fbpx

ଓଡ଼ିଆ ବିବାହର ପରମ୍ପରା ଭାଙ୍ଗୁଛନ୍ତି ଯୁବପିଢ଼ି, ଖର୍ଚ୍ଚ ଭାର ଚିନ୍ତାରେ ବାପା ମାଆ

ଭୁବନେଶ୍ୱର: ବର୍ତ୍ତମାନ ବାହାଘର ସିଜନ୍ ଚାଲିଥିବା ବେଳେ କରୋନା କଟକଣା ନଥିବାରୁ ଲୋକେ ଧୁମ୍‌ଧାମ୍‌ରେ ବିବାହ କାର୍ଯ୍ୟ କରୁଛନ୍ତି। ଅଧିକ ଟଙ୍କା ଥିବା ଲୋକମାନେ ହାତ ଖୋଲା ଖର୍ଚ୍ଚ କରୁଥିବା ବେଳେ ଏହାର ଏକ ନକରାତ୍ମକ ପ୍ରଭାବ ଗରିବ ମଧ୍ୟବିତ୍ତ ପରିବାର ଉପରେ ପଡୁଛି। ତେବେ ଏଠାରେ କୁହାଯାଇପାରେ ଯେ, ବାହାଘରରେ ଅଧିକ ଟଙ୍କା ଖର୍ଚ୍ଚ କରି ଲୋକମାନେ ଓଡ଼ିଆ ପରମ୍ପରାକୁ ନଷ୍ଟ କରୁଛନ୍ତି। କାରଣ ଓଡ଼ିଶାରେ ଲୋକମାନେ ଏବେ ଓଡ଼ିଆ ପରମ୍ପରା ଛାଡ଼ି ବଙ୍ଗାଳୀ, ଗୁଜରାଟି ଆଦି ପରମ୍ପରାରେ ବିବାହ କାର୍ଯ୍ୟ କରୁଥିବାରୁ ଏଭଳି ସ୍ଥିତି ଉପୁଜୁଥିବା ବୁଦ୍ଧିଜୀବି ମାନେ କହୁଛନ୍ତି। ଏବେ ଓଡ଼ିଶାରେ ୧୨ ମାସରେ ୧୩ ପର୍ବ କେବଳ ଏକ ଲୋକକଥା ହୋଇ ରହିଯାଇଛି।

ଆଜିର ଦିନରେ ଓଡ଼ିଆ ବିବାହ କାର୍ଯ୍ୟରେ ଓଡ଼ିଆ ଲୋକଟିଏ ନିଜର ପରମ୍ପରା ଭୁଲି ଯାଉଥିବା ଦେଖିବାକୁ ମିଳୁଛି। ଓଡ଼ିଆ ପରମ୍ପରା ଅନୁଯାୟୀ ଦୁଇ ପକ୍ଷର ପ୍ରସ୍ତାବ ମନକୁ ପାଇଲେ ନିର୍ବନ୍ଧ ହୁଏ। ଏହି ଦିନ ବାହାଘର ତାରିଖ ମଧ୍ୟ ନିର୍ଦ୍ଧାରିତ ହୋଇଥାଏ ଏବଂ ଧାର୍ଯ୍ୟ ତାରିଖରେ ବାହାଘର ହୋଇଥାଏ। ନିର୍ବନ୍ଧ ପରଠାରୁ ବିବାହ ପର୍ଯ୍ୟନ୍ତ ବର ଓ କନ୍ୟାଙ୍କ ମଧ୍ୟରେ କୌଣସି ଦେଖା ସାକ୍ଷାତ ହୋଇ ନଥାଏ। କିନ୍ତୁ ଆଜିର ଦିନରେ ଏପ୍ରକାର କୌଣସି ପ୍ରତିବନ୍ଧକ ନାହିଁ।

ଏବେ ଲୋକେ ନିର୍ବନ୍ଧ ଭୁଲି ପାଶ୍ଚାତ୍ୟ ପରମ୍ପରା ଅନୁଯାୟୀ ‘ରିଙ୍ଗ୍ ସେରିମନୀ’ କରୁଛନ୍ତି। କେବଳ ଏତିକି ନୁହେଁ, ଟିଭି, ଫିଲ୍ମ ଏବଂ ଇଣ୍ଟରନେଟ୍‌ରୁ ଶିକ୍ଷା ପାଇ ଏବେ ‘କେକ୍ କଟା’ ମଧ୍ୟ ହେଉଛି। ଯାହା ସମ୍ପୁର୍ଣ୍ଣ ଭାବେ ଓଡ଼ିଆ ପରମ୍ପରାଠାରୁ କୋଶ ଦୂରରେ। କାରଣ ଓଡ଼ିଆ ପରମ୍ପରାରେ ଏସବୁର ସ୍ଥାନ ପ୍ରାୟତଃ ନାହିଁ। ଏହାପରେ ରହିଛି ବିବାହ ପୁର୍ବରୁ ଫଟୋଶୁଟ୍ କାର୍ଯ୍ୟକ୍ରମ। ଯାହାକୁ ଆଧୁନିକାତର ଦ୍ୱାହି ଦେଇ ଲୋକେ ଗ୍ରହଣ କରିଛନ୍ତି। ଏହାବାଦ୍ ହଳଦୀ ଏବଂ ମେହେନ୍ଦି ନାଁ ରେ ମଧ୍ୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାନ କରାଯାଉଛି। ଏସବୁ ହୁଏତ ପୁର୍ବରୁ ନଥିଲା, ଯାହା ସବୁ ଟିଭି ସିରିଏଲ୍‌ରେ ଦେଖି ଦେଖି ଓଡ଼ିଆ ନିଜର ପରମ୍ପରା ବୋଲି ଭାବି ନେଇଛନ୍ତି।

ତେବେ ବର୍ତ୍ତମାନ ସମୟରେ ଏଭଳି ଆହୁରି କିଛି ବିଷୟ ମଧ୍ୟ ଅଛି ଯାହା ଓଡ଼ିଆ ବିବାହ ରୀତିନୀତିରେ ଜୋର ଜବରଦସ୍ତ ଭର୍ତ୍ତି କରାଯାଉଛି ବୋଲି ମଧ୍ୟ କୁହାଯାଏ। ଏସବୁ ଭିତରେ ଓଡ଼ିଆ ପରମ୍ପରାର ଶେଷ ଆଡ଼କୁ ଗତୀ କରୁଛି ବୋଲି କୁହାଯାଇପାରେ।

ଏକ ପରମ୍ପରା ସବୁ ସମୟରେ ନୂତନ ପରିବର୍ତ୍ତନକୁ ଆପଣାଇ ନବା କଥା। ଏହା ସହିତ ନିଜକୁ ମଧ୍ୟ ସେତିକ ବିସ୍ତାର କରିବା କଥା। ଯାହାର ଅଭାବ ଆଜି ଓଡ଼ିଆଙ୍କ ଠାରେ ଦେଖିବାକୁ ମିଳୁଛି। ଲୋକେ ଯେତିକି ମାତ୍ରାରେ ଅନ୍ୟ ପରମ୍ପରାକୁ ଅନୁସରଣ କରୁଛନ୍ତି, ସେତିକି ମାତ୍ରାରେ ନିଜର ପରମ୍ପରାକୁ ଭୁଲି ଯାଉଥିବା ଦେଖିବାକୁ ମିଳୁଛି। ଶେଷରେ ଏତିକି କହି ହେବ କି ପରିବର୍ତ୍ତିତ ଦୁନିଆରେ ଆଧୁନିକତା ଲୋକମାନଙ୍କର ମାନସିକତାକୁ ଅନେକ ବିକଶିତ କରିଥାଇପାରେ, କିନ୍ତୁ ଆଧୁନିକତା ଏକ ସଭ୍ୟତାକୁ ନଷ୍ଟ କରିବାରେ ମଧ୍ୟ ଏକ ପ୍ରମୁଖ ମାଧ୍ୟମ ସାଜିଛି।

Get real time updates directly on you device, subscribe now.