fbpx

୫ଟି ବ୍ୟାକ୍ଟେରିଆଙ୍କୁ ନେଇ ବଢ଼ିଲା ଚିନ୍ତା: ଭାରତରେ ଏକ ବର୍ଷରେ ଚାଲିଗଲା ୭ ଲକ୍ଷ ଜୀବନ, କେମିତି ବର୍ତ୍ତିବେ

ନୂଆଦିଲ୍ଲୀ: ସାଧାରଣ ଭାବେ ଆମ ଶରୀରରେ ଓ ଆଖପାଖରେ ଏପରି ଅନେକ କ୍ଷୁଦ୍ର ଜୀବ ରହିଥାନ୍ତି, ତାହାକୁ ଆମେ ‘ବ୍ୟାକ୍ଟେରିଆ’ ବୋଲି କହିଥାଉ । ଏହି ବ୍ୟାକ୍ଟେରିଆଗୁଡ଼ିକ ଏତେ ଛୋଟ ହୋଇଥାନ୍ତି ଯେ ଖାଲି ଆଖିକୁ ସେମାନେ ଦେଖାଯାଆନ୍ତି ନାହିଁ । କିଛି ବ୍ୟାକ୍ଟେରିଆ ବହୁତ ଭୟଙ୍କର ହେବା ସହିତ ଜୀବନହାନୀର କାରଣ ସାଜିଥାନ୍ତି । ତେବେ ବ୍ୟାକ୍ଟେରିଆକୁ ନେଇ ଏକ ନୂଆ ରିସର୍ଚ୍ଚ ତଥ୍ୟ ସାମ୍ନାକୁ ଆସିଛି । କେବଳ ଭାରତ ନୁହେଁ ସାରା ଦୁନିଆରେ ଏଭଳି ୫ ପ୍ରକାରର ବ୍ୟାକ୍ଟେରିଆ ମାତିଛନ୍ତି ।

ରିସର୍ଚ୍ଚ ମୁତାବକ, ଏହି ୫ ପ୍ରକାରର ବ୍ୟାକ୍ଟେରିଆ ପାଇଁ ଗତ ୨୦୧୯ ମସିହାରେ ସାରା ବିଶ୍ୱରେ ୧.୩୭ କୋଟିରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ଭାରତରେ ୬.୭୮ ଲକ୍ଷ ଲୋକଙ୍କ ଜୀବନ ଯାଇଥିଲା । ଅର୍ଥାତ ଦିନକୁ ଆଭରେଜ ୧୮୬୦ ଓ ପ୍ରତି ଘଣ୍ଟାରେ ୭୭ ଜଣ ଲୋକ ବ୍ୟାକ୍ଟେରିଆ ଯୋଗୁଁ ପ୍ରାଣ ହରାଇଥିଲେ । ସେହି ବ୍ୟାକ୍ଟେରିଆଗୁଡ଼ିକର ନାମ ହେଉଛି ଇ.କୋଲାଈ, ଏସ.ନିମୋନିଆ, କେ.ନିମୋନିଆ, ଏସ.ଆଉରିୟସ ଓ ଏ.ବଉମାନି ।

ଇ.କୋଲାଈ- ଏହା ଅନେକ ପ୍ରକାରର ହେବା ସହିତ ବହୁତ ହାନିକାରକ ଅଟନ୍ତି । ଏହା ପେଟରେ ସଂକ୍ରମଣ ବୃଦ୍ଧି କରିବା ସହ ପେଟ ଯନ୍ତ୍ରଣାର କାରଣ ସାଜିଥାଏ । ଏହି କାରଣରୁ ରୋଗୀର କିଡନୀ କାମ କରିବା ବନ୍ଦ କରିଦେଇଥାଏ । ଏହି ବ୍ୟାକ୍ଟେରିଆ କଞ୍ଚା ମାସ, ଫଳ ଓ ସବଜି ମାଧ୍ୟମରେ ଶରୀରରେ ପ୍ରବେଶ କରିଥାଏ । ତେଣୁ ଏହିସବୁ ଜିନିଷକୁ ଭଲ ଭାବେ ଧୋଇ, ରାନ୍ଧି ଖାଇବା ଉଚିତ ।

ଏସ.ନିମୋନିଆ- ଏହି ବ୍ୟାକ୍ଟେରିଆ ପାଇଁ କାନ ଓ ରକ୍ତରେ ସଂକ୍ରମଣ ହୋଇଥାଏ । ଏହି ମାମଲା ଅଧିକାଂଶ ଶିଶୁଙ୍କ ଠାରେ ଦେଖାଦେବା ସହ ଏହାର ସିଧାସଳଖ ପ୍ରଭାବ ବ୍ରେନ ଉପରେ ପଡ଼ିଥାଏ । ଏହାକୁ ମେନିନଜାଇଟିସ କୁହାଯାଏ । ଏଥିସହିତ ଏହା ଶ୍ୱାସ ନଳୀକୁ ମଧ୍ୟ ପ୍ରଭାବିତ କରିଥାଏ । ସର୍ଦ୍ଦି, ଖାସ ଲକ୍ଷଣ ଥିବା ସଂକ୍ରମିତ ମାନେ ଏହି ରୋଗୀଠାରୁ ଦୂରେଇ ରହିବା ଦରକାର । ରୋଗୀମାନେ ଖାସିବା, ଛିଙ୍କିବା ସମୟର କପଡ଼ାର ବ୍ୟବହାର କରିବା ଦରକାର ।

କେ.ନିମୋନିଆ- ଏହି ବ୍ୟାକ୍ଟେରିଆ ନିମୋନିଆ, ରକ୍ତ ସଂକ୍ରମଣ ଓ ସର୍ଜରୀ ସ୍ଥାନରେ ହେଉଥିବା ସଂକ୍ରମଣ ପାଇଁ ଦାୟୀ । କିଛି ମାମଲାରେ ଏହା ମେନିନଜାଇଟିସର କାରଣ ସାଜିଥାଏ । ଏହାର ସଂକ୍ରମଣ ରୋକିବା ପାଇଁ ସଫାସୁତୁରା ରହିବା ଦରକାର । ହାତକୁ ସାବୁନ ପାଣିରେ ଧୋଇବା ପରେ ଆଖି, ନାକ, ମୁହଁକୁ ଛୁଇଁବା ଅନୁଚିତ । ବାଥରୁମରୁ ବାହାରିବା ପରେ ହାତକୁ ଧୋଇବା ଦରକାର ।

ଏସ.ଆଉରିୟସ- ଚର୍ମ ସଂକ୍ରମଣ ମାମଲା ଏହି ବ୍ୟାକ୍ଟେରିଆ ପାଇଁ ହୋଇଥାଏ । ଏହା ବ୍ୟତୀତ ଶ୍ୱାସ ନଳୀକୁ ଏହା ଟାର୍ଗେଟ୍ କରିଥାଏ । ଏହି ସଂକ୍ରମଣରୁ ବର୍ତ୍ତିବା ପାଇଁ ଘା’କୁ ଢାଙ୍କିବା ଦରକାର । ସମୟ ସମୟରେ ବେଡଶିଟ ପରିବର୍ତ୍ତନ କରିବା ଦରକାର ।

ଏ.ବଉମାନି- ଏହି ବ୍ୟାକ୍ଟେରିଆ ବ୍ଲଡ, ୟୁରିନାରୀ ଓ ଫୁସଫୁସ ସଂକ୍ରମଣର କାରଣ ସାଜିଥାଏ । ଏହି ମାମଲାରେ ରୋଗୀର ଶରୀରରେ ବର୍ଷାଧିକ କାଳ ରୋଗ ରହିବା ସହ ଲକ୍ଷଣ ଦେଖାଯାଇ ନଥାଏ । ପରେ ଅଚାନକ ଏହି ବିମାରୀ ବିଷୟରେ ଜଣାପଡ଼ିଥାଏ । ସଫାସୁତୁରା ରହିଲେ ଏହି ବ୍ୟାକ୍ଟେରିଆ କବଳରୁ ମୁକ୍ତି ମିଳିପାରିବ ।

Get real time updates directly on you device, subscribe now.