fbpx

ଆହୁରି କଲବଲ କରିବ ତାତି: ୪ ଦିନ ଭିତରେ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାପମାତ୍ରା

ଭୁବନେଶ୍ୱର: ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସହିତ ବାତ୍ୟାର ଆଶଙ୍କା ଘନେଇଥିବା ବେଳେ ଓଡିଶାକୁ ଫେରିଛି ଅସହ୍ୟ ତାତି । ପୁଣିଥରେ ରାଜ୍ୟର ବିଭିନ୍ନ ସ୍ଥାନରେ ବୃଦ୍ଧି ପାଇଛି ତାପମାତ୍ରା । ରାଜ୍ୟର ୧୩ଟି ସ୍ଥାନରେ ଦିନର ତାପମାତ୍ରା ୩୭ ଡିଗ୍ରୀ ପାର କରିଥିବା ବେଳେ ସର୍ବାଦିକ ତାପମାତ୍ରା ୩୯ ଡିଗ୍ରୀ ସେଲସିୟସରେ ପହଞ୍ଚିଛି । ତେବେ ଆଗକୁ ଆହୁରି ତାପମାତ୍ରା ବୃଦ୍ଧି ହେବା ସହିତ ଗରମବଢିବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୪ ଦିନ ଭିତରେ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ ବୋଲି କୁହାଯାଇଛି ।

ବାତ୍ୟା ସମ୍ଭାବନା ଭିତରେ ରାଜ୍ୟରେ ଗରମର ପରିମାଣ ବୃଦ୍ଧି ପାଇବାରେ ଲାଗିଛି । ଆଗାମୀ ୪ ଦିନ ଭିତରେ ତାପମାତ୍ରା ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ବଢିପାରେ । ଗତ ଶନିବାର ରାଜ୍ୟର ୧୩ଟି ସ୍ଥାନରେ ୩୭ ଡିଗ୍ରୀ ଉପରେ ରହିଥିଲା ତାପମାତ୍ରା । ତେବେ ଏହି ତାଲିକାର ଶୀର୍ଷରେ ରହିଥିଲା ସୁନ୍ଦରଗଡ, ସହରର ତାପମାତ୍ରା ୩୯ ଡିଗ୍ରୀରେ ପହଞ୍ଚିଥିଲା । ଏହାପରେ ଅନୁଗୁଳ ୩୮.୧, ଝାରସୁଗୁଡା ୩୮.୬ ଏବଂ ସମ୍ବଲପୁରରେ ୩୮.୭ ତାପାମାତ୍ରା ରେକର୍ଡ କରାଯାଇଛି । ସେହିପରି ବଲାଙ୍ଗୀର, ହୀରାକୁଦ, ସୋନପୁର, ବରଗଡ, ପାରଳାଖେମୁଣ୍ଡି, ଢେଙ୍କାନାଳ, କଟକ ଏବଂ ଟିଟିଲାଗଡ ଇତ୍ୟାଦି ସହରର ତାପମାତ୍ରା ୩୭ ଡିଗ୍ରୀ ଉପରେ ରହିଥିଲା ।

ଅନ୍ୟପକ୍ଷରେ ଓଡିଶାରେ ବାତ୍ୟାର ଆଶଙ୍କା ବୃଦ୍ଧି ପାଇବାରେ ଲାଗିଛି । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ବେଳେ ୯ ତାରିଖରେ ଏହା ଅବପାତର ରୂପ ନେଇପାରେ । ଏହାପରେ ଭୟଙ୍କର ବାତ୍ୟାର ରୂପ ନେଇ ଏହା ଉତ୍ତର ଦିଗରେ କେନ୍ଦ୍ରୀୟ ବଙ୍ଗୋପସାଗର ଆଡକୁ ମୁହାଁଇବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ଯଦିଓ ଏପର୍ଯ୍ୟନ୍ତ ବାତ୍ୟାର ଗତିପଥ କିମ୍ବା ତୀବ୍ରତା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ, ତେବେ ଲଘୁଚାପ ସୃଷ୍ଟି ହେବା ପରେ ଏହା ଜଣାପଡିବ ।

Get real time updates directly on you device, subscribe now.