fbpx

ସିରିଜ୍ ବିଜୟ ସହ ଟିମ୍ ଇଣ୍ଡିଆର ବିଶ୍ୱ ରେକର୍ଡ: ଲଜ୍ଜାଜନକ ଭାବେ ୩୧୭ ରନରେ ହାରିଲା ଶ୍ରୀଲଙ୍କା

ନୂଆଦିଲ୍ଲୀ: ଆଜି ଭାରତୀୟ କ୍ରିକେଟପ୍ରେମୀ ତଥା ଦେଶବାସୀଙ୍କ ପାଇଁ ଏକ ବଡ଼ ଖବର । ଗୋଟିଏ ପଟେ ଦେଶରେ ହକି ବିଶ୍ୱକପ ଚାଲିଥିବା ବେଳେ ଅନ୍ୟପଟେ ଶ୍ରୀଲଙ୍କା ବିପକ୍ଷରେ ସିରିଜକୁ ୩-୦ରେ ମୂଳପୋଛ କରିଛି ଟିମ୍ ଇଣ୍ଡିଆ । ଆଜି ଭାରତ ଶ୍ରୀଲଙ୍କାକୁ ୩୧୭ ରନରେ ପରାସ୍ତ କରି ସର୍ବାଧିକ ବ୍ୟବଧାନରେ ପ୍ରତିପକ୍ଷଙ୍କୁ ହରାଇବାରେ ବିଶ୍ୱରେକର୍ଡ ହାସଲ କରିଛି ।

ପୂର୍ବରୁ ଏହି ରେକର୍ଡ ନ୍ୟୁଜିଲାଣ୍ଡ ନାମରେ ରହିଥିଲା । ଗତ ୨୦୦୮ ମସିହାରେ ନ୍ୟୁଜିଲାଣ୍ଡ ଇରିଲ୍ୟାଣ୍ଡକୁ ୨୯୦ ରନରେ ପରାସ୍ତ କରିଥିଲା । ତେବେ ଆଜି ଭାରତ ବିରାଟ ବିଜୟ, ସିରିଜ ବିଜୟ ସହିତ ବିଶ୍ୱ ବିଜୟୀ ହେବାରେ ସକ୍ଷମ ହୋଇଛି । ୩ଟି ଦିନିକିଆରୁ ଦୁଇଟି ମ୍ୟାଚରେ ଦୁଇଟି ଶତକ କରି ଦମଦାର ଢଙ୍ଗରେ ନିଜର ଭୟଙ୍କର ଫର୍ମର ପରିଚୟ ଦେଇଛନ୍ତି କିଙ୍ଗ ବିରାଟ କୋହଲି । ମାତ୍ର ୧୧୦ଟି ବଲରୁ ୮ଟି ଛକା ଓ ୧୩ଟି ଚୌକା ସହାୟତରେ ୧୬୬ ରନରେ ଅପରାଜିତ ରହିଥିଲେ କୋହଲି । ଓପନର ଶୁବମନ ଗିଲ ମଧ୍ୟ ଆଜି ଶତକୀୟ ଇନିଂସ ଖେଳିଥିଲେ ।

ଟିମ୍ ଇଣ୍ଡିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ଓଭରରେ ୩୯୦ ରନର ପାହାଡ଼ ଛିଡ଼ା କରିଥିଲା । ଶତକ ହାସଲ କରିବା ପରେ କୋହଲିଙ୍କ ଉଗ୍ର ରୂପ ଦେଖିବାକୁ ମିଳିଥିଲା । ଏପରୁ ଲାଗୁଥିଲା ସତେ ଯେପରି କେତେ ବର୍ଷରୁ ରନ୍ ମେଶିନ୍ ରନ୍ ଭୋକରେ ରହିଛନ୍ତି । ତେବେ ଶ୍ରୀଲଙ୍କାର କୌଣସି ବୋଲରଙ୍କ ବୋଲିଂ କାମ କରିନଥିଲା । କସୁନ ରଜିଥା ଓ ୱାନିନ୍ଦୁ ହାସରଙ୍ଗା ପ୍ରତ୍ୟେକେ ୨ଟି ଲେଖାଏଁ ୱିକେଟ ହାସଲ କରିଥିଲେ । ୩୯୧ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଶ୍ରୀଲଙ୍କା ପ୍ରଥମରୁ ହିଁ ଝୁଣ୍ଟିଥିଲା । ଦଳ ମାତ୍ର ୨୨ ଓଭରରେ ୭୩ ରରେ ଅଲଆଉଟ୍ ହୋଇଯାଇଥିଲା । ଭାରତ ପକ୍ଷରୁ ମହମ୍ମଦ ସିରାଜ ସର୍ବାଧିକ ୪ଟି, ମହମ୍ମଦ ଶାମି ଓ କୁଲଦୀପ ଯାଦବ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

Get real time updates directly on you device, subscribe now.