fbpx

‘ଦମନ’ ଚଳଚ୍ଚିତ୍ର ପ୍ରଦର୍ଶନକୁ କରମୁକ୍ତ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡିଶା ସରକାରଙ୍କ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଉପରେ ନିର୍ମିତ ଚଳଚ୍ଚିତ୍ର ଦମନର ପ୍ରଦର୍ଶନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଟିକସ ମୁକ୍ତ ଘୋଷଣା କରିଛନ୍ତି। ବାସ୍ତବ ଜୀବନରେ ମାଲକାନଗିରିର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଜଣେ ଯୁବ ଡାକ୍ତର ମାନବିକତାର ଯେଉଁ ନୂଆ ଉଦାହରଣ ସ୍ରୁଷ୍ଟି କରିଛନ୍ତି ତାହା ଏ ଚଳଚ୍ଚିତ୍ରର ବିଷୟ ବସ୍ତୁ।

ସ୍ୱାସ୍ଥ୍ୟ ବିଭାଗ ସମେତ ସବୁ ସରକାରୀ କର୍ମଚାରୀ ମାନଙ୍କ ମଧ୍ୟରେ ସେବା ମନୋଭାବ କୁ ଆହୁରି ମଜବୁତ୍ କରିବା ଦିଗରେ ଏହା ପ୍ରଭାବିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। କରୋନା ମହାମାରୀ ସମୟରେ ଯେଭଳି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ସମନ୍ଵୟ ରଖି ସେବା ଯୋଗାଇଲେ ସେଭଳି କାମକଲେ ଆମେ ଏକ ସୁସ୍ଥ ଓ ସଚେତନ ସାମାଜ ର ବିକାଶ କରି ପାରିବା ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ ବିଶ୍ବାସ ପ୍ରକଟ କରିଛନ୍ତି।

ଓଡ଼ିଆ ସୁପରଷ୍ଟାର ବାବୁସାନ ମହାନ୍ତିଙ୍କ ଅଭିନୀତ ଏହି ଫିଲ୍ମଟି ଗତ ଦୁଇ ସପ୍ତାହ ମଧ୍ୟରେ ପାଖାପାଖି ୨ କୋଟି ଟଙ୍କାର ବ୍ୟବସାୟ କରିସାରିଲାଣି। ଦୀର୍ଘଦିନ ପରେ ପ୍ରଥମ ଥର ପାଇଁ ଏକ ଓଡ଼ିଆ ଫିଲ୍ମକୁ ନେଇ ଓଡ଼ିଶାର ଘରେ ଘରେ ବେଶ୍ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି। ହଲରୁ ଫେରିବା ପରେ ଦର୍ଶକମାନେ ଫିଲ୍ମର ଷ୍ଟୋରିକୁ ନେଇ ବେଶ୍ ପ୍ରଶଂସା କରୁଥିବା ଦେଖାଯାଉଛି।

ତେବେ ଫିଲ୍ମଟି କେବଳ ଓଡ଼ିଶାରେ ସୀମିତ ରହି ନାହିଁ । ଏହି ଫିଲ୍ମର କାହାଣୀକୁ ନେଇ ବଲିଉଡରେ ଜୋରଦାର ଚର୍ଚ୍ଚା ହେବାରେ ଲାଗିଛି । ଏକ ବଡ଼ କମ୍ପାନୀ ‘ଦମନ’ର କପି ରାଇଟ କିଣିବାକୁ ଯାଉଥିବା ଫିଲ୍ମର ମିଡ଼ିଆ ପ୍ଲାନର ସୂଚନା ଦେଇଛନ୍ତି । ଏହା ମଧ୍ୟରେ ଫିଲ୍ମର ଅଭିନେତା ବାବୁସାନ ଫିଲ୍ମର ଡବିଂ ପାଇଁ ମୁମ୍ବାଇ ଯାତ୍ରା କରିଛନ୍ତି । ଆଞ୍ଚଳିକ ଭାଷାକୁ ଛାଡ଼ି ଫିଲ୍ମର ଅନ୍ୟ ସବୁ ଡବିଂ କରାଯିବା ସହ ଗୀତକୁ ହିନ୍ଦିରେ ପ୍ରସ୍ତୁତ କରାଯିବ । ଏହି ଫିଲ୍ମକୁ ସାଉଥ ଇଣ୍ଡିଆନ ଭାଷାରେ ମଧ୍ୟ ନିର୍ମାଣ କରାଯିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସଙ୍କେତ ମିଳିଛି ।

‘ଦମନ’ ମାଧ୍ୟମରେ ଓଡ଼ିଆ ଫିଲ୍ମ ଜାତୀୟ ସ୍ତରର ନିଜର ଅସ୍ତିତ୍ୱ ବଜାୟ ରଖିପାରିବ ବୋଲି ଆଶା କରାଯାଉଛି । ଏହି ଫିଲ୍ମ ଇଣ୍ଟରନେଟ ମୁଭି ଡାଟାବେସ (ଆଇଏମଡିବି) ରେଟିଂରେ ଆରଆରଆର ଓ କେଜିଏଫ-୨କୁ ମଧ୍ୟ ପଛରେ ପକାଇ ଦେଇଥିବା ଜଣାପଡ଼ିଛି । ନିକଟରେ ଫିଲ୍ମଟି ବେଙ୍ଗାଲୁରୁ, ଚେନ୍ନାଇ, ମୁମ୍ବାଇ, କୋଲକାତା, ରାୟପୁର ଓ ଅହମ୍ମଦାବାଦ ଭଳି ୬ଟି ବଡ଼ ସହରରେ ମୁକ୍ତିଲାଭ କରିସାରିଥିବା ବେଳେ ଆଗାମୀ ଦିନରେ ଦେଶର ୫୦୦ଟି ହଲରେ ମୁକ୍ତିଲାଭ କରିବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.