fbpx

ରାଜ୍ୟର ବିଭିନ୍ନ ମେଡିକାଲ କଲେଜରେ ନିଯୁକ୍ତି ପାଇବେ ୨୭୪ ଜଣ ସହକାରୀ ପ୍ରଫେସର: OPSCକୁ ସ୍ୱାସ୍ଥ୍ୟ ବିଭାଗର ଚିଠି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଭିନ୍ନ ମେଡିକାଲ କଲେଜମାନଙ୍କରେ ସହକାରୀ ପ୍ରଫେସରଙ୍କୁ ନିଯୁକ୍ତି ଦିଆଯିବ । ଏହି ପଦବୀ ପୂରଣ ନିମନ୍ତେ ଚୟନ ପ୍ରକ୍ରିୟା ଆରମ୍ଭ ନେଇ ରାଜ୍ୟ ସରକାରଙ୍କ ତରଫରୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)କୁ କୁହାଯାଇଛି । ତେବେ ୨୨ଟି ବ୍ରୋଡ ସ୍ପେଶିଆଲିଟି ବିଭାଗରେ ମୋଟ ୨୭୪ ଜଣ ସହକାରୀ ପ୍ରଫେସରଙ୍କୁ ନିଯୁକ୍ତି ଦିଆଯିବ । ଏନେଇ ସ୍ୱାସ୍ଥ୍ୟ ବିଭାଗ ସଚିବ ଓପିଏସସିକୁ ଚିଠି ଲେଖି ଅବଗତ କରିଛନ୍ତି ।

ନିକଟରେ ରାଜ୍ୟ ସରକାର ଓପିଏସସିର ସୁପାରିଶ ଆଧାରରେ ୨୪୯ ଜଣ ସହକାରୀ ପ୍ରଫେସରଙ୍କୁ ବିଭିନ୍ନ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ନିଯୁକ୍ତି ଦେଇଥିଲେ । ତେବେ ଚିକିତ୍ସା ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ସୁସ୍ଥ ଓଡ଼ିଶା ଗଠନ ଲକ୍ଷ୍ୟ ନେଇ ରାଜ୍ୟ ସରକାର ଏହି ପଦବୀ ସଂଖ୍ୟାକୁ ବୃଦ୍ଧି କରିଛନ୍ତି । ଏନେଇ ନାନା ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଉଛି । ରାଜ୍ୟର ସ୍ୱାସ୍ଥ୍ୟ ଶିକ୍ଷା କ୍ଷେତ୍ରକୁ ଅଧିକ ମଜବୁତ କରିବା ପାଇଁ ବିଭିନ୍ନ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ପଦବୀ ପୂରଣ ଉପରେ ଗୁରୁତ୍ୱ ଦିଆଯାଉଛି ।

ଗତ ମାସରେ ୨୦୩ ଜଣ ସହକାରୀ ପ୍ରଫେସରଙ୍କୁ ନିଯୁକ୍ତି ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଖୀ ଓଡ଼ିଶା ସୁସ୍ଥ ଓଡ଼ିଶା ଲକ୍ଷ୍ୟ ନେଇ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ରୋଗୀଙ୍କ ସେବା କରିବା ସହ ଗରିବ ପରିବାର ମୁହଁରେ ହସ ଫୁଟାଇବାକୁ ମୁଖ୍ୟମନ୍ତ୍ରୀ ନବନିଯୁକ୍ତଙ୍କୁ ପରାମର୍ଶ ଦେଇଛନ୍ତି । ଗତ ୨୦୧୯-୨୦ ପରଠାରୁ ସ୍ୱାସ୍ଥ୍ୟ ବଜେଟକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ତେବେ ଆଗାମୀ ଦିନରେ ରାଜ୍ୟରେ କିଛି ନୂଆ ମେଡିକାଲ ସ୍ଥାପନ ନେଇ ରାଜ୍ୟ ସରକାର ଯୋଜନା କରୁଥିବା ଜଣାପଡ଼ିଛି ।

Get real time updates directly on you device, subscribe now.