fbpx

ରାଜଶ୍ରୀ ମୃତ୍ୟୁ ମାମଲା: ମହିଳା କ୍ରିକେଟରଙ୍କୁ ନେଇ ମତଦେଲେ ଓସିଏ ସିଇଓ

ଭୁବନେଶ୍ୱର: ନିଖୋଜ ଥିବା ମହିଳା କ୍ରିକେଟର ରାଜଶ୍ରୀଙ୍କ ଆଜି ଝୁଲନ୍ତା ଅବସ୍ଥାରେ ଠାବ କରାଯାଇଛି । ସାଇଣ୍ଟିଫିକ ଟିମର ତଦନ୍ତ ପରେ ଗୁରୁଡ଼ିଝାଟିଆ ଥାନା ନିକଟସ୍ଥ ଏକ ଘଞ୍ଚ ଜଙ୍ଗଲରେ ତାଙ୍କର ମୃତ ଦେହ ଉଦ୍ଧାର କରାଯାଇଛି । ସେହି ଜଙ୍ଗଲରେ ରାଜଶ୍ରୀଙ୍କ ସ୍କୁଟି ମିଳିବା ପରେ ମଙ୍ଗଳାବାଗ ଆଇଆଇସି ରାଜଶ୍ରୀଙ୍କ ମୃତଦେହ ବୋଲି ସ୍ପଷ୍ଟ କରିଛି ।

ସୂଚନା ଆନୁଯାୟୀ, ରାଜଶ୍ରୀ ୧୧ତାରିଖ ପରଠାରୁ ନିଖୋଜ ଥିଲେ । ତେଣୁ ତାଙ୍କ କୋଚ୍ ପୁଷ୍ପାଞ୍ଜଳି ଥାନାରେ ଏତଲା ଦେଇଥିଲେ । ସାଇଣ୍ଟିଫିକ ଟିମର ତନାଘନା ପରେ ରାଜଶ୍ରୀଙ୍କ ହେଲମେଟ ଏବଂ ସ୍କୁଟି ଗୁରୁଡ଼ିଝାଟିଆ ଜଙ୍ଗଲରେ ମିଳିଥିଲା । ସେ ସିନିୟର ଟିମ ଚୟନରୁ ବାଦ ପଡ଼ିଥିଲେ । ବାଦ ପଡ଼ିବାରୁ ମାନସିକ ଚାପରେ ଥିବା କଥା ପ୍ରଶ୍ନ ଉଠୁଛି । ସେପଟେ ରାଜଶ୍ରୀଙ୍କ ଭଉଣୀ ଜୟଶ୍ରୀ ଏହାକୁ ଆତ୍ମହତ୍ୟା ନ କହି ହତ୍ୟା ବୋଲି ମତ ରଖିଛନ୍ତି । ସେ କହିଛନ୍ତି ରାଜଶ୍ରୀଙ୍କୁ ମାରିବା ପରେ ଝୁଲାଇ ଦିଆଯାଇଛି । ଅନ୍ୟପଟେ ତାଙ୍କ ଭାଇ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ରାଜଶ୍ରୀଙ୍କୁ କୌଣସି କାରଣ ପାଇଁ ମାରି ଦିଆଯାଇଛି । ସେଥିପାଇଁ ରାଜଶ୍ରୀଙ୍କ ମୁଣ୍ଡ,ଆଖି, ଓ ପାଦରେ ଆଘାତ ମଧ୍ୟ ଅଛି ।

ଅନ୍ୟପକ୍ଷରେ ରାଜଶ୍ରୀଙ୍କ ମୃତ୍ୟୁକୁ ନେଇ ଓସିଏ ସିଇଓ ବ୍ୟକ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ, ରାଜ୍ୟ ପାଇଁ ରାଜଶ୍ରୀ କ୍ରିକେଟ ଖେଳି ଆସିଛନ୍ତି । ସେ ଅନେକ ଥର ଚୟନ ହୋଇଛନ୍ତି ମଧ୍ୟ । ୧୦ତାରିଖରେ ଚୟନ କମିଟି ବସିଥିଲା ଏବଂ ଦଳ ଘୋଷଣା କରାଯାଇଥିଲା । ସେହି ତାଲିକାରେ ଦକ୍ଷ ଖେଳାଳିମାନେ ସ୍ଥାନ ପାଇଥିବା କଥା ସିଇଓ କହିଥିଲେ । ସେହିଦିନ ପରେ ରାଜଶ୍ରୀ କ୍ୟାମ୍ପସ ଛାଡ଼ି ଚାଲିଯାଇଥିଲେ । ସେ ଚୟନରେ କେତେଥର ରହିଛନ୍ତି କେତେଥର କଟିଛନ୍ତି ମଧ୍ୟ । ସେଥିପାଇଁ ଚୟନ ଠିକଠାକ ହୋଇଛି ବୋଲି ସେ ମତ ରଖିଛନ୍ତି ।

Get real time updates directly on you device, subscribe now.