fbpx

UG-PG ପିଲା ପଢ଼ିବେ ରାମାୟଣ-ମହାଭାରତ: ମେଡିକାଲ ଛାତ୍ରଛାତ୍ରୀ ପଢ଼ିବେ ଯୋଗ, ଆୟୁର୍ବେଦ, UGC ଜାରି କଲା ନୋଟିସ

ନୂଆଦିଲ୍ଲୀ: ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଅନୁସାରେ କେନ୍ଦ୍ର ସରକାର ଦେଶର ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ପ୍ରୟାସ କରୁଛନ୍ତି । ତେବେ ଏଣିକି ମେଡିକାଲ ଛାତ୍ରଛାତ୍ରୀମାନେ ଆୟୁର୍ବେଦ, ଯୋଗ, ପ୍ରାକୃତିକ ଚିକିତ୍ସା, ୟୁନାନି, ସିଦ୍ଧ ଓ ହୋମିଓପାଥି ବିଷୟରେ ଶିକ୍ଷା ଗ୍ରହଣ କରିବେ । ସେହିପରି କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମରେ ରାମାୟଣ ଓ ମହାଭାରତ ବିଷୟକୁ ସାମିଲ କରାଯିବ ।

ତେବେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ଏ ବାବଦରେ ନୋଟିଫିକେସନ ଜାରି କରାଯାଇଛି । ଦେଶର ଉଚ୍ଚ ଶିକ୍ଷା କ୍ଷେତ୍ରରେ ଭାରତୀୟ ଜ୍ଞାନ ପ୍ରଣାଳୀକୁ ସାମିଲ କରିବା ନେଇ ୟୁଜିସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ପିଜି ଓ ୟୁଜି ପାଠ୍ୟକ୍ରମରେ ଆଡମିଶନ କରିଥିବା ଛାତ୍ରଛାତ୍ରୀଙ୍କ ଆଇକେଏସ ପ୍ରୋଗ୍ରାମରେ ଭାଗ ନେବାକୁ ପ୍ରୋତ୍ସାହିତ କରିବାକୁ ସମସ୍ତ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନକୁ ୟୁଜିସି ପକ୍ଷରୁ କୁହାଯାଇଛି ।

ୟୁଜିସି ନୋଟିସ ମୁତାବକ, ଯେଉଁ ଛାତ୍ରଛାତ୍ରୀମାନେ ମେଡିକାଲରେ ୟୁଜି ପ୍ରୋଗ୍ରାମରେ ନାମ ଲେଖାଇଥିବେ, ସେମାନେ ପ୍ରଥମ ବର୍ଷରେ ଇଣ୍ଡିଆନ ମେଡିକାଲ କାଉନସିଲର ଏକ କ୍ରେଟିଡ ପାଠ୍ୟକ୍ରମରେ ଭାଗ ନେଇ ପାରିବେ । ପିଲାମାନେ ଆୟୁର୍ବେଦ, ଯୋଗ, ପ୍ରାକୃତିକ ଚିକିତ୍ସା ବିଷୟରେ ଜ୍ଞାନ ଆହରଣ କରିପାରିବେ । ଚିକିତ୍ସା ଏକ ନିରନ୍ତର ପରମ୍ପରା ହୋଇଥିବା ବେଳେ ଏହା ଭାରତୀୟ ଜନସଂଖ୍ୟାର ସ୍ୱାସ୍ଥ୍ୟ ଆବଶ୍ୟକତା ପୂରଣ କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ଦ୍ୱିତୀୟ ବର୍ଷରେ ଛାତ୍ରଛାତ୍ରୀମନେ କୌଣସି ଏକ ସିଦ୍ଧାନ୍ତ ଓ ଅଭ୍ୟାସ ଆଧାରରେ ଦୁଇଟି ସେମିଷ୍ଟର କ୍ରେଡିଟ ପାଠ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ ।

କିଛି ମଡେଲ କୋର୍ସକୁ ବିଶ୍ୱବିଦ୍ୟାଳୟର ୟୁଜି ଓ ପିଜି ପାଠ୍ୟକ୍ରମରେ ସାମିଲ କରାଯାଇ ପାରିବ ବୋଲି କୁହାଯାଇଛି । ଭାରତୀୟ ସଭ୍ୟତାର ମୂଳଭୂତ ସାହିତ୍ୟ, ବୈଦିକ କର୍ପସ, ରାମାୟଣ, ମହାଭାରତକୁ ଏଥିରେ ସ୍ଥାନ ଦିଆଯାଇଛି । ବୈଦିକ କାଳଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରର ଭକ୍ତ ପରମ୍ପରା ପର୍ଯ୍ୟନ୍ତ, ଜୈନ ଓ ବୁଦ୍ଧଙ୍କ ସହିତ ଭାରତୀୟ ଦର୍ଶନର ମୂଳଭୂତ ଗ୍ରନ୍ଥକୁ ମଧ୍ୟ ସାମିଲ କରାଯାଇଛି । ବେଦାଙ୍ଗ ଓ ଭାରତୀୟ ଜ୍ଞାନ ପ୍ରଣାଳୀର ଅନ୍ୟ ଧାରା ଛଅ ବେଦାଙ୍ଗ- ଶିକ୍ଷା, ବ୍ୟାକରଣ, ଚନ୍ଦସ, ନିରୁକ୍ତ, ଜ୍ୟୋତିଷ ଓ କଳ୍ପକୁ ମଧ୍ୟ ଏଥିରେ ଯୋଡ଼ା ଯାଇଛି । ସେହିପରି ଭାରତୀୟ ଜ୍ଞାନ ପ୍ରଣାଳୀର ଅନ୍ୟ ଧାରା ଆୟୁର୍ବେଦ, ସ୍ଥାପତ୍ୟ, ନାଟ୍ୟଶାସ୍ତ୍ର, ଧର୍ମଶାସ୍ତ୍ର, ଅର୍ଥଶାସ୍ତ୍ର ମଧ୍ୟ ଏଥିରେ ସ୍ଥାନ ପାଇଛି ।

Get real time updates directly on you device, subscribe now.