fbpx

ଏହି କମ୍ପାନୀରେ ଆରମ୍ଭ ହେଲା ୪ ଦିନ କାମ ଓ ୩ ଦିନ ଛୁଟି: ଘୋଷଣା ଶୁଣି ଖୁସିରେ ନାଚି ଉଠିଲେ କର୍ମଚାରୀ

ନୂଆଦିଲ୍ଲୀ: ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ସପ୍ତାହରେ ୪ ଦିନ କାମ ଓ ୩ ଦିନ ଆରାମ କରିବାର ପଲିସି ଉପରେ କାମ ଚାଲିଛି । ଚାକିରି କରୁଥିବା ଲୋକଙ୍କ ପାଇଁ ଏହା କୌଣସି ବରଦାନଠାରୁ କମ୍ ନୁହେଁ । କେବଳ ଏତିକି ନୁହେଁ, କାମ କରିବା ଦିନ କମ୍ ହେଲେ ବି ଦରମାରେ କୌଣସି ଫରକ୍ ପଡ଼ିବ ନାହିଁ । ଏହାରି ମଧ୍ୟରେ ବ୍ରିଟେନର ୧୦୦ କମ୍ପାନୀ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଏଠାକାର କମ୍ପାନୀଗୁଡିକ ବେତନ ନ କାଟି ସମସ୍ତ କର୍ମଚାରୀଙ୍କ ପାଇଁ ସ୍ଥାୟୀ ରୂପେ ସାପ୍ତାହିକ ଚାରି ଦିନ ୱାର୍କିଂ ଫର୍ମୂଲା ନିୟମ ଲାଗୁ କରିଛନ୍ତି । ଏହି ୧୦୦ଟି କମ୍ପାନୀ ପାଖାପାଖି ୨,୬୦୦ କର୍ମଚାରୀଙ୍କୁ ରୋଜଗାର ଦେଇଛନ୍ତି । ସେମାନଙ୍କ କହିବା ହେଲା, ସପ୍ତାହରେ ୪ ଦିନ କାମ କରି ସେମାନେ ଦେଶରେ ପରିବର୍ତ୍ତନ ଆଣିବାରେ ସକ୍ଷମ ହେବେ ।

୪ ଦିନ କାମ କରିବାର କନ୍ସେପ୍ଟକୁ ଅନେକ ଜଣ ସମର୍ଥନ କରିଛନ୍ତି । ସମର୍ଥନକାରୀ କହିଛନ୍ତି ଯେ ଚାରି ଦିନ କାମ କରିବାର ଏହି ଫର୍ମୂଲା ସଂସ୍ଥାଗୁଡ଼ିକୁ ସେମାନଙ୍କ ଉତ୍ପାଦନରେ ଉନ୍ନତି ଆଣିବ । ଏଥି ସହିତ କମ୍ ଘଣ୍ଟାରେ ସମାନ କାମ କରିବା ପାଇଁ ପ୍ରେରିତ କରିବ । ତା’ ଛଡ଼ା ସେମାନେ ଏହି ନୀତିକୁ କର୍ମଚାରୀମାନଙ୍କୁ ଆକର୍ଷିତ କରିବା ତଥା ନିଜ ସହିତ ଦୀର୍ଘ ଦିନ ଧରି ରଖିବାର ଏକ ଭଲ ଉପାୟ ବୋଲି ମଧ୍ୟ କହିଛନ୍ତି ।

ଏହି ୧୦୦ କମ୍ପାନୀ ମଧ୍ୟରୁ ୟୁକେର ଦୁଇଟି ସବୁଠୁ ବଡ଼ ସଂସ୍ଥା ହେଉଛି, ଏଟମ୍ ବ୍ୟାଙ୍କ ଏବଂ ଏଭିନ୍ । ଏହି ଦୁଇଟି କମ୍ପାନୀର ବ୍ରିଟେନରେ ପାଖାପାଖି ୪୫୦ କର୍ମଚାରୀ ଅଛନ୍ତି । ଏଭିନ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଏଡମ୍ ରସ କହିଛନ୍ତି ଯେ ନୂଆ କାର୍ଯ୍ୟଶୈଳୀକୁ ସୁଇଚ୍ କରିବାର ଏହା ଏକ ପରିବର୍ତ୍ତନକାରୀ ପଦକ୍ଷେପ । ଏହାଦ୍ୱାରା ଗ୍ରାହକ ସେବାରେ ଉନ୍ନତି ହେବା ସହିତ କର୍ମଚାରୀଙ୍କ ଉପରେ କମ୍ ବୋଝ ପକାଇ ସେମାନଙ୍କ ପ୍ରତିଭାକୁ ପ୍ରସ୍ଫୁଟିତ କରାଯାଇପାରିବ ।

ଏହି ୧୦୦ କମ୍ପାନୀ ବ୍ୟତୀତ ଦୁନିଆର ଆଉ ୭୦ କମ୍ପାନୀ ମଧ୍ୟ ୪ ଦିନ କାମକୁ ନେଇ କାର୍ଯ୍ୟ କରୁଛନ୍ତି । ସେମାନଙ୍କର ଏବେ ଟ୍ରାଏଲ ଚାଲିଛି । କମ୍ପାନୀଗୁଡିକରେ ପାଖାପାଖି ୩,୩୦୦ ଲୋକ କାମ କରୁଛନ୍ତି । ଏହି ତଥ୍ୟ ଏକ ପରୀକ୍ଷଣରୁ ଜଣାପଡ଼ିଛି, ଯାହାକି କେମ୍ବ୍ରିଜ୍ ଓ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ସହିତ ବୋଷ୍ଟନ ଏବଂ ଥିଙ୍କଟ୍ୟାଙ୍କ ଅଟୋନୋମିର ଗବେଷକମାନଙ୍କ ଦ୍ୱାରା କରାଯାଇଥିଲା । ସେପ୍େଟମ୍ବରରେ ପରୀକ୍ଷଣ ସମୟରେ ଏହି କମ୍ପାନୀଗୁଡିକୁ ପଚରାଯାଇଥିଲା କି, ଟ୍ରାଏଲ କିପରି ଚାଲିଛି, ତ କମ୍ପାନୀଗୁଡ଼ିକ ମଧ୍ୟରୁ ୮୮% କମ୍ପାନୀ ଏଥିରେ ସକାରାତ୍ମକ ପ୍ରଭାବ ବିଷୟରେ କହିଛନ୍ତି ।

Get real time updates directly on you device, subscribe now.