fbpx

BCCIର ନିଷ୍ପତ୍ତି: ନିଯୁକ୍ତି ପାଇଲେ ଭାରତୀୟ ମହିଳା ଟିମର ବ୍ୟାଟିଂ କୋଚ ଓ NCAର ସ୍ପିନ୍ ବୋଲିଂ କୋଚ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆକ୍ସନ ମୋଡ଼କୁ ଆସିଯାଇଛି । ନିକଟରେ ସମାପ୍ତ ହୋଇଥିବା ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆର ଶୋଚନୀୟ ପରାଜୟ ପରେ ବିସିସିଆଇ ପୁରୁଣା ସଦସ୍ୟଙ୍କୁ ହଟାଇ ନୂଆ ସଦସ୍ୟଙ୍କୁ ଦାୟିତ୍ୱ ଦେଉଛି । ତେବେ ଏବେ ବିସିସିଆଇ ଏକ ବଡ଼ ନିଷ୍ପତ୍ତି ନେଇଛି । ବିସିସିଆଇ ତରଫରୁ ଭାରତୀୟ ମହିଳା ଟିମର ବ୍ୟାଟିଂ କୋଚ ଓ ରାଷ୍ଟ୍ରୀୟ କ୍ରିକେଟ ଏକାଡେମୀ (ଏନସିଏ)ର ସ୍ପିନ୍ ବୋଲିଂ କୋଚଙ୍କୁ ନିଯୁକ୍ତି ଦିଆଯାଇଛି ।

ଭାରତୀୟ ମହିଳା କ୍ରିକେଟ ଟିମର ବ୍ୟାଟିଂ କୋଚ ଭାବେ ହୃଷିକେଶ କାନିତକରଙ୍କୁ ନିଯୁକ୍ତି ଦିଆଯାଇଛି । ଆସନ୍ତା ୯ ତାରିଖରୁ ଅଷ୍ଟ୍ରେଲିଆ ବିପକ୍ଷରେ ମୁମ୍ବାଇଠାରେ ଆରମ୍ଭ ହେବାକୁ ଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ମାଧ୍ୟମରେ କାନିତକର ନିଜର ଦାୟିତ୍ୱ ଆରମ୍ଭ କରିବେ । ସେହିପରି ମହିଳା ଟିମର ପୂର୍ବତନ ହେଡ୍ କୋଚ ରମେଶ ପାୱାରଙ୍କୁ ଏନସିଏ ସ୍ପିନ ବୋଲିଂ କୋଚ ଭାବେ ନିଯୁକ୍ତି ଦିଆଯାଇଛି । ଏନସିଏ ମୁଖ୍ୟ ଭିଭିଏସ ଲକ୍ଷ୍ମଣଙ୍କ ସହ ମିଶି ରମେଶ ପ୍ରତିଭାସମ୍ପନ୍ନ ପୁରୁଷ କ୍ରିକେଟରଙ୍କୁ ବାଛିବା ନେଇ ପ୍ରୟାସ କରିବେ । ଏ ବାବଦରେ ବିସିସିଆଇ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ।

ଆସନ୍ତା ଟି-୨୦ ମହିଳା ବିଶ୍ୱକପକୁ ଦୃଷ୍ଟିରେ ରଖି କାନିତକରଙ୍କୁ ଏହି ନୂଆ ଦାୟିତ୍ୱ ଦିଆଯାଇଛି । ଆସନ୍ତା ବର୍ଷ ଫେବୃଆରୀ ୧୦-୨୬ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ମହିଳା ବିଶ୍ୱକପ୍ ଆୟୋଜିତ ହେବ । ଅନ୍ତର୍ଜାତୀୟ କ୍ରିକେଟରେ କାନିତକରଙ୍କ ବ୍ୟାଟିଂ ସହିତ କୋଚିଂରେ ଅନେକ ଅଭିଜ୍ଞତା ରହିଛି । କାନିତକରଙ୍କ କ୍ୟାପଟେନସିପରେ ଭାରତ ଅଣ୍ଡର-୧୯ ବିଶ୍ୱକପ ଜିତିପାରିଥିଲା । ୧୯୯୭-୯୮ରେ ସିଲଭର ଜୁବୁଲି ଇଣ୍ଡିପେଣ୍ଡେନ୍ସ କପରେ ପାକିସ୍ତାନ ବିପକ୍ଷରେ କାନିତକର ଚୌକା ମାରି ଟିମ୍ ଇଣ୍ଡିଆକୁ ଜିତାଇଥିଲେ । ଉକ୍ତ ମ୍ୟାଚକୁ ଆଜି ପର୍ଯ୍ୟନ୍ତ କୌଣସି ଭାରତୀୟ କ୍ରୀଡ଼ାପ୍ରେମୀ ଭୁଲି ପାରିନାହାନ୍ତି ।

Get real time updates directly on you device, subscribe now.