fbpx

ସାଂସଦ ଅନୁଭବଙ୍କୁ ଝଟକା: ଷ୍ଟାର ପ୍ରଚାରକ ତାଲିକାରୁ ବାଦ୍ ପଡିଲେ ସୁପରଷ୍ଟାର

ଭୁବନେଶ୍ୱର: ଲୋକସଭା ସାଂସଦ ତଥା ଓଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତିଙ୍କୁ ଏକ ଶକ୍ତ ଝଟକା ଦେଇଛି ବିଜୁ ଜନତା ଦଳ । ଆଗକୁ ନିର୍ବାଚନ ଆସୁଥିବା ବେଳେ ଅନୁଭବଙ୍କ ପାଖରୁ ମୁହଁ ଫେରାଇ ନେଇଛି ବିଜେଡି । ଝାରସୁଗୁଡା ଉପନିର୍ବାଚନରେ ଅନୁଭବଙ୍କୁ ମିଳିଲାନି ଷ୍ଟାର ପ୍ରଚାରକର ଟ୍ୟାଗ । ବିଜୁ ଜନତା ଦଳ ପକ୍ଷରୁ ଝାରସୁଗୁଡା ବାଇ-ଇଲେକ୍ସନ ପାଇଁ ୪୦ ଜଣ ଷ୍ଟାର ପ୍ରଚାରକଙ୍କ ନାଁ ଘୋଷଣା ହୋଇଛି । କିନ୍ତୁ ଓଡିଶାର ସୁପରଷ୍ଟାର ତଥା ଏହି ଦଳର ଜଣେ ସାଂସଦ ହୋଇ ମଧ୍ୟ ଅନୁଭବ ମହାନ୍ତି ଏହି ତାଲିକାରୁ ସମ୍ପୂର୍ଣ୍ଣ ବାଦ୍ ପଡିଛନ୍ତି ।

ବିଜୁ ଜନତା ଦଳରେ ସାଂସଦ ଅନୁଭବଙ୍କ ଦବଦବା କମ୍ ହେଉଥିବା ଦେଖାଯାଉଛି । ଧିରେ ଧିରେ ରାଜନୀତିର ପଶା ପାଲିରେ ଛନ୍ଦି ହୋଇଯାଉଛନ୍ତି ସୁପରଷ୍ଟାର ଅନୁଭବ । ଆଗକୁ ଝାରସୁଗୁଡା ଉପନିର୍ବାଚନ ଥିବା ବେଳେ ଏଥିପାଇଁ ଷ୍ଟାର ପ୍ରଚାରକଙ୍କ ଘୋଷଣା କରିଛି ବିଜୁ ଜନତା ଦଳ । କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ଏହି ତାଲିକାରେ ଦଳର ଲୋକପ୍ରିୟ ନେତା ତଥା ଓଡିଆ ସିନେ ଜଗତର ସୁପରଷ୍ଟାର ଅନୁଭବ ମହାନ୍ତି ବାଦ୍ ପଡିଛନ୍ତି । ଦଳର ଏଭଳି ନିଷ୍ପତ୍ତି ଅନୁଭବଙ୍କୁ ଏକ ଝଟକା ଦେଇଛି । ତେବେ ଏହାର କାରଣ ଅନୁଭବଙ୍କ ପାରବାରିକ କଳହ ବୋଲି ଅନୁମାନ କରାଯାଉଛି । ପତ୍ନୀ ବର୍ଷାଙ୍କ ସହ ଚାଲିଥିବା କଳହ ବର୍ତ୍ତମାନ ତାଙ୍କ ରାଜନୀତି କ୍ୟାରିୟର ଉପରେ ପ୍ରଭାବ ପକାଉଥିବା ଚର୍ଚ୍ଚା ହେଉଛି । ବ୍ୟକ୍ତିଗତ ସମସ୍ୟାରୁ ଏହା ବର୍ତ୍ତମାନ ତାଙ୍କ ରାଜନୈତିକ ଭବିଷ୍ୟତ ଉପରେଏକ ବଡ ପ୍ରଶ୍ନବାଚୀ ଲଗାଇବାକୁ ଯାଉଛି ।

ସୂଚନା ଅନୁସାରେ, ଆସନ୍ତା ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡି ନିଜର ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ନାଁ ଘୋଷଣା କରିଛି । ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସମେତ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ଏବଂ ଅନ୍ୟାନ୍ୟ ଲୋକପ୍ରିୟ ମନ୍ତ୍ରୀ ଓ ବିଧାୟକଙ୍କୁ ସାମିଲ କରାଯାଇଛି । ଏହି ତାଲିକାରେ ଦେବୀ ପ୍ରାସଦ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ସାରଦା ପ୍ରସାଦ ନାୟକ, ନିରଞ୍ଜନ ପୂଜାରୀ, ଅଶୋକ ପଣ୍ଡା, ପଦ୍ମନାଭ ବେହେରା, ସୁଶାନ୍ତ ସିଂହ, ପ୍ରତାପ କେଶରୀ ଦେବ ଏବଂ ଅତନୁ ସବ୍ୟସାଚୀ ନାହକ, ଅରୁଣ ସାହୁ ଓ ପ୍ରତାପ ଜେନା ପ୍ରମୁଖ ସାମିଲ ହୋଇଛନ୍ତି । ଏହାବ୍ୟତୀତ ଆହୁରି ଅନେକ ମନ୍ତ୍ରୀ ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇତିବା ବେଳେ ସୁପରଷ୍ଟାର ଅନୁଭବ ବାଦ୍ ପଡିବା ନେଇ ବର୍ତ୍ତମାନ ଆଲୋଚନା ହେବାରେ ଲାଗିଛି ।

Get real time updates directly on you device, subscribe now.