fbpx

ନୂଆ ନିୟମ: ଏଣିକି ୯ ଘଣ୍ଟାରୁ ଅଧିକ ସମୟ ଟ୍ରେନ ଚଳାଇ ପାରିବେନି ଡ୍ରାଇଭର

ନୂଆଦିଲ୍ଲୀ: ରେଲୱେର ଡ୍ରାଇଭର ବା ଲୋକୋ ପାଇଲଟଙ୍କୁ ନେଇ ଏକ ବଡ ଘୋଷଣା କରାଯାଇଛି । ଏଣିକି ସେମାନଙ୍କ ଗାଡି ଚଳାଇବାର ସମୟ ଧାର୍ଯ୍ୟ କରାଯାଇଛି । ଦିନକୁ ସେମାନେ କେତେ ସମୟ ଗାଡି ଚଳାଇବେ ସେ ନେଇ ଏକ ବଡ ଘୋଷଣା କରିଛନ୍ତି ରେଲୱେ ବୋର୍ଡ । ତେବେ ଧାର୍ଯ୍ୟ ହୋଇଥିବା ସମୟରୁ ଅଧିକ ସମୟ ଚଳାଇବେ ନାହିଁ କୌଣସି ଡ୍ରାଇଭର । ସିଂହପୁର ରେଳ ଦୁର୍ଘଟରାକୁ ନଜରରେ ରଖି ଏପରି ଏକ ନିଷ୍ପତ୍ତି ନିଆଯାଇଛି ।

ରେଳ ମନ୍ତ୍ରାଳୟ ତରଫରୁ ସମସ୍ତ ଜୋନାଲ ରେଲୱେର ଜି.ଏମଙ୍କ ନାମରେ ଏକ ଚିଠି ଜାରି କରାଯାଇଛି । ଏଥିରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ, କୌଣସି ରନିଙ୍ଗ ଷ୍ଟାଫ ୯ ଘଣ୍ଟାରୁ ଅଧିକ ଡ୍ୟୁଟି କରିବେ ନାହିଁ । ରନିଙ୍ଗ ଷ୍ଟାଫର ସାଇନ୍ ଅନ୍ ଏବଂ ସାଇନ୍ ଅଫ୍ ର ସମୟ ୯ ଘଣ୍ଟାରୁ ଅଧିକ ହେବା ଉଚିତ ନୁହେଁ । ଯଦି ଅସ୍ୱାଭାବିକ ଅବସ୍ଥାରେ ଏହାଠାରୁ ଅଧିକ କର୍ତ୍ତବ୍ୟ କରିବାକୁ ପଡିବ, ତେବେ ଏହାକୁ ସର୍ବାଧିକ ଦୁଇ ଘଣ୍ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇ ପାରିବ । ଏପରି ପରିସ୍ଥିତିରେ ଡ୍ୟୁଟି ଶେଷ ହେବାର ଦୁଇ ଘଣ୍ଟା ପୂର୍ବରୁ କ୍ରୁ ମେମ୍ବରଙ୍କୁ ସୂଚନା ଦେବାକୁ ପଡିବ । ରେଲୱେର ଲୋକୋ ପାଇଲଟ କହିଛନ୍ତି ଯେ, ବର୍ତ୍ତମାନ ଟ୍ରେନ ଡ୍ରାଇଭରମାନଙ୍କର ଘୋର ଅଭାବ ରହିଛି । ଏଥିପାଇଁ ଡ୍ରାଇଭରମାନଙ୍କୁ ୧୪ ଘଣ୍ଟା ବା ଅଧିକ ପର୍ଯ୍ୟନ୍ତ ଟ୍ରେନ ଚଳାଇବାକୁ ପଡୁଛି । ଡ୍ୟୁଟି ସମୟ ଶେଷ ହେବା ପରେ ମଧ୍ୟ କାମ କରୁଥିବାରୁ ଅଧିକାଂଶ ସମୟରେ ଦୁର୍ଘଟଣା ପରିସ୍ଥିତି ସୃଷ୍ଟି ହେଉଛି ।

ସୂଚନା ମୁତାବକ, ଦକ୍ଷିଣ-ପୂର୍ବ ବିଳାସପୁର ରେଳ ଡିଭିଜନରେ ବୁଧବାର ସକାଳୁ ଏକ ଭୀଷଣ ଦୁର୍ଘଟଣା ଘଟିଯାଇଛି । ଦୁଇ ମାଲଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ଗୋଟିଏ ଟ୍ରେନର ଲୋକୋ ପାଇଲଟ ମଧ୍ୟ ପ୍ରାଣ ହରାଇଥିଲେ । ତେବେ ଲଗାତାର ୧୪ ଘଣ୍ଟା ଗାଡି ଚଳାଉଥିବାରୁ ସେହି ସମୟରେ ଡ୍ରାଇଭରଙ୍କ ଆଖି ଲାଗି ଯାଇଥିଲା । ଯାହା ଫଳରେ ଏଭଳି ଏକ ଦୁର୍ଘଟଣା ଘଟି ଯାଇଥିଲା ।

Get real time updates directly on you device, subscribe now.