fbpx

‘ପ୍ରତୀକ୍ଷା’ ଫିଲ୍ମ ସାହାଯ୍ୟରେ ସଚେତନ ବାର୍ତ୍ତା ଦେଲା ରାଜ୍ୟ ସଡ଼କ ପରିବହନ ବିଭାଗ, ପରିବାର ସୁରକ୍ଷା ପାଇଁ ହେଲମେଟ ପିନ୍ଧିବାକୁ ଅପିଲ୍

ଭୁବନେଶ୍ୱର: ଓଡ଼ିଶାରେ ପ୍ରତି ବର୍ଷ ପ୍ରାୟ ଦଶ ହଜାର ଦୁର୍ଘଟଣା ଘଟୁଥିବା ବେଳେ ୫ ହଜାର ଲୋକ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି। ଏହି ଦୁର୍ଘଟଣା ଗୁଡିକୁ ଲକ୍ଷ୍ୟକଲେ ଜଣାପଡେ ଅନେକ ଲୋକେ ହେଲମେଟ ବ୍ୟବହାର କରି ନଥିବାରୁ ସେମାନଙ୍କ ଜୀବନ ହରାଇଥାନ୍ତି। ଯଦି ସେହି ଲୋକମାନେ ଦୁର୍ଘଟଣା ସମୟରେ ହେଲମେଟ ପିନ୍ଧିଥାନ୍ତେ ହୁଏତ ସେମାନଙ୍କର ଜୀବନ ବଞ୍ଚି ପାରିଥାନ୍ତା। ତେବେ ରାଜ୍ୟ ସଡ଼କ ପରିବହନ ବିଭାଗ ପୁଣିଥରେ ନିଆରା ଉପାୟରେ ଲୋକମାନଙ୍କୁ ସଚେତନ ବାର୍ତା ଦେଇଛି। ନିକଟରେ ରିଲିଜ ହୋଇଥିବା ଓଡ଼ିଆ ଫିଲ୍ମ ‘ପ୍ରତିକ୍ଷା’ ସାହାଯ୍ୟରେ ଲୋକମାନଙ୍କୁ ସଚେତନ କରାଇବାକୁ ପ୍ରୟାସ କରିଛି।

ସୋମବାର ବିଭାଗ ପକ୍ଷରୁ ଏହାର ଟୁଇଟର ହ୍ୟାଣ୍ଡେଲରେ ‘ପ୍ରତିକ୍ଷା’ ଫିଲ୍ମର ଏକ ଫୋଟୋ ସହିତ ଏକ ପୋଷ୍ଟ କରାଯାଇଛି। ଆଉ ଏହାର କ୍ୟାପସନ୍‌ରେ ଲେଖାଯାଇଛି, ‘ବୋଉ,ଭାଇ,ଭଉଣୀ,ସ୍ତ୍ରୀ,ପିଲାଛୁଆ କେହି ନା କେହି ଆପଣଙ୍କ ପ୍ରତୀକ୍ଷା ରେ…ସେମାନଙ୍କ ପାଇଁ ତ ହେଲମେଟ ପିନ୍ଧନ୍ତୁ। ଆପଣ ସୁରକ୍ଷିତ ରହିଲେ ପରିବାର ସୁରକ୍ଷିତ ରହିବ।’ ଏଭଳି ହୃଦୟସ୍ପର୍ଶୀ ଅନୁରୋଧ ସହିତ ବିଭାଗ ପକ୍ଷରୁ ଲୋକମାନଙ୍କୁ ସଚେତନ କରିବାକୁ ପ୍ରୟାସ କରାଯାଇଛି। ଆଶା କରାଯାଉଛି ଯାହାକୁ ଲୋକମାନେ ପ୍ରଶଂସା କରିବା ସହିତ ଆପଣାଇବାକୁ ଚେଷ୍ଟା କରିବେ।

ଗତ କିଛିଦିନ ତଳେ ଓଡ଼ିଶା ସଡ଼କ ପରିବହନ ବିଭାଗ ଦମନ ଫିଲ୍ମ ସାହାଯ୍ୟରେ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ଦଲାଲଙ୍କ ଜାଲରେ ନପଡିବାକୁ ଅପିଲ୍ କରାଯାଇଥିଲା। ଯେଉଁଥିରେ ଅନଲାଇନ LL(ଲର୍ଣ୍ଣିଙ୍ଗ ଲାଇସେନ୍ସ) ପରୀକ୍ଷା ଦେବାକୁ ନଡରି କୁହାଯାଇଥିଲା। ଗତ ଶନିବାର ସିନେମାଘରକୁ ଆସିଥିବା ଫିଲ୍ମ ପ୍ରତୀକ୍ଷାର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ରାଜ୍ୟ ସଡ଼କ ପରିବହନ ବିଭାଗ ଫିଲ୍ମ ମାଧ୍ୟମରେ ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରିଛି।

Get real time updates directly on you device, subscribe now.