ଭୁବନେଶ୍ୱର: ପରିବହନ କ୍ଷେତ୍ରରେ ଆଉ ପାଦେ ଆଗକୁ ଯାଇଛି ରାଜ୍ୟ ଓଡିଶା । ଆସନ୍ତା ୧୮ ତାରିଖରୁ ଓଡିଶାର ବିଭିନ୍ନ ରୁଟରେ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ । ଏ ନେଇ ପରିବହନ ବିଭାଗ ପକ୍ଷରୁ ସୂଚନା ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିବେ । ପୂର୍ବରୁ ଏହି ସୁବିଧା ରାଜ୍ୟବାସୀଙ୍କୁ ୧୫ ତାରିଖରୁ ମିଳିବା ପାଇଁ ସ୍ଥିର କରାଯାଇଥିଲା । କିନ୍ତୁ ଏବେ ଏଥିରେ ପରିବର୍ତ୍ତନ କରାଯାଇ ୧୮ ତାରିଖକୁ ଧାର୍ଯ୍ୟ କରାଯାଇଛି ।
ସୂଚନା ଅନୁସାରେ, ଆସନ୍ତା ୧୮ ତାରିଖରେ ଓଡିଶା ପାଇବ ବନ୍ଦେ ଭାରତ ଏକ୍ସପ୍ରେସ ସେବା । ପୁରୀ-ହାୱଡା ମଧ୍ୟରେ ଏହି ସେବା ପ୍ରଥମେ ଉପଲବ୍ଧ ହେବାକୁ ଥିବା ବେଳେ ପୁରୀ ଷ୍ଟେସନରେ ଏହ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ । ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିବେ । ଏଥିରେ ମୋଦିଙ୍କ ସମେତ କେନ୍ଦ୍ର ରେଳମନ୍ତ୍ରୀ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଉପସ୍ଥିତ ରହିବେ । ଯାହାକୁ ନେଇ ବର୍ତ୍ତମାନ ଓଡିଶାବାସୀ ବେଶ ଉତ୍ସାହ ଥିବା ଦେଖାଯାଇଛି ।
ସୂଚନା ଥାଉ କି, ଗତ ୨୮ ତାରିଖରେ ଓଡିଶାରେ ହାୱଡା-ପୁରୀ ପର୍ଯ୍ୟନ୍ତ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଲ ରନ୍ କରାଯାଇଥିଲା । ସକାଳ ୬.୧୦ରେ ହାୱଡାରୁ ବାହାରି ପୁରୀ ଯାତ୍ରା କରିଥିଲା । ତେବେ ଏହି ରୁଟରେ ଖଡଗପୁର, ଭଦ୍ରକ, ଯାଜପୁର, କଟକରେ ୨ ମିନିଟ ଲେଖାଏଁ ଅଟକିଥିଲା ଏହି ଏକ୍ସପ୍ରେସ । ସେହିପରି ଭୁବନେଶ୍ୱର ଏବଂ ପୁରୀରେ ମଧ୍ୟ ୨ ମିନିଟ ଲେଖାଏଁ ଟ୍ରେନ ରହିଥିଲା । ତେବେ ପୁରୀରେ କିଛି ସମୟ ରହି ପୁଣିଥରେ ହାୱଡାକୁ ଫେରିଥିଲା ଏହି ବନ୍ଦେ ଭାରତ ଏକ୍ସପ୍ରେସ ।