fbpx

ପ୍ରକୃତିର ଝଟକାରେ ଭୁଶୁଡ଼ି ପଡ଼ିଲା ୮୫୬ କୋଟିର ପ୍ରୋଜେକ୍ଟ: ଝଡ଼ ତୋଫାନରେ ଭାଙ୍ଗିଗଲା ସପ୍ତଋଷିଙ୍କ ୬ଟି ମୂର୍ତ୍ତି

ନୂଆଦିଲ୍ଲୀ: ପ୍ରକୃତିର ଶକ୍ତି କେତେ ତାହା ସମସ୍ତେ ଜାଣିଥିବେ । ତେବେ ଝଡ଼ ତୋଫାନ ପାଇଁ ୮୫୬ କୋଟିର ପ୍ରୋଜେକ୍ଟ ଆଜି ଖଣ୍ଡ ବିଖଣ୍ଡିତ ହୋଇ ଯାଇଛି । ମଧ୍ୟପ୍ରଦେଶରେ ଉଜ୍ଜୈନରେ ଅଚାନକ ପାଣିପାଗ ବଦଳିବା କାରଣରୁ ପ୍ରବଳ ବେଗରେ ପବନ ବହିଥିଲା । ଭୀଷଣ ବର୍ଷା ଓ ପବନ କାରଣରୁ ମହାକାଳ ଲୋକରେ ସ୍ଥାପିତ ହୋଇଥିବା ୬ଟି ସପ୍ତଋଷି ମୂର୍ତ୍ତି ଭାଙ୍ଗିରୁଜି ତଳେ ପଡ଼ିଛି । ତେବେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ମୂର୍ତ୍ତିର ମାନକୁ ନେଇ ଏବେ ଉଠିଛି ପ୍ରଶ୍ନ ।

୭ ମାସ ତଳେ ଗତ ବର୍ଷ ଅକ୍ଟୋବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ମହାକାଳ ଲୋକ କରିଡର ପ୍ରକଳ୍ପ ଉଦଘାଟିତ ହୋଇଥିଲା । ଏହି ପ୍ରକଳ୍ପ ମୋଟ ୮୫୬ କୋଟିର ହୋଇଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ୩୫୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ତେବେ ଭୟଙ୍କର ଝଡ଼ ତୋଫାନରେ ମହାକାଳ ଲୋକରେ ତିଆରି ହୋଇଥିବା ସପ୍ତଋଷୀ ମୂର୍ତ୍ତିଗୁଡ଼ିକ ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୋଇଛି । ଏହି ମୂର୍ତ୍ତିଗୁଡ଼ିକର ହାତ, ଗୋଡ଼ ଭାଙ୍ଗିରୁଜି ଯାଇ ତଳେ ପଡ଼ିରହିଛି ।

୧୦ରୁ ୨୫ ଫୁଟ ଉଚ୍ଚତା ବିଶିଷ୍ଟ ଏହି ମୂର୍ତ୍ତିଗୁଡ଼ିକ ଲାଲପଥର ଓ ଫାଇବର ରେନଫୋର୍ସ ପ୍ଲାଷ୍ଟିକରେ ତିଆରି ହୋଇଥିଲା । ଏହି ମୂର୍ତ୍ତିକୁ ଗୁଜରାଟ, ଓଡ଼ିଶା ଓ ରାଜସ୍ଥାନର କାରିଗରମାନେ ନିର୍ମାଣ କରିଥିଲେ । ପିଏମ୍ ମୋଦୀ ଗତ ବର୍ଷ ଅକ୍ଟୋବର ମାସ ୧୧ ତାରିଖରେ ଉଜ୍ଜୈନରେ ମହାକାଳେଶ୍ୱର ମନ୍ଦିରର ନୂଆ କ୍ୟାମ୍ପସ ‘ମହାକାଳ ଲୋକ’କୁ ଲୋକର୍ପିତ କରିଥିଲେ । ଏହାପରେ ଉକ୍ତ ସ୍ଥାନକୁ ଦେଶ ବିଦେଶର ବହୁ ଶ୍ରଦ୍ଧାଳୁଙ୍କୁ ସୁଅ ଛୁଟିଥିଲା । ତେବେ ମହାକାଳ ଲୋକର ଗୁଣବତ୍ତାହୀନ ନିର୍ମାଣକୁ ନେଇ ଏବେ ଚାରିଆଡ଼ୁ ପ୍ରଶ୍ନ ଉଠିଛି । ଏହା ମଧ୍ୟରେ ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚିବା ସହିତ ମୂର୍ତ୍ତିଗୁଡ଼ିକୁ ପୁନଃ ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.