fbpx

ଭାରତରେ ପ୍ରଥମ: ଓଡ଼ିଶା ଉତ୍ପାଦନ କରିବ ଚିପ୍, ହଟିବ ଦେଶର ସଙ୍କଟ, ପ୍ରତିଷ୍ଠା ହେବ Center of Excellence

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟକୁ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗବେଷଣା କ୍ଷେତ୍ରରେ ଆଗକୁ ନେବାକୁ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ଏହା ମଧ୍ୟରେ ରାଜ୍ୟ ସରକାର ଦେଶର ପ୍ରଥମ ରାଜ୍ୟ ଭାବେ ଚିପ୍ ଉତ୍ପାଦନ କରିବାକୁ ଯାଉଛନ୍ତି । ଯଦି ସବୁକିଛି ଠିକଠାକ ରୁହେ, ତେବେ ସାରା ଦେଶର ଚିପ୍ ଆବଶ୍ୟକତାକୁ ପୂରଣ କରିବ ଓଡ଼ିଶା । ଏଥିସହିତ ବିଦେଶକୁ ମଧ୍ୟ ଚିପ୍ ରପ୍ତାନୀ କରାଯିବ ।

ବର୍ତ୍ତମାନର ସମୟରେ ଚିପ୍ ହେଉଛି ଏକ ଜରୁରୀ ସାମଗ୍ରୀ । ଦେଶରେ ଏହାର ଉତ୍ପାଦନ ଆବଶ୍ୟକ ମାତ୍ରାରେ ହେଉ ନଥିବାରୁ ଅନେକ ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ସାଧାରଣ ଭାବେ କ୍ରେଡିଟ୍ କାର୍ଡ, ଡେବିଟ୍ କାର୍ଡ, ଟିଭି, ମୋବାଇଲ ଫୋନ୍, ମେଡିକାଲ ପ୍ରଡକ୍ଟ, ଗାଡ଼ି ପରି ଅଧିକାଂଶ ବୈଦ୍ୟୁତିକ ସାମଗ୍ରୀ ଚିପ୍ ଦ୍ୱାରା ପରିଚାଳିତ । ନିକଟରେ ଚିପର ଅଭାବ ଯୋଗୁଁ ହାହାକାର ଦେଖାଦେଇଥିଲା । ତେଣୁ ଏଭଳି ସଙ୍କଟଜନକ ସମୟରେ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସରକାର ଚିପ୍ ଉତ୍ପାଦନ କରିବାକୁ ପ୍ରସ୍ତୁତ ହେଉଛନ୍ତି ।

ତେବେ ରାଜ୍ୟ ସରକାର ଚିପ୍ ଉତ୍ପାଦନ କରିବା ସହିତ ରାଜ୍ୟର ଯୁବକ, ଯୁବତୀଙ୍କୁ ଟ୍ରେନିଂ ଦେଇ ସେମାନଙ୍କର ଦକ୍ଷତା ବିକାଶ କରିବେ । ଚଳିତ ବର୍ଷ ଓଡ଼ିଶା ଚିପ୍ (ଓ-ଚିପ) ଉତ୍ପାଦନ ପାଇଁ ବଜେଟରେ ପ୍ରଥମ ପର୍ଯ୍ୟାୟରେ ୩୦ କୋଟି ଅର୍ଥ ବ୍ୟୟବରାଦ କରାଯାଇଛି । ରାଜ୍ୟର ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କୁ ଉପଯୁକ୍ତ ଟ୍ରେନିଂ ଦିଆଗଲେ ସେମାନେ ଏହି ଚିପ୍ ପ୍ରସ୍ତୁତ କରିପାରିବେ । ରାଜ୍ୟ ବାହାରେ ବହୁ ଯୁବକ, ଯୁୁବତୀ ଚିପ୍ ଡିଜାଇନ କରି ୪୦-୫୦ ହଜାର ଟଙ୍କାରେ ଚାକିରି କରୁଛନ୍ତି । ତେଣୁ ପ୍ରଶିକ୍ଷଣ ପରେ ସେମାନଙ୍କ ପାଇଁ ଲକ୍ଷାଧିକ ଟଙ୍କା ରୋଜଗାର କରିବାର ସୁଯୋଗ ସୃଷ୍ଟି ହେବ ବୋଲି ରାଜ୍ୟ ଆଇଟି ସଚିବ ମନୋଜ କୁମାର ମିଶ୍ର ସୂଚନା ଦେଇଛନ୍ତି । ଓ-ଚିପ୍ ପ୍ରୋଗ୍ରାମ ପାଇଁ ରାଜ୍ୟ ସରକାର ଏକ ସେଣ୍ଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା କରିବେ । ଆଗାମୀ ଦିନରେ ରାଜ୍ୟରେ ୫ ହଜାର ଯୁବକ, ଯୁବତୀଙ୍କୁ ନିଯୁକ୍ତି ମିଳିପାରିବ । ସୂଚନାଯୋଗ୍ୟ ଯେ, ଚିପ୍ ଉତ୍ପାଦନ ପାଇଁ ଗତ ୨୦୨୨ ବର୍ଷ ଜୁଲାଇ ମାସରେ ଆଇଟି ମନ୍ତ୍ରଣାଳୟ ପକ୍ଷରୁ ଆଇଆଇଟି ଭୁବନେଶ୍ୱରକୁ ଅନୁମତି ଦିଆଯାଇଥିଲା ।

Get real time updates directly on you device, subscribe now.