fbpx

ହନୁମାନ ଜୟନ୍ତୀ: ସମ୍ବଲପୁରରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଅନୁଷ୍ଠିତ ହେବ

ଭୁବନେଶ୍ୱର: ପବିତ୍ର ହନୁମାନ ଜୟନ୍ତୀ ଅବସରରେ ଆସନ୍ତାକାଲି ସମ୍ବଲପୁରରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳ ଅନନ୍ୟା ଦାସ ସୂଚନା ଦେଇଛନ୍ତି। ସହରର ବିଭିନ୍ନ କମିଟି ସହିତ ଆଲୋଚନା ଫଳପ୍ରଦ ହେବାପରେ ସମସ୍ତଙ୍କ ସହମତିକୁ ନେଇ ଏହି ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲାପାଳ କହିଛନ୍ତି। ହନୁମାନ ଜୟନ୍ତୀ ଅବସରରେ ଆସନ୍ତାକାଲି ସହରର ବିଭିନ୍ନ ସ୍ଥାନରୁ ସନ୍ଧ୍ୟା ୭ଟା ସମୟରେ ଏହି ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାଗୁଡ଼ିକ ବାହାରିବ ବୋଲି ଜିଲ୍ଲାପାଳ କହିଛନ୍ତି। ଏଥିରେ ସମସ୍ତେ ସହଯୋଗ କରିବେ ଏବଂ ଏହାକୁ ଦୃଷ୍ଟିରେ ରଖି ପୋଲିସ୍‍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜିଲ୍ଲାପାଳ କହିଛନ୍ତି।

ଅନ୍ୟପକ୍ଷରେ ଗତକାଲି ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁର ଧନୁପାଲୀ ଛକରୁ ବାଇକ୍‍ ର‌୍ୟାଲି ଯିବା ସମୟରେ ପଥର ମାଡ଼ ହୋଇ ଗଣ୍ଡଗୋଳ ହୋଇଥିବା ଯୋଗୁଁ ଆଜି ସକାଳ ୧୦ଟାରୁ ଆସନ୍ତା ୪୮ ଘଣ୍ଟା ଲାଗି ଜିଲ୍ଲାରେ ଇଣ୍ଟରନେଟ୍‍ ସେବା ବନ୍ଦ ରଖାଯାଇଥିବା ଜଣାପଡ଼ିଛି । ଫେସବୁକ୍‍, ଇନ୍‍ଷ୍ଟାଗ୍ରାମ ଓ ଟୁଇଟର ଆଦିରେ ପୋଷ୍ଟ କରିବା ଉପରେ କଟକଣା ଜାରି କରାଯାଇଛି । ପ୍ରଶାସନ ପକ୍ଷରୁ ଘଟଣାସ୍ଥଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୪୪ ଧାରା ଜାରି କରାଯାଇଛି । ସମ୍ବଲପୁର ହିଂସା ଘଟଣାକୁ ଦୃଷ୍ଟିରେ ରଖି ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ କୋରାପୁଟ ଜିଲ୍ଲା ଜୟପୁର ସବ୍‍ଡିଭିଜନ୍‍ରେ ମଧ୍ୟ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିବା ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।

 

Get real time updates directly on you device, subscribe now.