fbpx

India TB-2023: ଓଡିଶା ପାଇଁ ଗୌରବର ବିଷୟ, ଯକ୍ଷ୍ମା ନିରାକରଣରେ ରାଜ୍ୟ ଦ୍ୱିତୀୟ ସ୍ଥାନରେ

ଭୁବନେଶ୍ୱର: ଯକ୍ଷ୍ମା ରୋଗର ନିରାକରଣ ପାଇଁ ବିଭିନ୍ନ ପ୍ରକାର ଚେଷ୍ଟା ଜାରି ରଖିଛି ସାରା ଭାରତ । ନିଜ ନିଜ କ୍ଷେତ୍ରରେ ରାଜ୍ୟବାସୀଙ୍କୁ ଏ ନେଇ ସତର୍କ ଏବଂ ସଚେତନ କରିବା ପାଇଁ ପ୍ରୟାସ କରୁଛନ୍ତି ପ୍ରଶାସନ । ତେବେ ଏହି ପ୍ରଚେଷ୍ଟାରେ ଓଡିଶାକୁ ଏକ ବିରାଟ ସଫଳତା ହାସଲ ହୋଇଛି । ଯକ୍ଷ୍ମା ନିରାକରଣରେ ଓଡିଶା ଦେଶର ସମସ୍ତ ରାଜ୍ୟଗୁଡିକ ମଧ୍ୟରୁ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ତେଣୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ କର୍ତ୍ତୃପକ୍ଷ ଏବଂ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଯାଇଛି ।

୨୦୨୨ରେ ଟିବି ରୋଗୀଙ୍କ ତଥ୍ୟ ଉପରେ ଆଧାରିତ ଇଣ୍ଡିଆ ଟିବି ରିପୋର୍ଟ-୨୦୨୩ ପ୍ରକାଶ ପାଇଛି । ଏହି ତାଲିକାରେ ଓଡିଶା ଦ୍ୱିତୀୟ ରାଜ୍ୟ ଭାବରେ ଯକ୍ଷ୍ମା ନିରାକରଣରେ ରେପର୍ଡ ସୃଷ୍ଟି କରିଛି । ତେବେ ୫୦ ଲକ୍ଷ ଜନସଂଖ୍ୟା ଥିବା ହିମାଚଳ ପ୍ରଦେଶ ଏହି ତାଲିକାର ଶୀର୍ଷରେ ରହିଛି । ଏହାପରେ ଦ୍ୱିତୀୟରେ ଓଡିଶା, ତୃତୀୟରେ ତେଲେଙ୍ଗାନା ଏବଂ ଚତୁର୍ଥରେ ଜମ୍ମୁ କାଶ୍ମୀର ରହିଥିବା ବେଳେ କେରଳ ପଞ୍ଚମ ସ୍ଥାନ ହାସଲ କରିଛି । ତେବେ ଏହା ପ୍ରଥମ ଥର ନୁହେଁ, ଲଗାତାର କିଛି ବର୍ଷରୁ ଯକ୍ଷ୍ମା ନିରାକରଣରେ ଓଡିଶା ସପଳତାର ଶିଖରରେ ରହି ଆସୁଛି । ଏହାପୂର୍ବରୁ ଓଡିଶା ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଥିଲା । ତେବେ ଏହି ସଫଳତା ପରେ ନିରାକରଣରେ ଆଉ ପାଦେ ଆଗେଇବାକୁ ଚେଷ୍ଟା କରୁଛି ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ । ୨୦୨୫ ସୁଦ୍ଧା ସାରା ରାଜ୍ୟକୁ ଯକ୍ଷ୍ମାମୁକ୍ତ କରିବା ପାଇଁ ଦୃଢ ପଦକ୍ଷେପ ନେବାକୁ ଯାଉଛନ୍ତି ରାଜ୍ୟ ସରକାର ।

ବାରଣାସୀରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପାଳନ ହୋଇଥିବା ବିଶ୍ୱ ଯକ୍ଷ୍ମା ଦିବସରେ ଓଡିଶାକୁ ଏହାର ସପଳତା ପାଇଁ ଭୂୟସୀ ପ୍ରଶଂସା ମିଳିଛି । ଏଥିରେ ପୁରୀକୁ ସିଲଭର ଏବଂ ସମ୍ବଲପୁରକୁ ବ୍ରୋଞ୍ଜ ମେଡାଲ ପୁରସ୍କାର ପ୍ରଦାନ କରାଯାଇଛି । ରୋଗର ନିରାକରଣ କ୍ଷେତ୍ରରେ ଉତ୍ତମ ପଦକ୍ଷେପ ଯୋଗୁଁ କେନ୍ଦ୍ର ସରକାର ଓଡିଶାକୁ ପୁରସ୍କୃତ କରିଛନ୍ତି । ସୂଚନା ଅନୁସାରେ, ୨୦୨୨ ମସିହାରେ ସରକାରୀ ହସ୍ପିଟାଲରେ ୫,୩୯୬ ଏବଂ ଘରୋଇ ହସ୍ପିଟାଲରେ ୯,୯୭୯ ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ରୋଗୀଙ୍କ ଅନୁସାରେ ସୁସ୍ଥ ସଂଖ୍ୟା ୮୦%ରେ ରହିଥିବା ଜାଣିବାକୁ ମିଳିଛି ।

Get real time updates directly on you device, subscribe now.