fbpx

ଜେଲ ଶୌଚାଳୟରେ ଝୁଲିଗଲେ କଏଦୀ: ମାନସିକ ରୋଗର ଚାଲିଥିଲା ଚିକିତ୍ସା

ବୌଦ୍ଧ: ବୌଦ୍ଧ ସ୍ୱତନ୍ତ୍ର ଉପ-କାରାଗାରରେ ଦେଖିବାକୁ ମିଳିଛି ଗୋବିନ୍ଦ ସାହୁ ମାମଲାର ପୁନରାବୃତ୍ତି । ଜେଲ ପରିସରରେ ପୁଣି ଜଣେ କଏଦୀ କରିଛନ୍ତି ଆତ୍ମହତ୍ୟା । କାରାଗାରର ଶୌଚାଳୟ ଭିତରୁ କଏଦୀଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଅଧ ରାତିରେ ନିଜ ଗାମୁଛାରେ ଝୁଲି ଆତ୍ମହତ୍ୟା କରିଛନ୍ତି ଏହି କଏଦୀ । ତେବେ ପ୍ରଥମେ ଗୋବିନ୍ଦ ସାହୁ ଏବଂ ବର୍ତ୍ତମାନ ଏହି ଘଟଣା ପୋଲିସର ବ୍ୟବସ୍ଥା ଉପରେ ଆଙ୍ଗୁଠି ଉଠାଇଛି ।

ସୂଚନା ଅନୁସାରେ, ବୌଦ୍ଧ ସ୍ୱତନ୍ତ୍ର ଉପ-କାରାଗାରରେ ଜଣେ କଏଦୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତକ ଜଣକ ଜମଘାଟି ଗାଁର ରବିନ୍ଦ୍ର ମେହେର ବୋଲି ଜାଣିବାକୁ ମିଳିଛି । ଗତକାଲି ରାତ୍ରିଭୋଜନ କରିବା ପରେ ସେ ଶୌଚାଳୟକୁ ଯାଇଥିଲେ । କିନ୍ତୁ ଦୀର୍ଘ ସମୟ ସେଠାରୁ ନ ଫେରିବାରୁ ତାଙ୍କୁ ଖୋଜାଖୋଜି ଆରମ୍ଭ ହୋଇଥିଲା । ପରେ ଶୌଚାଳୟ ଭିତରେ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ନିଜ ଗାମୁଛାରେ ଝୁଲନ୍ତା ଅବସ୍ଥାରେ ତାଙ୍କୁ ଉଦ୍ଧାର କରିଛି ପୋଲିସ । ୨୦୧୫ରେ ପରିବାରର ୨ ଜଣ ସଦସ୍ୟଙ୍କୁ ହତ୍ୟା କରି ସେ ଆଜୀବନ କାରାଦଣ୍ଡ ଭୋଗୁଥିବା ବେଳେ ଆଜି ଏପରି ଏକ ଚରମ ପଦକ୍ଷେପ ନେଇଛନ୍ତି । ତେବେ ୨୦୧୭ ମସିହାରୁ ରବିନ୍ଦ୍ରଙ୍କର ମାନସିକ ରୋଗ ପାଇଁ ଚିକିତ୍ସା ଚାଲୁଥିବା ଜାଣିବାକୁ ମିଳିଛି ।

ଏହାପୂର୍ବରୁ ଡିସେମ୍ବର ୨୯ ତାରିଖରେ ମଧ୍ୟ ଏଭଳି ଏକ ଘଟଣା ଦେଖିଥିଲା ଓଡିଶା । ବହୁଚର୍ଚ୍ଚିତ ମମିତା ମର୍ଡର କେସର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲ ପରିସର ଭିତରେ ଆତ୍ମହତ୍ୟା କରିଥିଲା । କଣ୍ଟାବାଞ୍ଜି ଜେଲ ରୋଷେଇ ଘର ପଛରେ ଗାମୁଛାରେ ଝୁଲି ପ୍ରାଣ ହାରିଥିଲା ଗୋବିନ୍ଦ । ତେବେ ଓଡିଶା ପୋଲିସ ଏତେ ସଜାଗ ଥାଇ ଏଭଳି ୨ଟି ଘଟଣା ସାରା ଡିପାର୍ଟମେଣ୍ଟ ଉପରେ ପ୍ରଶ୍ନ ଉଠାଇଛି ।

Get real time updates directly on you device, subscribe now.