fbpx

ଇ-ଯାନ ସଂଖ୍ୟା ବୃଦ୍ଧି ପାଇଁ ସବସିଡି ବଢାଇଲେ ସରକାର, ଜାଣନ୍ତୁ ଦୁଇ ଚକିଆ ବାହନରେ କେତେ ବଢିଛି

ଭୁବନେଶ୍ୱର: ବର୍ତ୍ତମାନ ପେଟ୍ରୋଲ ଦର ଆକାଶ ଛୁଆଁ ବେଳେ ଇ-ଯାନର ଚାହିଦା ବଢିବାରେ ଲାଗିଛି । ହେଲେ ଅନ୍ୟ ରାଜ୍ୟ ଅପେକ୍ଷା ଓଡିଶାରେ ଏହାର ଚାହିଦା କମ୍ ଥିବାରୁ ସରକାର ଏନେଇ ସବସିଡି ବଢାଇଛନ୍ତି । ସୋମବାର ଦିନ ରାଜ୍ୟ କ୍ୟବିନେଟ ଇ-ଯାନ ସବସିଡି ବଢାଇବା ନିଷ୍ପତ୍ତି ଉପରେ ମୋହର ମାରିବା ପରେ ଗତକାଲି ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଗେଜେଟ ବିଜ୍ଞପ୍ତି ପ୍ରକାଶ କରି ସବସିଡି ବୃଦ୍ଧି କରାଯାଇଛି ।

ସୂଚନା ଅନୁଯାୟୀ, ପୂର୍ବରୁ ସରକାର ଦୁଇ ଚକିଆ ଇ-ଯାନ ଉପରେ ୫ ହଜାର ଟଙ୍କା ସବସିଡି ଦେଉଥିବା ବେଳେ ଏବେ ୨୦ ହଜାର ଟଙ୍କା ସବସିଡି ଦେବାକୁ ଘୋଷଣା କରିଛନ୍ତି । ଗାଡିରେ ଲାଗିଥିବା ପ୍ରତି କିଲୋୱାଟ ବ୍ୟାଟେରି ପିଛା ୫ ହଜାର ଟଙ୍କା ହିସାବରେ ସବସିଡି ମିଳିବ । ସେହିପରି ତିନି ଚକିଆ ଯାନରେ ପୂର୍ବରୁ ୧୦ ହଜାର ସବସିଡି ଥିବା ବେଳେ ବର୍ତ୍ତମାନ ତାହା ପରିବର୍ତ୍ତିତ ହୋଇ ସରକାର ୩୦ ହଜାର ବଢାଇଛନ୍ତି ।

ଏହାବ୍ୟତୀତ ଚାରି ଚକିଆ ଇ-ଯାନ ଉପରେ ପୂର୍ବରୁ ସର୍ବାଧିକ ୫୦ ହଜାର ସବସିଡି ଥିବା ବେଳେ ଏବେ ତାହା ବୃଦ୍ଧି କରାଯାଇ ଦେଢ ଲକ୍ଷ ଟଙ୍କା କରାଯାଇଛି । ପ୍ରତି କିଲୋୱାଟ ବ୍ୟାଟେରୀ ପିଛା ୧୦ ହଜାର ଟଙ୍କା ସବସିଡି ରହିଛି । ଅର୍ଥାତ ଗାଡିରେ ଯେତେ କିଲୋୱାଟ ବ୍ୟାଟେରୀ ଲାଗିଥିବ ସେହି ଅନୁସାରେ ୧୦ ହଜାର ଟଙ୍କା ସବସିଡି ମିଳିବ । ଇ-ଯାନକୁ ସବସିଡି ଦେବା ପାଇଁ ୨୦୨୧ ମସିହାରୁ ଏହି ନିୟମ ପ୍ରଣୟନ ହୋଇଥିଲେ ମଧ୍ୟ ଏବେ ମାତ୍ର ୪.୪୮ ପ୍ରତିଶତ ଯାନ ପଞ୍ଜୀକୃତ ହୋଇଛି । ତେବେ ରାଜ୍ୟ ସରକାର ୨୦୨୫ ସୁଦ୍ଧା ଇ-ଯାନ ୨୦ ପ୍ରତିଶତ ବୃଦ୍ଧି ଆଶା ନେଇ ଏପରି ପଦକ୍ଷେପ ନେଇଛନ୍ତି ।

Get real time updates directly on you device, subscribe now.