fbpx

ଭୁବନେଶ୍ୱର, କୋଲକାତା ଓ ଜାମଶେଦପୁରକୁ ସଂଯୋଗ କରୁଥିବା ବିମାନ ସେବାର ଉଦଘାଟନ କଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ତଥା ଇସ୍ପାତ ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ଏମ. ସିନ୍ଧିଆ, ଜେନେରାଲ ଡଃ ବିଜୟ କୁମାର ସିଂହ (ଅବସରପ୍ରାପ୍ତ)ଙ୍କ ସହ ଆଜି ଭୁବନେଶ୍ୱର, କୋଲକାତା ଓ ଜାମଶେଦପୁରକୁ ସଂଯୋଗ କରୁଥିବା ବିମାନ ସେବାର ଉଦଘାଟନ କରିଛନ୍ତି ।

ଇଣ୍ଡିଆୱାନ ଏୟାର ଏହି ରୁଟରେ ଜାନୁୟାରୀ ୩୧, ୨୦୨୩ରୁ ବିମାନ ଉଡାଣ ଆରମ୍ଭ କରିଛି । ଆରସିଏସ- ଉଡାନ ଯୋଜନା ଅନ୍ତର୍ଗତ ଫେବୃୟାରୀ ୧, ୨୦୨୩ରୁ ଏହି ବିମାନ ସେବାକୁ ତ୍ୱରାନ୍ୱିତ କରି ଦୈନିକ କରାଯିବ ।

ଉଦଘାଟନୀ ଭାଷଣରେ ବେସାମରିକ ବିମାନ ଚଳାଚଳ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, ତିନିଟି ଭିନ୍ନ ଭିନ୍ନ ରାଜ୍ୟର ତିନିଟି ଗୁରୁତ୍ୱପୂର୍ଣ୍ଣ ସହର ବିମାନ ନେଟୱର୍କ ଦ୍ୱାରା ଯୋଡି ହେଉଥିବାରୁ ଏହା ଏକ ଶୁଭ ମୁହୂର୍ତ୍ତ । ଦେଶର କୋଣ ଅନୁକୋଣକୁ ବିମାନ ସେବା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଏଥିରେ ପ୍ରତିଫଳିତ ହେଉଛି । ପୂର୍ବରୁ ଗୋଟିକ ପରେ ଗୋଟିଏ ଏୟାରଲାଇନ୍ସ ବନ୍ଦ ହେଉଥିଲା, ହେଲେ ଏବେ ଉଡାନ ଯୋଜନା ତିନିଟି ନୂଆ ଆଞ୍ଚଳିକ ଏୟାରଲାଇନ୍ସକୁ ଜନ୍ମ ଦେଇଛି । ୨୦୧୪ ପୂର୍ବରୁ ଦେଶରେ ମାତ୍ର ୭୪ଟି ବିମାନ ବନ୍ଦର କାର୍ଯ୍ୟକ୍ଷମ ଥିଲା । ଏବେ ଜାମଶେଦପୁରରେ ବାଣିଜ୍ୟିକ ଉଡାଣ ଆରମ୍ଭ ହେବା ପରେ ଏହା ୧୪୭କୁ ବୃଦ୍ଧି ପାଇଛି ଓ ଫେବୃୟାରୀ ୨୦୨୩ରେ କର୍ଣ୍ଣାଟକର ଶିବମୋଗା ବିମାନ ବନ୍ଦରରୁ ବାଣିଜ୍ୟିକ ଉଡାଣ ଆରମ୍ଭ ହେବା ପରେ ଏହା ୧୪୮ ଛୁଇଁବ ।

ସିନ୍ଧିଆ କହିଛନ୍ତି, ଝାଡଖଣ୍ଡରେ ବେସାମରିକ ବିମାନ ଚଳାଚଳ ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ର ସରକାର ବହୁବିଧ ପଦକ୍ଷେପ ନେଉଛନ୍ତି । ପୂର୍ବରୁ ଝାଡଖଣ୍ଡରେ ମାତ୍ର ଗୋଟିଏ ବିମାନ ବନ୍ଦର ଥିଲା । କିଛି ମାସ ପୂର୍ବରୁ ପ୍ରଧାନମନ୍ତ୍ରୀ ଦେଓଘର ଠାରେ ଦ୍ୱିତୀୟ ବିମାନବନ୍ଦର ଉଦଘାଟନ କରିଥିଲେ । ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ଦୁମକାରେ ୩୦ କୋଟି ଟଙ୍କା ଓ ବୋକାରୋ ବିମାନ ବନ୍ଦରରେ ୭୫ କୋଟି ଟଙ୍କା ନିବେଶ କରୁଛନ୍ତି ଓ ଖୁବଶୀଘ୍ର ଏହି ବିମାନବନ୍ଦରଗୁଡିକରୁ ଉଡାଣ ଆରମ୍ଭ ହେବ ।

ରାଷ୍ଟ୍ରମନ୍ତ୍ରୀ ଇଣ୍ଡିଆୱାନ ଏୟାରକୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଏହି କନକ୍ଟିଭିଟି ଏହି ଅଞ୍ଚଳରେ ଯୋଗାଯୋଗ ଉନ୍ନତ କରିବା ସାଙ୍ଗକୁ ଆର୍ଥିକ ଗତିବିଧିକୁ ପ୍ରୋତ୍ସାହିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ।

ଏହି ଅବସରରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ଝାଡଖଣ୍ଡ ସରକାରଙ୍କ ମନ୍ତ୍ରୀ ବନ୍ନା ଗୁପ୍ତା, ଝାଡଖଣ୍ଡ ସରକାରଙ୍କ ମନ୍ତ୍ରୀସତ୍ୟାନନ୍ଦ ଭୋକ୍ତା, ଇଣ୍ଡିଆୱାନର ସିଇଓ ଅରୁଣ କୁମାର ସିଂହ ଉପସ୍ଥିତ ଥିଲେ । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଅସଂଗବା ଚୁବା ଆଓ ଏବଂ ବିମାନ ଚଳାଚଳ ମନ୍ତ୍ରଣାଳୟ, ଝାଡଖଣ୍ଡ ସରକାର, ଏଏଆଇ ଓ ଇଣ୍ଡିଆୱାନର ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Get real time updates directly on you device, subscribe now.