ଜୁଲାଇ ୧ରୁ ଆରମ୍ଭ ହେବ ଅମରନାଥ ଯାତ୍ରା: ଏପ୍ରିଲ ୧୭ରୁ ଆରମ୍ଭ ହେବ ଅନଲାଇନ୍ ଓ ଅଫଲାଇନ୍ ରେଜିଷ୍ଟ୍ରେସନ

ନୂଆଦିଲ୍ଲୀ: ଅମନାଥ ଯାତ୍ରା ୨୦୨୩ ପ୍ରତୀକ୍ଷାରେ ରହିଥିବା ଶ୍ରଦ୍ଧାଳୁଙ୍କ ପାଇଁ ଏକ ଖୁସି ଖବର । ଅମରନାଥ ଯାତ୍ରା ପାଇଁ ଶିଡ୍ୟୁଲ ଜାରି କରାଯାଇଛି । ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜମ୍ମୁ କଶ୍ମୀରର ସୁରକ୍ଷାକୁ ନେଇ ସମୀକ୍ଷା କରିଥିଲେ । ଏହାପରେ ଯାତ୍ରା ଶୁଭାରମ୍ଭ ହେବା ନେଇ ଅନୁମାନ କରାଯାଉଥିଲା । ଶେଷରେ ଶ୍ରୀ ଅମରନାଥଙ୍କ ପବିତ୍ର ଗୁମ୍ଫାର ବାର୍ଷିକ ତୀର୍ଥଯାତ୍ରା ୨୦୨୩ର ପ୍ରସ୍ତୁତି ନେଇ ପ୍ରଶାସନ ପକ୍ଷରୁ ଅନ୍ତିମ ରୂପ ଦିଆଯାଇଛି ।

ଚନ୍ଦନବାଡ଼ି- ପବିତ୍ର ଗୁମ୍ଫା ରାସ୍ତାରୁ ମାର୍ଚ୍ଚ ମାସ ୨୦ ତାରିଖ ସୁଦ୍ଧା ବରଫ ହଟାଇବା କାର୍ଯ୍ୟ ସମାପ୍ତ ନେଇ ସୀମା ସଡ଼କ ସଂଗଠନ (ବ୍ରୋ)କୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ମୁତାବକ, ଏଥର ଦୈନିକ ୫୦୦ ଯାତ୍ରୀ ଯିବା ଆସିବା କରିବା ନେଇ ରାସ୍ତା ସୁବିଧା କରାଯିବ । ଚଳିତ ବର୍ଷ ୬୨ ଦିନ ପର୍ଯ୍ୟନ୍ତ ଅମରନାଥଙ୍କ ଯାତ୍ରା ଜାରି ରହିବ । ଆସନ୍ତା ଜୁଲାଇ ମାସ ୧ ତାରିଖରୁ ଯାତ୍ରା ଆରମ୍ଭ ହୋଇ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଏହି ଯାତ୍ରାକୁ ନେଇ ଜମ୍ମୁ କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି, ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ ଶ୍ରଦ୍ଧାଳୁଙ୍କର ସମସ୍ୟା ଦୂର କରିବା ଉପରେ ବିଶେଷ ପ୍ରାଧାନ୍ୟ ଦେଇଛନ୍ତି । ଏଥିସହିତ ଉଚ୍ଚମାନର ସ୍ୱାସ୍ଥ୍ୟସେବା ସହିତ ଅନ୍ୟାନ୍ୟ ଆବଶ୍ୟକତା ମଧ୍ୟ ସହଜରେ ଉପଲବ୍ଧ ହେବ । ତୀର୍ଥଯାତ୍ରା ଆରମ୍ଭ ହେବା ପୂର୍ବରୁ ସୂରସଞ୍ଚାର ସେବା ଆରମ୍ଭ କରାଯିବ । ଯାତ୍ରୀଙ୍କ ବାସସ୍ଥାନ, ବିଜୁଳି, ପାଣି, ସୁରକ୍ଷା ଓ ଅନ୍ୟ ସୁବିଧା ସୁନିଶ୍ଚିତ କରିବା ପାଇଁ ବିଭାଗ ପକ୍ଷରୁ କାର୍ଯ୍ୟ ଜାରି ରହିଛି ।