fbpx

(ଭିଡିଓ )ଜାତୀୟ ସଙ୍ଗୀତ ବଜାଇବାକୁ ଅପିଲ୍ କଲେ ରାହୁଲ, ଭାରତ ଯୋଡୋ ଯାତ୍ରାରେ ଚାଲିଲା ନେପାଳର ରାଷ୍ଟ୍ରଗାନ

ଅକୋଲା: କଂଗ୍ରେସର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ଵରେ ଜାରି ‘ଭାରତ ଯୋଡୋ ଯାତ୍ରା’କୁ ବିବାଦର ପିଛା ଛାଡୁନି। ଏବେ ଆଉ ଏକ ଘଟଣାକୁ ନେଇ ନୂତନ ବିବାଦ ସୃଷ୍ଟି ହୋଇଛି। ଏଥର ଜାତୀୟ ସଙ୍ଗୀତକୁ ନେଇ ଭାରତ ଯୋଡୋ ଯାତ୍ରାରେ ବିଚିତ୍ର ସ୍ଥିତି ଦେଖିବାକୁ ମିଳିଛି। ରାହୁଲ ଗାନ୍ଧୀ ଜାତୀୟ ସଙ୍ଗୀତ ବଜାଇବାକୁ ଅପିଲ୍ କରିଥିଲେ ହେଁ ମଞ୍ଚରେ ଭିନ୍ନ ଗୀତ ବାଜିଥିଲା। ଏହାକୁ ନେଇ ବିଜେପି କଂଗ୍ରେସକୁ ଟାର୍ଗେଟ୍ କରିଛି। ସଂପ୍ରତି ମହାରାଷ୍ଟ୍ରରେ ପଦଯାତ୍ରା ଚାଲିଛି।

କଣ ଏହି ମାମଲା:
ମହାରାଷ୍ଟ୍ର ବିଜେପିର ନେତା ନୀତେଶ ରାଣେ ଏକ ଭିଡିଓ ସେୟାର କରି ଲେଖିଛନ୍ତି, ପପୁଙ୍କ କମେଡି ସର୍କସ। ତାମିଲନାଡୁ ବିଜେପି ନେତା ଅମର ପ୍ରସାଦ ମଧ୍ୟ ଟ୍ଵିଟ୍ ଜରିଆରେ କଂଗ୍ରେସକୁ ପ୍ରଶ୍ନ କରିଛନ୍ତି ଯେ, ରାହୁଲ ଗାନ୍ଧୀ ଏହା କଣ ଚାଲିଛି। ରାହୁଲ ଗାନ୍ଧୀ ମଞ୍ଚରେ ଜାତୀୟ ସଙ୍ଗୀତ ବଜାଇବାକୁ ଅପିଲ୍ କରୁଥିବା ଦେଖିବାକୁ ମିଳିଛି।
ମାତ୍ର ମଞ୍ଚରେ ଜାତୀୟ ସଙ୍ଗୀତ ବାଜିବା ପରିବର୍ତ୍ତେ ଆଉ କିଛି ସଙ୍ଗୀତ ଶୁଣିବାକୁ ମିଳିଛି। ଏହାକୁ ନେଇ ନେତାମାନେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ଏବଂ ରାହୁଲ ପୁନର୍ବାର ଜାତୀୟ ସଙ୍ଗୀତ ବଜାଇବାକୁ କହୁଥିବା ଭିଡିଓରେ ଦେଖିବାକୁ ମିଳିଛି। ମଞ୍ଚରେ ବାଜିଥିବା ଗୀତଟି ନେପାଳର ଜାତୀୟ ସଙ୍ଗୀତ ଥିଲା। ମଞ୍ଚରେ ଓ୍ଵାୟନାଡର ସାଂସଦ ରାହୁଲଙ୍କ ସହ ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପଟୋଲେ ଏବଂ ବରିଷ୍ଠ ନେତା କେସି ବେଣୁଗୋପାଳ ମଧ୍ୟ ଉପସ୍ଥିତ ଥିଲେ।

ଉଲ୍ଲେଖନୀୟ ସେପ୍ଟେମ୍ବର ୭ରୁ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡୋ ଯାତ୍ରାକୁ ୭୦ ଦିନ ପୂରି ସାରିଛି। ଏହି ସମୟରେ ପଦଯାତ୍ରା ୬ ରାଜ୍ୟର ୩୦ ଜିଲ୍ଲା ଦେଇ ଅତିକ୍ରମ କରିଛି। ବର୍ତ୍ତମାନ ଏହି ଯାତ୍ରା ମହାରାଷ୍ଟ୍ରର କୋଲାରେ ପ୍ରବେଶ କରିଛି। ନଭେମ୍ବର ୭ରେ ଭାରତ ଯୋଡୋ ଯାତ୍ରା ନାନ୍ଦେଡ ଜିଲ୍ଲା ଦେଇ ମହାରାଷ୍ଟ୍ରରେ ପ୍ରବେଶ କରିଥିଲା।

Get real time updates directly on you device, subscribe now.