fbpx

ମୁଖତାର ଅନସାରୀଙ୍କୁ ୧୦ ବର୍ଷ ଜେଲ: BJPର ପୂର୍ବତନ ବିଧାୟକ ଓ VHP ନେତାଙ୍କ ହତ୍ୟା ମାମଲା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାହୁବଳୀ ନେତା ତଥା ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଣି ହୋଇଛି । କୋର୍ଟ ତାଙ୍କୁ ଏହି ଦଣ୍ଡାଦେଶ ସହିତ ୫ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲାଗୁ କରିଛନ୍ତି । ଗାଜିପୁର ଏମପି-ଏମଏଲଏ କୋର୍ଟ ଗ୍ୟାଙ୍ଗଷ୍ଟରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଗ୍ୟାଙ୍ଗଷ୍ଟର ଆକ୍ଟ ମାମଲାରେ ଏହି ନିଷ୍ପତ୍ତି ନେଇଛନ୍ତି କୋର୍ଟ । ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ଶୁଣାଣି ପୂର୍ବରୁ କୋର୍ଟ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

ୟୁପିର ବହୁଚର୍ଚ୍ଚିତ କୃଷ୍ଣାନନ୍ଦ ରାୟ ହତ୍ୟାକାଣ୍ଡ ଓ ବ୍ୟବସାୟୀ ନନ୍ଦକିଶୋର ରୁଙ୍ଗଟାଙ୍କ ଅପହରଣ ଘଟଣାରେ ମୁଖତାର ଓ ତାଙ୍କ ଭାଇ ଅଫଜଲଙ୍କ ବିରୋଧରେ ଗ୍ୟାଙ୍ଗଷ୍ଟର ଆକ୍ଟରେ ମାମଲା ଦାୟର ହୋଇଥିଲା । ଏହି ମାମଲାରେ ୨୦୦୭ରେ ଦୁଇ ଭାଇ ଓ ସେମାନଙ୍କର ଭିଣୋଇ ଏଜାଜୁଲ ହକଙ୍କ ବିରୋଧରେ ମଧ୍ୟ ମାମଲା ଦାୟର ହୋଇଥିଲା । ଏହା ମଧ୍ୟରେ ଏଜାଜୁଲଙ୍କ ଦେହାନ୍ତ ହୋଇସାରିଥିବା ବେଳେ ଆଜି ଅଫଜଲଙ୍କ ବିରୋଧରେ ମଧ୍ୟ ରାୟ ଆସିବ । ଅଫଜଲ ଏବେ ସାଂସଦ ରହିଥିବା ବେଳେ ତାଙ୍କୁ ଯଦି ୨ ବର୍ଷରୁ ଅଧିକ ଜେଲ ହୁଏ ତେବେ ସେ ପଦ ହରାଇ ପାରନ୍ତି ।

ଗତ ୨୦୦୫ରେ ଗାଜିପୁରରେ ତତ୍କାଳୀନ ବିଜେପି ବିଧାୟକ କୃଷ୍ଣାନନ୍ଦଙ୍କ ସହିତ ୭ ଜଣଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡରେ ଦୁଇ ଭାଇ ମୁଖତାର ଓ ଅଫଜଲ ଅଭିଯୁକ୍ତ ରହିଥିଲେ । ଗତ ୧ ତାରିଖରେ ଏହି ମାମଲାର ଶୁଣାଣି ସମାପ୍ତ ହୋଇଥିଲା । କେବଳ ନିଷ୍ପତ୍ତି ଆସିବା ବାକି ଥିଲା । ୨୦୧୨ରେ ଗାଜିପୁରର ଏମପି-ଏମଏଲଏ କୋର୍ଟରେ ଟ୍ରାଏଲ ଆରମ୍ଭ ହୋଇଥିଲା । ସେହିପରି ୧୯୯୭ରେ କୋଇଲା ବେପାରୀ ଓ ଭିଏଚପି କୋଷାଧ୍ୟକ୍ଷ ନନ୍ଦକିଶୋରଙ୍କୁ ତାଙ୍କୁ ଘରୁ ଅପହରଣ କରିନେଇ ୫ କୋଟି ଟଙ୍କା ଦାବି କରାଯାଇଥିଲା । ପରିବାର ୧.୫ ଟଙ୍କା ଦେଇଥିଲେ ହେଁ ନନ୍ଦକିଶୋରଙ୍କୁ ହତ୍ୟା କରାଯାଇଥିଲା ।

Get real time updates directly on you device, subscribe now.