fbpx

ଡରାଉଛି ସମ୍ଭାବ୍ୟ ବାତ୍ୟା; ଓଡିଶାରେ ଲାଣ୍ଡଫଲ କରିବ କି ସାମୁଦ୍ରିକ ବାତ୍ୟା? ଗତିପଥକୁ ନେଇ ଭୟ

ଭୁବନେଶ୍ୱର: ଓଡିଶାରେ ବର୍ତ୍ତମାନ ସମ୍ଭାବ୍ୟ ବାତ୍ୟା ‘ମୋଚା’କୁ ନେଇ ବଢୁଛି ଭୟ । ୪ ବର୍ଷ ପୂର୍ବେ ପ୍ରଳୟଙ୍କାରୀ ବାତ୍ୟା ‘ଫନି’ର ତାଣ୍ଡବ ଏପର୍ଯ୍ୟନ୍ତ ରାଜ୍ୟବାସୀଙ୍କ ମନରୁ ଯାଇନି, ତା’ ଉପରେ ପୁଣି ଏହି ବାତ୍ୟା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ଏବେ ବାତ୍ୟା ହେବା ନେଇ ଏକ ପ୍ରକାର ଆଶଙ୍କା ବଢୁଥିବା ବେଳେ ଏହାର ଗତିପଥ କେଉଁ ଆଡେ ରହିବ ଓଡିଶାବାସୀଙ୍କୁ ଏହି ପ୍ରଶ୍ନ ଘାରିଛି । ସେପଟେ ପାଣିପାଗ ବିଭାଗ ପକ୍ଷରୁ ମଧ୍ୟ ବାତ୍ୟାର ଗତିପଥ ଉପରେ କୌଣସି ସୂଚନା ଦିଆ ଯାଇ ନାହିଁ ।

ଆସନ୍ତା ୬ ତାରିଖରେ ଓଡିଶା ଉପକୂଳ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ୨୪-୩୮ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବା ସହ ପରେ ଅବପାତରେ ପରିଣତ ହେବ । ଏ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ.ଆର. ବିଶ୍ୱାସ । ସେ କହିଛନ୍ତି ଯେ, ୭ ତାରିଖରେ ଲଘୁଚାପ ଏବଂ ୮ ତାରିଖରେ ଅବପାତରେ ପରିଣତ ହେବ ଏହି ଘୂର୍ଣ୍ଣିବଳୟ । ତେବେ ୯ ତାରିଖ ବେଳକୁ ଏହା ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ତେଣୁ ବର୍ତ୍ତମାନ ଏହାର ଗତିପଥ ନେଇ କୌଣସି ସ୍ପଷ୍ଟ ହୋଇ ପାରିନାହିଁ । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ହିଁ ବାତ୍ୟାର ଗତିପଥ ଏବଂ ତୀବ୍ରତା ବିଷୟରେ ସ୍ପଷ୍ଟ ଆକଳନ କରାଯାଇ ପାରିବ ।

ତେବେ ବର୍ତ୍ତମାନ ସ୍ଥିତିକୁ ଦେଖିଲେ, ବାତ୍ୟାର ଗତିପଥ କେନ୍ଦ୍ରୀୟ ବଙ୍ଗୋପସାଗର ଦେଇ ମିଆଁମାର ଆଡକୁ ଯାଇପାରେ ବୋଲି ଅନୁମାନ କରାଯାଉଛି । ତେବେ ୭ ତାରିଖରେ ଆଣ୍ଡାମାନ ନିକୋବର ପାଇଁ ସତର୍କ ସୂଚନା ଜାରି ହୋଇଛି । ଏହି ସମୟରେ ପବନର ବେଗ ବଢିବା ସହ ସମୁଦ୍ର ଅଶାନ୍ତ ରହିପାରେ । ତେଣୁ ଏଠାକାର ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯିବା ସହ ପର୍ଯ୍ୟଟକଙ୍କୁ ମଧ୍ୟ ମନା କରିଛି ପାଣିପାଗ ବିଭାଗ ।

Get real time updates directly on you device, subscribe now.