fbpx

ଗୁଜରାଟରେ AAPକୁ ବଡ଼ ଝଟକା: ପରାସ୍ତ ହେଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ନୂଆଦିଲ୍ଲୀ: ଗୁଜରାଟରେ ପୁଣି ନୂଆ ଇତିହାସ ଯୋଡ଼ିବାରେ ସକ୍ଷମ ହୋଇଛି ବିଜେପି । ରାଜ୍ୟରେ ଗତ ୨୭ ବର୍ଷ ଧରି କ୍ଷମତାରେ ରହି ଆସିଥିବା ବିଜେପି ପୁଣି ସରକାର ଗଠନ କରିବାକୁ ଯାଉଛି । ଅନ୍ୟ ପକ୍ଷରେ ଦିଲ୍ଲୀ, ପଞ୍ଜାବରେ ପରେ ଗୁଜରାଟରେ ସରକାର ଗଠନର ସ୍ୱପ୍ନ ଦେଖୁଥିବା ଆମ ଆଦମୀ ପାର୍ଟି (ଆପ)କୁ ଲାଗିଛି ଜବରଦସ୍ତ ଝଟକା । ବିଧାନସଭା ନିର୍ବାଚନରେ ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଇସୁଦନ ଗଢ଼ୱିଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଏଥିସହିତ ଆପର ଅନ୍ୟ ଦୁଇଜଣ ବଡ଼ ଚେହେରା ମଧ୍ୟ ମାତ୍ ଖାଇଛନ୍ତି ।

ଆଜି ଭୋଟ ଗଣତି ଆରମ୍ଭ ହିଁ ଇସୁଦାନ ପଛରେ ରହିଥିଲେ । ତେବେ ଆପ ଶୋଚନୀୟ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ମଧ୍ୟ ନିଜର ସମ୍ମାନ ରକ୍ଷା କରିବାରେ ବିଫଳ ହୋଇଛନ୍ତି । ଏଥିସହିତ ପାଟିଦାର ଆନ୍ଦୋଳନର ପ୍ରମୁଖ ଚେହେରା ଅଳ୍ପେଶ କଥରିୟା ଓ ଗୋପାଲ ଇଟାଲିଆଙ୍କ ପରି ଆପର ଦୁଇଜଣ ବଡ଼ ନେତା ମଧ୍ୟ ପରାସ୍ତ ହୋଇଛନ୍ତି ।

ବର୍ତ୍ତମାନ ବିଜେପି ମୋଟ ୬୭ଟି ସିଟରେ ବିଜୟ ହାସଲ କରିବା ସହ ୯୧ଟି ସିଟରେ ଆଗୁଆ ରହିଛି । ଅନ୍ୟପକ୍ଷରେ କଂଗ୍ରେସ ମାତ୍ର ଦୁଇଟି ସିଟରେ ବିଜୟ ସହିତ ୧୫ଟିରେ ଆଗୁଆ ଓ ଆପ ଗୋଟିଏ ମାତ୍ର ସିଟରେ ବିଜୟ ସହ ୪ଟିରେ ଆଗୁଆ ରହିଥିବା ଜଣାପଡ଼ିଛି । ଗତକାଲି ଦିଲ୍ଲୀ ମହାନଗର ନିଗମ (ଏମସିଡି) ନିର୍ବାଚନରେ ଆପ ବିଜେପିର ୧୫ ବର୍ଷର ଶାସନକୁ ଧୂଳିସାତ କରିବାରେ ସକ୍ଷମ ହୋଇଥିଲେ ହେଁ ଗୁଜରାଟରେ ଦିଲ୍ଲୀର ଫର୍ମୂଲା କାମ କରିନଥିଲା । ଭୂପେନ୍ଦ୍ର ପଟେଲ ଆସନ୍ତା ୧୨ ତାରିଖରେ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ରାଜ୍ୟ ସଭାପତି ସିଆର ପାଟିଲ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.