ଦେବଦୂତ ସାଜିଲେ ବିଜେପି ବିଧାୟକ ; ଯୁବକଙ୍କୁ ବଞ୍ଚାଇବାକୁ ସମୁଦ୍ରକୁ ଡେଇଁ ପଡିଲେ, ବଞ୍ଚାଇଲେ ୩ ଜୀବନ

ଅହମଦାବାଦ : ଗୁଜୁରାଟର ଆମ୍ରେଲି ଜିଲ୍ଲାରେ ରାଜୁଲା ବିଧାୟକଙ୍କୁ ପ୍ରଶଂସାର ସୁଅ ଛୁଟିଛି । କାରଣ ନିଜ ଜୀବନକୁ ବିପଦରେ ପକାଇ ସେ ଅନ୍ୟ ୩ ଜଣଙ୍କ ଜୀବନ ବଞ୍ଚାଇଛନ୍ତି । ସମୁଦ୍ରରେ ଗାଧୋଇବାକୁ ଯାଇଥିବା ଯୁବକମାନଙ୍କୁ ବଞ୍ଚାଇବା ପାଇଁ ବିଧାୟକ ନିଜେ ସବୁଦ୍ର ଭିତରକୁ ଡେଇଁପଡିଥିଲେ। ଯେଉଁଥିପାଇଁ ତିନି ଜଣ ଯୁବକଙ୍କ ଜୀବନ ବଞ୍ଚି ଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ରାଜୁଲାର ପାଟୱା ଗ୍ରାମରେ ଘଟିଛି ।

ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ଅପରାହ୍ନରେ ଚାରିଜଣ ଯୁବକ ସମୁଦ୍ର ଉପକୂଳରେ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ସେମାନେ ଗଭୀର ପାଣି ଭିତରକୁ ଚାଲିଯାଇଥିଲେ । ଯୁବକମାନେ ଜୀବନ ମରଣ ସହ ସଂଘର୍ଷ କରୁଥିବାବେଳେ ଦେବଦୂତ ସାଜି ପହଞ୍ଚିଥିଲେ ସ୍ଥାନୀୟ ବିଜେପି ବିଧାୟକ । ସେଠାରେ ଉପସ୍ଥିତ ଥିବା ଲୋକଙ୍କ ଠାରୁ ଖବର ପାଇ ବିଜେପି ବିଧାୟକ ହେରା ସୋଲଙ୍କି ସିଧା ସମୁଦ୍ର ମଧ୍ୟକୁ ଡେଇଁ ପଡିଥିଲେ । ପରେ ଏକ ଡଙ୍ଗାର ମଧ୍ୟ ବ୍ୟବସ୍ଥା କରାଯାଇଥିଲା । ବିଧାୟକ ତିନିଜଣ ଯୁବକ ବାହାରକୁ ଟାଣି ଆଣିଥିଲେ ହେଲେ ଜଣଙ୍କର କୌଣସି ପତ୍ତା ମିଳିନଥିଲା । ପ୍ରାୟ ୨ ଘଣ୍ଟା ଧରି ଉକ୍ତ ଯୁବକଙ୍କ ଉଦ୍ଧାର କାର୍ଯ୍ୟ ଚାଲିଥିଲା । ପରେ ସେହି ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।