ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେଙ୍କୁ କରାଯାଇଛି ହତ୍ୟା? ବାର୍ଥ ଡେ ପାର୍ଟି ଖୋଲିବ ଗୁମର

ନୂଆଦିଲ୍ଲୀ: ମନୋରଞ୍ଜନଧର୍ମୀ ଦୁନିଆରୁ ଆଜି ଏକ ଦୁଃଖଦ ଖବର ଆସିଛି । ଭୋଜପୂରୀ ଅଭିନେତ୍ରୀ ଆକାଂକ୍ଷା ଦୁବେ ଆଜି ଆତ୍ମହତ୍ୟା କରିଛନ୍ତି । ଦର୍ଶକଙ୍କୁ ନିଜର ଅଭିନୟରେ ବାନ୍ଧି ରଖିଥିବା ଆକାଂକ୍ଷା ମାତ୍ର ୨୫ ବର୍ଷ ବୟସରେ ଦୁନିଆକୁ ଅଲବିଦା ଜଣାଇଛନ୍ତି । ଉତ୍ତରପ୍ରଦେଶର ବନାରସର ଏକ ହୋଟେଲରୁ ଅଭିନେତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଆକାଂକ୍ଷାଙ୍କ ମୃତ୍ୟୁକୁ ନେଇ ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।

ତେବେ ଆକାଂକ୍ଷାଙ୍କ ଅଚାନକ ମୃତ୍ୟୁକୁ ନେଇ ଏବେ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଇନଷ୍ଟାଗ୍ରାମରେ ଲାଇଭ୍ ଆସିଥିଲେ ଆକାଂକ୍ଷା । ଏହାପରେ କ’ଣ ଏମିତି ଘଟିଲା ସେ ସେ ଏମିତି ଚରମ ନିଷ୍ପତ୍ତି ନେଲେ? ତେବେ ଏହା ମଧ୍ୟରେ ପୋଲିସ ଶବକୁ ପୋଷ୍ଟ ମର୍ଟମ ପାଇଁ ପଠାଇଥିବା ବେଳେ ଫରେନସିକ୍ ଟିମ୍ ଯାଞ୍ଚ କରି ସାକ୍ଷ୍ୟ ଯୋଗାଡ଼ରେ ଲାଗି ପଡ଼ିଛି ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆକାଂକ୍ଷା ସୁଇସାଇଡ୍ କରିଥିବା ରୁମ ଭିତରପଟୁ ବନ୍ଦ ଥିଲା । ମାତ୍ର ଓଢ଼ଣୀ ସହିତ ବେଡରେ ବସିଥିବା ଅବସ୍ଥାରେ ଶବ ମିଳିଥିଲା । ଏହା ନିଶ୍ଚିତ ଭାବେ ଯାଞ୍ଚ ପରେ ଜଣାପଡ଼ିବ । ମାର୍ଚ୍ଚ ୨୫ ରାତି ୮ଟା ୩୦ରେ ଆକାଂକ୍ଷା ହୋଟେଲ ବାହାରକୁ ଜନ୍ମଦିନ ପାର୍ଟିରେ ସାମିଲ ହେବାକୁ ଯାଇଥିଲେ । ପରେ ବିଳମ୍ବିତ ରାତି ପାଖାପାଖି ୧.୫୫ ସମୟରେ ସେ ହୋଟେଲକୁ ଫେରିଥିଲେ । ଏହାପରେ ସେ ତାଙ୍କର କେୟାର ଟେକରଙ୍କୁ ରୁମର ଚାବି ମାଗିଥିଲେ । ଏହାପରେ ସେ ଚାବି ନେଇ ନିଜ ରୁମକୁ ଚାଲିଯାଇଥିଲେ ।

ତେବେ ଏହା ମଧ୍ୟରେ ଜଣେ ପୋଲିସ ଅଧିକାରୀ ଏକ ବଡ଼ ବୟାନ ଦେଇଛନ୍ତି । ପାର୍ଟି ସରିବା ପରେ ଅଭିନେତ୍ରୀଙ୍କୁ ଜଣେ ଯୁବକ ଛାଡ଼ିବାକୁ ଆସି ୧୭ ମିନିଟ ପର୍ଯ୍ୟନ୍ତ ରହିଥିଲେ । ରାତି ୨.୨୫ରେ ଆକାଂକ୍ଷା ଇନଷ୍ଟାରେ ଲାଇଭ୍ ଆସିଥିଲେ । ପାର୍ଟିରେ କେଉଁମାନେ ସାମିଲ ଥିଲେ, ସେଠାରେ ଏପରି କ’ଣ ଘଟିଲା ଯେ ସେ ଆତ୍ମହତ୍ୟା ନିଷ୍ପତ୍ତି ନେଲେ? ଏପରିକି ତାଙ୍କୁ ଛାଡ଼ିବାକୁ ଆସିଥିବା ଯୁବକ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥାଇପାରେ । ଆତ୍ମହତ୍ୟା କରିବା ପାଇଁ ଆକାଂକ୍ଷାଙ୍କୁ କିଏ ବାଧ୍ୟ କରିଥିଲା କି, ଏହା ସବୁ ତଦନ୍ତ ପରେ ଜଣାପଡ଼ିବ ।