fbpx

କାଶ୍ମୀରରେ ଆୟୋଜିତ ଜି ୨୦ ସମ୍ମିଳନୀରେ ବିଶ୍ୱର ୧୭ ଶକ୍ତିଶାଳୀ ଦେଶ ଏକଜୁଟ, କାମ ଦେଲା ନାହିଁ ପାକିସ୍ତାନର ଚାଲ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ଶ୍ରୀନଗରରେ ଆୟୋଜିତ ହେଉଛି ଜି ୨୦ ସମ୍ମିଳନୀ । ଏହି ସମ୍ମିଳନୀରେ ଭାରତର ନିମନ୍ତ୍ରଣ ରକ୍ଷା କରି ବିଶ୍ୱର ୧୭ ଶକ୍ତିଶାଳୀ ଦେଶର ୬୦ ପ୍ରତିନିଧି ଯୋଗଦାନ କରିଛନ୍ତି । କାଶ୍ମୀର ଯେ ଭାରତରେ ସୁରକ୍ଷିତ ଏହି ସନ୍ଦେଶ ସମଗ୍ର ବିଶ୍ୱକୁ ଦେବା ଲାଗି ଭାରତର ଏହି ଯୋଜନା । ତେବେ ଭାରତର ଏହି ପ୍ରୟାସ ପାକିସ୍ତାନକୁ ଏକ ଶକ୍ତ ଜବାବ ଭାବରେ ସାବ୍ୟସ୍ତ ହୋଇଛି । କାଶ୍ମୀରକୁ ନିଜର ବୋଲି ଦାବି କରୁଥିବା ପାକିସ୍ତାନ ମୁହଁରେ ଏହା ଏକ ଶକ୍ତ ଚାପୁଡା ସଦୃଶ ହୋଇଛି । ଜି ୨୦ ସମ୍ମିଳନୀ ଜରିଆରେ ଭାରତ ଟୁରିଜିମ୍ ୱାର୍କିଂ ଗ୍ରୁପର ତୃତୀୟ ସମ୍ମିଳନୀ ଜାମ୍ମୁ କାଶ୍ମୀରର ଶ୍ରୀନଗରରେ ଆୟୋଜନ କରିଛି ।

ଏହି ସମ୍ମିଳନୀରେ ପାକିସ୍ତାନ କିନ୍ତୁ ବେଶ୍ ଚେଷ୍ଟା କରିଥିଲା ଯେ, କାଶ୍ମୀରକୁ ନେଇ ସେ କରୁଥିବା ଦାବୀକୁ ଅନ୍ୟ ଦେଶମାନେ ସମର୍ଥନ କରିବେ ବୋଲି । କିନ୍ତୁ ପାକିସ୍ତାନକୁ ଏଥିରେ ନିରାଶ ହେବାକୁ ପଡିଛି । ପାକିସ୍ତାନ କଥାରେ ଚୀନ୍ ଏହି ବୈଠକରେ ଭାଗ ନେବାକୁ ମନା କରି ଦେଇଥିଲା । ଚୀନ୍ କହିଥିଲା କୌଣସି ବିବାଦୀୟ କ୍ଷେତ୍ରରେ ଜି ୨୦ ବୈଠକ ଆୟୋଜନ କରିବାକୁ ସେ ବିରୋଧ କରୁଛି । ଚୀନ୍ ବ୍ୟତିତ ଅନ୍ୟ ଦୁଇ ଦେଶ ସାଉଦି ଆରବ ଓ ତୁର୍କୀ ମଧ୍ୟ ସମ୍ମିଳନୀରେ ଯୋଗ ଦେବାକୁ ଅନିଚ୍ଛା ପ୍ରକାଶ କରିଥିଲେ । ଏହି କେତେଗୋଟି ଦେଶକୁ ଛାଡିଦେଲେ ବିଶ୍ୱର ଅନେକ ଶକ୍ତିଶାଳୀ ଦେଶ ଯେପରିକି ଆମେରିକା, ରୁଷ, ବ୍ରିଟେନ, କାନାଡା, ଫ୍ରାନ୍ସ, ଜର୍ମାନୀ, ଦକ୍ଷିଣ ଆଫ୍ରିକା ପରି ୧୭ ଗୋଟି ଦେଶ ଏହି ସମ୍ମିଳନୀରେ ଯୋଗ ଦେବାକୁ ଆଗ୍ରହ ପ୍ରକାଶ କରିଥିଲେ । ଏହି ସମସ୍ତ ଦେଶରୁ ୬୦ ଜଣ ପ୍ରତିନିଧି ଏହି ସମ୍ମିଳନୀରେ ଯୋଗଦାନ କରିଥିଲେ ।

ଧାରା ୩୭୦ ହଟାଯିବା ପରେ କାଶ୍ମୀରରେ ଏହା ସବୁଠାରୁ ବଡ ବୈଠକ । ଏହି ବୈଠକକୁ ବିଶ୍ୱର ବିଭିନ୍ନ ଦେଶରୁ ସମର୍ଥନ ଭାରତର ସ୍ଥିତିକୁ ମଜଭୁତ କରୁଛି । କୂଟନୈତିକ ଦୃଷ୍ଟିରୁ ଏହି ବୈଠକ ଭାରତ ପାଇଁ ଏକ ବଡ ଉପଲବ୍ଧି । ଏହାଦ୍ୱାରା କାଶ୍ମୀର ଉପରେ ପାକିସ୍ଥାନର ଦାବୀ ଦୂର୍ବଳ ହେବ ଓ କାଶ୍ମୀର ଉପରେ ଭାରତର ନିଷ୍ପତ୍ତିକୁ ମାନ୍ୟତା ମିଳିବ । ଏହା ବ୍ୟତିତ କାଶ୍ମୀରରେ ସ୍ଥିତି ଯେ ସ୍ୱଭାବିକ ହେବାକୁ ଯାଉଛି ଏହି ସନ୍ଦେଶ ମଧ୍ୟ ସାରା ଦୁନିଆକୁ ଯିବ ।

Get real time updates directly on you device, subscribe now.