ଭୁବନେଶ୍ୱର: ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଦ୍ୱାରା ରାଜ୍ୟ ବଜେଟ ଆଗତ କରାଯାଉଛି । କୃଷି ପାଇଁ ୨୪,୮୨୯ କୋଟି ବ୍ୟୟ ବରାଦ ହୋଇଛି । ଚଳିତ ଥର ମିଲେଟ ମିଶନକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି । ଚଳିତ ବଜେଟରେ ମିଲେଟ ମିଶନ ପାଇଁ ୪୯୭ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଏହା ସହିତ ଛତୁ ମିଶନ ଓ ଫୁଲ ଚାଷ ମିଶନ ପାଇଁ ୧୦୦ କୋଟି ବ୍ୟୟବରାଦ ହୋଇଛି। ତେବେ ୧୯ଟି ଜିଲ୍ଳାରେ ମିଲେଟ ମିଶନ ଖୋଲିବା ପାଇଁ ପ୍ରୟାସ କରାଯାଉଥିବା ସୂଚନା ଦିଆଯାଇଛି ।
୧ବର୍ଷ ପାଇଁ ମିଲେଟ ମିଶନ ୪୭୯ କୋଟି ହେବ ।
ଏହା ସହିତ ରାଜ୍ୟରେ କୃଷି ବିକାଶକୁ ତ୍ବରାନ୍ବିତ କରିବା ସହ ଦାରିଦ୍ର୍ୟ ହ୍ରାସ ଲକ୍ଷ୍ୟ ନେଇ ୨୦୧୮-୧୯ ଆର୍ଥିକ ବର୍ଷରୁ ରାଜ୍ୟ ସରକାରକାଳିଆ ଯୋଜନା ଆରମ୍ଭ କରିଥିଲେ ।ରାଜ୍ୟ ସରକାରଙ୍କ ଏହି ରୋଜଗାର ସହାୟତା ଯୋଜନାକୁ ଦେଶର ଭିନ୍ନ ଭିନ୍ନ ମଞ୍ଚରେ ସ୍ବୀକୃତି ଏବଂ ପ୍ରଶଂସା ମିଳିଛି । ଏହି ଯୋଜନାରେ ପ୍ରାୟ ୩୮ ଲକ୍ଷ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ଏବଂ୧୮ ଲକ୍ଷ ଭୂମିହୀନ ଚାଷୀ ପରିବାରକୁ ସହାୟତା ମିଳିସାରିଛି । ୨୦୨୨-୨୩ ଆର୍ଥିକ ବର୍ଷରେ ଉକ୍ତ ସହାୟତାକୁ ଚାଲୁ ରଖିବା ନିମନ୍ତେ କାଳିଆ ଯୋଜନାରେ ୧ ହଜାର ୮ ଶହ ୭୪ କୋଟିଟଙ୍କାର ବ୍ୟୟ ବରାଦ ରହିଛି ।
ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (OUAT) ବିଗତ ବର୍ଷ ମାନଙ୍କରେ ଗବେଷଣା ଏବଂ ସମ୍ପ୍ରସାରଣ ଶିକ୍ଷାକୁ ସୁଦୃଢ଼ କରିବା ପାଇଁ ଅନେକ ଅଭିନବ ପଦକ୍ଷେପ ନେଇଛି । ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟକୁ ଏକ ଉତ୍କର୍ଷ କେନ୍ଦ୍ର (Centre ofExcellence)ରେ ପରିଣତ କରିବା ସହ କୃଷି ଗବେଷଣା ଓ ସମ୍ପ୍ରସାରଣ କ୍ଷେତ୍ରରେ ବିଶ୍ବସ୍ତରୀୟ ମାନଦଣ୍ଡ ସୃଷ୍ଟି କରିବା ସହ କୃଷି ଗବେଷଣା, ଶିକ୍ଷା ଓ ଭିତ୍ତିଭୂମି ବିକାଶ ପାଇଁ ୧ ଶହ ୬୧ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି; ଯାହା ୨୦୧୯-୨୦ ବର୍ଷ ବ୍ୟୟବରାଦର ପ୍ରାୟ ପାଞ୍ଚ ଗୁଣ ଅଟେ।
ଉଦ୍ୟାନ କୃଷି, ଶସ୍ୟ ଜାତୀୟ ଫସଲ ତୁଳନାରେ ହେକ୍ଟର ପିଛା ଅଧ୍ବକ ଅମଳ ପ୍ରଦାନ କରିଥାଏ । ବିଭିନ୍ନ କାର୍ଯ୍ୟକଳାପକୁ ତ୍ବରାନ୍ବିତ କରି ଉଦ୍ୟାନ କୃଷି କ୍ଷେତ୍ରରେ ପ୍ରୋତ୍ସାହନ ଏବଂ ସାମଗ୍ରିକ ଅଭିବୃଦ୍ଧି ନିମିତ୍ତ “ଉଦ୍ୟାନ କୃଷି ବିକାଶ କାର୍ଯ୍ୟକ୍ରମ” ଅଧୀନରେ ୩ ଶହ ୧୨ କୋଟିଟଙ୍କା ବ୍ୟୟବରାଦ କରାଯାଇଛି । ସେହିଭଳି ଜାତୀୟ ଉଦ୍ୟାନ କୃଷି ମିଶନ ମାଧ୍ୟମରେ ଉଦ୍ୟାନ କୃଷିର ଉତ୍ପାଦନ ବୃଦ୍ଧି, ପୋଷଣ ନିରାପତ୍ତାରେ ଉନ୍ନତି ଏବଂ କୃଷକ ପରିବାରକୁ ଆୟ ସହାୟତା ଯୋଗାଇ ଦେବା ପାଇଁ ୧ ଶହ ୨୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
ସାମଗ୍ରୀକ ବିକାଶ ଲକ୍ଷ୍ୟ ନେଇ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ସହ ଜଡିତ ସମ୍ବଳର ଉତ୍ପାଦନ, ଏକତ୍ରୀକରଣ, ଭଣ୍ଡାରଣ, ପ୍ରକ୍ରିୟାକରଣ, ବିତରଣ ଏବଂ ବିପଣନ ନିମନ୍ତେ Farmer Producer Organisations (FPOs)କୁ ୨୫ କୋଟି ଟଙ୍କା ସହାୟତା ପାଇଁ ପ୍ରସ୍ତାବ ରହିଛି ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ ସବୁଠୁ ବଡ ଆହ୍ୱାନ । ଜଳବାୟୁ ପରିବର୍ତ୍ତନ ଦ୍ବାରା ବଢୁଥିବା ପ୍ରତିକୂଳ ପ୍ରଭାବର ପ୍ରଶମନ, ଭୂପୃଷ୍ଠ ଜଳର ସଂରକ୍ଷଣ ଏବଂ ଜଳ ଧାରଣ କ୍ଷମତା ବୃଦ୍ଧି ଆମ ସରକାରଙ୍କ ପ୍ରାଥମିକତା ଅଟେ । ଯାହା ପାଇଁ ୩୦ ଟି “In-stream Storage Structures(ISS)” ନିର୍ମାଣ ହାତକୁ ନିଆଯାଇଛି।
ନିର୍ମାଣଧୀନ ବୃହତ ଏବଂ ମଧ୍ୟମ ଜଳସେଚନ ପ୍ରକଳ୍ପଗୁଡିକୁ ସମ୍ପୂର୍ଣ୍ଣ କରିବା ସରକାରଙ୍କ ପ୍ରାଥମିକତା । ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ପ୍ରକଳ୍ପଗୁଡିକୁ ସମ୍ପୂର୍ଣ କରିବା ପାଇଁ ଖୋଲା କେନାଲ ପରିବର୍ତ୍ତେ ଭୂତଳ ପାଇପଲାଇନ ବିତରଣ ବ୍ୟବସ୍ଥା ଗ୍ରହଣ କରାଯାଇଛି ।୨୦୧୩-୧୪ ବର୍ଷ ଠାରୁ ରାଜ୍ୟର ଢିପ ଜମିକୁ ଜଳସେଚନ ଯୋଗାଇଦେବା ପାଇଁ ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଆସୁଅଛି । ଅତିରିକ୍ତ ୨ ଲକ୍ଷ ୩ହଜାର ହେକ୍ଟର ଜମିକୁ ଜଳସେଚନ ଯୋଗାଇବା ଲକ୍ଷ୍ୟରେ ରାଜ୍ୟ ସରକାର ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ବିଭିନ୍ନ ବୃହତ ଉଠା ଜଳସେଚନ ପ୍ରକଳ୍ପ ପାଇଁ ୧୦ ହଜାର ୭ଶହ ୫୯ କୋଟି ଟଙ୍କା ବ୍ୟୟ କରିବାର ଲକ୍ଷ୍ୟ ରଖାଯାଇଛି ।