ସାର୍ବଭୌମତ୍ୱକୁ ସମ୍ମାନ ଦିଅ: ଏସସିଓ ବୈଠକରେ ଚୀନ୍ ଓ ପାକିସ୍ତାନକୁ ନାଲି ଆଖି ଦେଖାଇଲେ ଅଜିତ ଡୋଭାଲ

ନୂଆଦିଲ୍ଲୀ: ବୁଧବାର ଦିନ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ର ଶୀର୍ଷ ସୁରକ୍ଷା ଅଧିକାରୀଙ୍କ ଏକ ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକରେ ଦୁଇ ପଡ଼ୋଶୀ ଚୀନ୍ ଏବଂ ପାକିସ୍ତାନ ସହିତ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ଉପସ୍ଥିତ ଥିଲେ। ଏହି ଅବସରରେ ଅଜିତ ଡୋଭାଲ ଦୁଇ ପଡୋଶୀଙ୍କର ଖୁବ ସମାଲୋଚନା କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ଏସସିଓ ଗୋଷ୍ଠୀର ସଦସ୍ୟମାନେ ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ ଦେବା ଉଚିତ ଏବଂ ପଡୋଶୀ ଅଞ୍ଚଳରେ ଏକପାଖିଆ ସାମରିକ କାର୍ଯ୍ୟକଳାପ କରିବା ଉଚିତ ନୁହେଁ। ତେବେ ତାଙ୍କର ଏହି ମନ୍ତବ୍ୟ ସିଧାସଳଖ ଚୀନ୍ ଏବଂ ପାକିସ୍ତାନ ପାଇଁ ଥିଲା।

ସୀମାରେ ଚୀନ୍ ଏବଂ ପାକିସ୍ତାନ ଦେଇଥିବା ଉତ୍ତେଜନା ମଧ୍ୟରେ ଡୋଭାଲଙ୍କ ଏହି ମନ୍ତବ୍ୟ ଆସିଛି। ଭାରତ ସୀମାରେ ଚୀନ୍ ଏବଂ ପାକିସ୍ତାନ ଅନେକ ସମୟରେ କିଛି ନା କିଛି କାର୍ଯ୍ୟ ଜାରି ରଖିଛନ୍ତି, ଯେଉଁ କାରଣରୁ ଦୁଇ ଦେଶ ମଧ୍ୟରେ ତିକ୍ତତା ପରିସ୍ଥିତି ଜାରି ରହିଛି। ଏହି ବୈଠକରେ ଋଷର ସୁରକ୍ଷା ପରିଷଦର ସଚିବ ନିକୋଲାଇ ପାଟ୍ରୁଶେଭ, କାଜାଖସ୍ତାନ, କିର୍ଗିଜସ୍ଥାନ, ତାଜିକିସ୍ତାନ ଏବଂ ଉଜବେକିସ୍ତାନର ବରିଷ୍ଠ ଅଧିକାରୀ ତଥା ଏସସିଓର ଆଞ୍ଚଳିକ ଆତଙ୍କବାଦ ବିରୋଧୀ ସଂରଚନା (RATS) ର ପ୍ରତିନିଧୀମାନେ ଯୋଗ ଦେଇଥିଲେ। ଏହି ସଭାରେ ଚୀନ୍ ଏବଂ ପାକିସ୍ତାନର ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

ଏନଏସଏ ଅଜିତ ଡୋଭାଲ କହିଛନ୍ତି ଯେ ଏସସିଓ ଚାର୍ଟରର ଲକ୍ଷ୍ୟ ଏବଂ ଦୂରଦୃଷ୍ଟି ସଦସ୍ୟ ଦେଶକୁ ଆଗକୁ ବଢାଇପାରେ। ତେବେ ଏହି ସମୟରେ ଚୀନ୍‌ର ନାମ ନଧରି ଡୋଭାଲ କହିଛନ୍ତି ଯେ ସାର୍ବଭୌମତ୍ୱ, ଆଞ୍ଚଳିକ ଅଖଣ୍ଡତା ରକ୍ଷା କରିବାକୁ, ବଳ ପ୍ରୟୋଗ ନକରିବାକୁ କିମ୍ବା ଆନ୍ତର୍ଜାତୀୟ ସମ୍ପର୍କରେ ଏହାର ବ୍ୟବହାର ହେବାର ଆଶଙ୍କା ତଥା ଏକପାଖିଆ ସାମରିକ ଉନ୍ନତି ପାଇଁ ଚାର୍ଟରେ ସଦସ୍ୟ ରାଷ୍ଟ୍ରମାନଙ୍କୁ ଆହ୍ୱାନ କରିଥିଲେ।

ତେବେ ଏହି ବୈଠକରେ ଡୋଭାଲଙ୍କ ବିବୃତ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି କାରଣ ଗତ ତିନିବର୍ଷ ଧରି ଲଦାଖରେ ଥିବା LAC ଦୁଇ ଦେଶ ମଧ୍ୟରେ ତିକ୍ତ ସମ୍ପର୍କ ରଖିଛି। ଜୁନ୍ ୨୦୨୦ ରେ, ଗଲୱାନ୍ ଉପତ୍ୟକାରେ ଦୁଇ ଦେଶର ସୈନିକଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା ଯେଉଁଥିରେ ୨୦ ଜଣ ଭାରତୀୟ ସୈନିକ ସହିଦ ହୋଇଥିଲେ। ଏଥି ସହିତ ଚୀନ୍ ମୃତ୍ୟୁବରଣ କରିଥିବା ସୈନିକଙ୍କ ସଂଖ୍ୟା ସମ୍ପର୍କରେ ସୂଚନା ଦେଇ ନାହିଁ। ସେବେଠାରୁ LAC ଉପରେ ଦୁଇ ଦେଶ ମଧ୍ୟରେ ଅନେକ ଥର ସଂଘର୍ଷ ହୋଇଛି।

ସେହିପରି ପାକିସ୍ତାନର ନାଁ ନନେଇ ଡୋଭାଲ କହିଛନ୍ତି ଯେ ବିଶ୍ୱ ଶାନ୍ତି ଏବଂ ନିରାପତ୍ତା ପାଇଁ ଆତଙ୍କବାଦ ଏବଂ ଏହାର ଆର୍ଥିକ ସହାୟତା ହେଉଛି ଅନ୍ୟତମ। ଜାତିସଂଘ ସୁରକ୍ଷା ପରିଷଦ ରିଜୋଲୁସନ ତଥା ଆତଙ୍କବାଦ ନିରୋଧୀ ସହଯୋଗ ପ୍ରୋଟୋକଲ ସମେତ ଅନ୍ୟାନ୍ୟ ଦେଶ ବିଶ୍ୱର ଆତଙ୍କବାଦୀ ସଂସ୍ଥା ଉପରେ କଟକଣା ଲାଗୁ କରିବାକୁ ସେ କହିଛନ୍ତି। ତେବେ ଚଳିତ ବର୍ଷ ଭାରତ ଜି-୨୦ ସମ୍ମିଳନୀର ସଭାପତି କରୁଥିବା ବେଳେ ଏପ୍ରିଲ ୨୭-୨୯ ମଧ୍ୟରେ ଦିଲ୍ଲୀରେ SCO ପ୍ରତିରକ୍ଷା ମନ୍ତ୍ରୀ ଏବଂ ମେ ୪-୫ ମଧ୍ୟରେ ଗୋଆରେ ବୈଦେଶିକ ମନ୍ତ୍ରୀ ବୈଠକ ଆୟୋଜନ କରିବାକୁ ମଧ୍ୟ ସ୍ଥିର ହୋଇଛି।