fbpx

ବିମାନ ନେଲା ଦମ୍ପତିଙ୍କ ଜୀବନ,ଠିକ ୧୬ ବର୍ଷ ପୂର୍ବେ ଯାଇଥିଲା ସ୍ୱାମୀଙ୍କ ଜୀବନ

ନୂଆଦିଲ୍ଲୀ:କୁହାଯାଏ ଯୋଡି ଉପରୁ ତିଆରି ହୋଇ ଆସିଥାଏ । କିଏ କେତେ ଆୟୁଷ ଦେଇ ଆସିବ ତାହା ମଧ୍ୟ ଭାଗ୍ୟରେ ଲେଖାଥାଏ । କିଛି ଏଭଳି ଭାଗ୍ୟ ନେଇ ଧରାପୃଷ୍ଠରେ ଜନ୍ମ ନେଇଥିଲେ ଅଞ୍ଜୁ । ସ୍ୱାମୀ କୋ-ପାଇଲଟ ଥିବା ବେଳେ ବିମାନ ଦୁର୍ଘଟଣାରେ ଯାଇଥିଲା ଜୀବନ । ଆଉ ଠିକ ୧୬ ବର୍ଷ ପରେ ବିମାନ ଦୁର୍ଘଟଣାରେ ଚାଲି ଗଲା ଅଞ୍ଜୁଙ୍କ ଜୀବନ ଆଉ ଦେଖିଥିବା ସ୍ୱପ୍ନ ସବୁ ରହି ଗଲା ଅଧୁରା..ରବିବାର ଦିନ ନେପାଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନର ସହ-ପାଇଲଟ୍ ଅଞ୍ଜୁ ଖାତିୱାଡା ୧୬ ବର୍ଷ ପୂର୍ବେ ସମାନ ଦୁର୍ଘଟଣାରେ ସ୍ୱାମୀଙ୍କୁ ହରାଇଥିଲେ।

ଏହା ଏକ ସଂକେତ ବୋଲି କୁହାଯିବ ଯେ ଦୁର୍ଘଟଣା ସମୟରେ ଅଞ୍ଜୁଙ୍କ ସ୍ୱାମୀ ମଧ୍ୟ ସହ-ପାଇଲଟ ଥିଲେ। ଷୋହଳ ବର୍ଷ ପୂର୍ବେ, ଜୁନ୍ ୨୧, ୨୦୦୬ ରେ, ୟେଟି ଏୟାରଲାଇନ୍ସର ବିମାନ 9N AEQ ଏକ ଦୁର୍ଘଟଣାର ଶିକାର ହୋଇଥିଲା। ନେପାଳଗୁଞ୍ଜରୁ ଜୁମ୍ଲା ଅଭିମୁଖେ ସୁରଖେଟ୍ ଦେଇ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ୬ ଜଣ ଯାତ୍ରୀ ଏବଂ ଚାରି ଜଣ କ୍ରୁ ସଦସ୍ୟଙ୍କ ମୃତ୍ୟୁ ଘଟିଥିଲା ।ସୂଚନା ଅନୁଯାୟୀ, ଦୁର୍ଘଟଣାର ଶିକାର ହୋଇଥିବା ସହ-ପାଇଲଟ୍ ଅଞ୍ଜୁ ଖଟିୱାଡାଙ୍କ ସ୍ୱପ୍ନ ପୂରଣ ହୋଇପାରି ନାହିଁ। ପାଇଲଟ ହେବାର ସ୍ୱପ୍ନକୁ ସାକାର କରିବା ପାଇଁ ଅଞ୍ଜୁ ଖାତିୱାଡା କିଛି ସେକେଣ୍ଡ ଦୂରରେ ଥିଲେ। ବିମାନ ଅବତରଣ କରିବା ପରେ ତାଙ୍କୁ ଅଧିନାୟକ କରାଯିବା ସୂଚନା ଥିଲା। ସିନିୟର କ୍ୟାପଟେନ କମଲ କେସି ଦୁର୍ଘଟଣା ସମୟରେ ବିମାନଟିକୁ ଚଳାଉ ଥିଲେ।

ସୂଚନାମୁତାବକ ବିମାନଟି ସକାଳ ପ୍ରାୟ ୧୦.୩୦ ସମୟରେ ନାୟା ଗାଁ ରେ ଦୁର୍ଘଟଣାଗ୍ରସ୍ତ ହୋଇ ବିମାନରେ ଥିବା ସମସ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ସେଠାରେ ୬୮ ଜଣ ଯାତ୍ରୀ ଏବଂ ୪ ଜଣ କ୍ରୁ ସଦସ୍ୟ ଥିଲେ। ଏହାପୂର୍ବରୁ ଅଞ୍ଜୁ ନେପାଳର ପ୍ରାୟ ସମସ୍ତ ବିମାନବନ୍ଦରରେ ସଫଳତାର ସହ ଅବତରଣ କରିଥିଲେ।ରବିବାର ଦିନ ନେପାଳର ପୋଖରାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ୟେଟି ଏୟାରଲାଇନ୍ସ ବିମାନର ଧ୍ୱଂସାବଶେଷରୁ ଉଦ୍ଧାରକାରୀ ଦଳ ଦ୍ୱାରା ଏପର୍ଯ୍ୟନ୍ତ ମୋଟ ୬୮ ଟି ମୃତଦେହ ଉଦ୍ଧାର କରାଯାଇଛି। ୟେଟି ଏୟାରଲାଇନ୍ସ ଅନୁଯାୟୀ ବିମାନଟି ପୁରୁଣା ବିମାନବନ୍ଦର ଏବଂ ପୋଖରା ଅନ୍ତର୍ଜାତୀୟ ବିମାନବନ୍ଦର ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ମୃତ ଯାତ୍ରୀଙ୍କ ମଧ୍ୟରେ ତିନି ଜଣ ଶିଶୁ ମଧ୍ୟ ଥିଲେ।

Get real time updates directly on you device, subscribe now.