତା, ମେଧା ଓ ନେତୃତ୍ୱ କ୍ଷେତ୍ରରେ ଚିହ୍ନଟ କରାଯାଇ ପୁରସ୍କୃତ କରାଯିବ । ରାଜ୍ୟର ସମସ୍ତ ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତରରେ ବ୍ୟକ୍ତିଗତ ଓ ଶିକ୍ଷାନୁଷ୍ଠାନକୁ ପୁରସ୍କାର ମିଳିବ । ୫୦ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଶ୍ରେଷ୍ଠ ପ୍ରଦର୍ଶକଙ୍କୁ ପୁରସ୍କାର ପ୍ରଦାନ କରାଯିବ । ୫ଟି ରୂପାନ୍ତରିତ ସ୍କୁଲ ତଥା ଅନ୍ୟ ସ୍କୁଲମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଆଜି ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।
୫୦ ହଜାର ଛାତ୍ରଛାତ୍ରୀ, ୧୫୦୦ ପ୍ରଧାନଶିକ୍ଷକ, ଶିକ୍ଷକ-ଶିକ୍ଷୟିତ୍ରୀ, ସ୍କୁଲ ପରିଚାଳନା କମିଟି, ସରପଞ୍ଚ, ପୂରାତନ ଛାତ୍ରମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ଶିକ୍ଷାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସ୍କୁଲଗୁଡ଼ିକ ପାଇଁ ୧୦୦ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି । ଏଥିସହିତ ମୁଖ୍ୟମନ୍ତ୍ରୀ ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓ ମାଧ୍ୟମିକ ଶିକ୍ଷା ପରିଷଦ ପାଇଁ ଡିଜି ଲକର ବ୍ୟବସ୍ଥାର ମଧ୍ୟ ଶୁଭାରମ୍ଭ କରିଛନ୍ତି । ଏହି ଲକର ଭର୍ଚୁଆଲ ମୋଡ଼ରେ ରହିଥିବା ବେଳେ ଏଥିରେ ଛାତ୍ରଛାତ୍ରୀମାନେ ସାର୍ଟିଫିକେଟ, ମାର୍କଶିଟ ଓ ଅନ୍ୟ ଦସ୍ତାବିଜ ସୁରକ୍ଷିତ ଭାବେ ରଖିପାରିବେ । ଏହାଫଳରେ ତାହା ଆଉ ହଜିବାର ଭୟ ରହିବ ନାହିଁ ।