fbpx

ଶୁଖି ଯାଉଛି ଜୀବନ ରେଖା: ଦୁଇଟି ପର୍ଯ୍ୟାୟରେ କ୍ଷେତ୍ର ପରିଦର୍ଶନ କରିବେ ଟ୍ରିବ୍ୟୁନାଲ

ନୂଆଦିଲ୍ଲୀ/ଭୁବନେଶ୍ୱର, ୨୫ା୩(ଭାସ୍କର ନ୍ୟୁଜ): ଛତିଶଗଡ଼ ସରକାର ମହାନଦୀର ଉପରମୁଣ୍ଡରେ ମାଳମାଳ ବ୍ୟାରେଜ ନିର୍ମାଣ କରିବା ଫଳରେ ଓଡ଼ିଶାରେ ମହାନଦୀ ସମ୍ପୂର୍ଣ୍ଣ ଶୁଖିଲା ପଡ଼ିଛି। ଫଳରେ ହୀରାକୁଦର ଜଳସ୍ତର କମିବାରେ ଲାଗିଛି। ଏହାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ
ପ୍ରକାଶ ପାଇଛି। ଏକ୍ଷେତ୍ରରେ ଏହି ସମସ୍ୟାର ସମାଧାନ ପାଇଁ ଗଠନ କରାଯାଇଥିବା ମହାନଦୀ ଟ୍ରିବ୍ୟୁନାଲ କର୍ତ୍ତୃପକ୍ଷ ଛତିଶଗଡ଼ ଯାଇ କ୍ଷେତ୍ର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଦୁଇଟି ପର୍ଯ୍ୟାୟରେ ଟ୍ରିବ୍ୟୁନାଲ ଛତିଶଗଡ଼ ଯାଇ ସ୍ଥିତି ପରଖିବେ। ତେବେ ପ୍ରଥମ ପର୍ଯ୍ୟାୟରେ ସେ
ଆସନ୍ତା ଏପ୍ରିଲ ୧୭ରୁ ୨୧ ତାରିଖ ପର୍ଯ୍ୟନ୍ତ କ୍ଷେତ୍ର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଛି ।

ଛତିଶଗଡ଼ ମହାନଦୀ ଅବବାହିକା ଉପର ଅଞ୍ଚଳରୁ ମଧ୍ୟ ସେ ପରିଦର୍ଶନ କରିବେ । ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ ୨୯ରୁ ମେ ୩ ତାରିଖ ଯାଏଁ ମହାନଦୀର ଅବବାହିକା ଅଞ୍ଚଳରୁ ତଳିଆ ଅଞ୍ଚଳ ପର୍ଯ୍ୟନ୍ତ ପରିଦର୍ଶନ କରିବେ। ଆସନ୍ତା ଏପ୍ରିଲ ୧୭ରେ ଛତିଶଗଡ଼ରେ ଟ୍ରିବ୍ୟୁନାଲ ଶୁଣାଣି କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିବା ସୂଚନା ମିଳିଛି। ତେବେ ମହାନଦୀ ଓଡ଼ିଶାର ଜୀବନରେଖା ହୋଇଥିବା ବେଳେ ହୀରାକୁଦରେ ଉତ୍କଟ ପାଣି ସମସ୍ୟାକୁ ନେଇ ବିଭିନ୍ନ ମହଲରେ ଗଭୀର ଉଦ୍‌ବେଗ ପ୍ରକାଶ ପାଇଛି। ମହାନଦୀ ଶୁଖିଯିବା ଫଳରେ ୧୪ରୁ ୧୫ ଜିଲ୍ଲା କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି । ହୀରାକୁଦରେ ଏବେ ଜଳସ୍ତର ୬୧୬.୬୯ ଫୁଟ ରହିଛି ।

ଗତବର୍ଷ ଏହି ସମୟରେ ଏହା ୬୨୧.୫ ଫୁଟ ରହିଥିଲା। ଚାରି ଦିନ ତଳେ ହୀରାକୁଦର ଜଳସ୍ତର ୬୧୭.୫୧ ଫୁଟ ଥିବାବେଳେ ଗୋଟିଏ ଦିନରେ ଗୋଟିଏ ଫୁଟ କମିଯାଇଛି । ଯଦି ଏହି ସ୍ତର ୬୦୦ ଫୁଟରେ ପହଞ୍ଚେ ତେବେ ଲୋକଙ୍କୁ ପିଇବା ପାଣି ମିଳିବା କାଠିକର ପାଠ ହୋଇପଡ଼ିବ । ଏଥିସହ ଚାଷୀ ଓ ବିଜୁଳି ଉତ୍ପାଦନ ଠପ୍ ହୋଇ ପଡ଼ିବାର ସମ୍ଭାବନା ରହିଛି । ପୂର୍ବରୁ ହୀରାକୁଦକୁ ୧୨ ହଜାରରୁ ୧୫ ହଜାର କ୍ୟୁସେକ୍ ଜଳ ଆସୁଥିବା ବେଳେ ଏବେ ମାତ୍ର ୪୮୦ କ୍ୟୁସେକ୍ ପାଣି ଆସୁଛି । ଏହି ସମସ୍ୟାର ସମାଧାନ ପାଇଁ ଦୀର୍ଘ ୭ ବର୍ଷ ହେବ ଟ୍ରିବ୍ୟୁନାଲରେ ଶୁଣାଣି ଚାଲିଥିଲେ ମଧ୍ୟ ଏହାର କୌଣସି ସମାଧାନ ହୋଇପାରି ନାହିଁ । ଏପରିକି ଟ୍ରିବ୍ୟୁନାଲ ରାୟକୁ ଅନାଇ ଅନାଇ ଓଡ଼ିଶା ସରକାର ହତାସ ହୋଇ ପଡ଼ିଲେଣି । ଛତିଶଗଡ଼ର ମନମୁଖୀ ବ୍ୟାରେଜ ନିର୍ମାଣ ଓଡ଼ିଶା ପାଇଁ କାଳ ପାଲଟିଛି । ଯଦି ଏପରି ସ୍ଥିତି ଜାରି ରହେ ତେବେ ଜୁନ୍ ମାସରେ ହୀରାକୁଦର ସ୍ଥିତି କ’ଣ ରହିବ ତାକୁ ନେଇ ବିଭିନ୍ନ ମହଲରେ ଚିନ୍ତାପ୍ରକଟ କରାଯାଇଛି । ଅନ୍ୟପକ୍ଷରେ ଓଡ଼ିଶା ସରକାର ମଧ୍ୟ ମହାନଦୀ ଉପରମୁଣ୍ଡରେ ବ୍ୟାରେଜ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ବି ତାହା କାର୍ଯ୍ୟକାରୀ ହୋଇନଥିବାରୁ ଛତିଶଗଡ଼ ଏହାର ମନମାନୀ ଚଳାଇଥିବା ଅଭିଯୋଗ ଉଠିଛି ।

Get real time updates directly on you device, subscribe now.