fbpx

NMC ଆଣିବ ନୂଆ ନିୟମ: ଏଣିକି ମେଡିକାଲ ଗ୍ରାଜୁଏଟ କୋର୍ସରେ ଆଡମିଶନ ପାଇଁ କରାଯିବ କମନ କାଉନସେଲିଂ

ନୂଆଦିଲ୍ଲୀ: ଦେଶର ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ କେନ୍ଦ୍ର ସରକାର ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଅନୁସାରେ ଅନେକ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ଏହା ମଧ୍ୟରେ ରାଷ୍ଟ୍ରୀୟ ଚିକିତ୍ସା ଆୟୋଗ ପକ୍ଷରୁ ଏକ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଏଣିକି ନିଟ-ୟୁଜି ମେରିଟ ଲିଷ୍ଟ ଆଧାରରେ ଦେଶର ସମସ୍ତ ମେଡିକାଲ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ଗ୍ରାଜୁଏଟ ପାଠ୍ୟକ୍ରମରେ ପ୍ରବେଶ କରିବେ । ଏନେଇ ଆୟୋଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିବା ଜଣାପଡ଼ିଛି ।

ଦେଶର ସମସ୍ତ ମେଡିକାଲ ଶିକ୍ଷାନୁଷ୍ଠାନରେ ସ୍ନାତକ ପାଠ୍ୟକ୍ରମରେ ପ୍ରବେଶ ପାଇଁ ଗୋଟିଏ ସାଧାରଣ କାଉନସେଲିଂ କରାଯିବା ସହିତ ନିଟ-ୟୁଜି ମେରିଟ ଲିଷ୍ଟ ଆଧାରରେ ଏହା ହେଉ ବୋଲି ଏନଏମସି ପ୍ରସ୍ତାବ ଦେଇଛି । ତେବେ ଏହି ନୂଆ ନିୟମକୁ ସ୍ନାତକ ଚିକିତ୍ସା ଶିକ୍ଷା ବିନିୟମ, ୨୦୨୩ ବା ଜିଏମଇଆର-୨୩ କୁହାଯାଉଛି । ଏନେଇ ଗତ ୨ ତାରିଖରେ ଏନଏମସି ଏକ ଗେଜେଟ୍ ବିଜ୍ଞପ୍ତି ଜାରି କରିଛି ।

ସେଥିରେ କୁହାଯାଇଛି, ବର୍ତ୍ତମାନ ଜାରି ରହିଥିବା ନିୟମରେ ଯେପରି କୌଣସି ପ୍ରତିକୂଳ ପ୍ରଭାବ ନ ପଡ଼ିବ ସେନେଇ ଦୃଷ୍ଟି ଦିଆଯିବ । ଏନଏମସି ଦ୍ୱାରା ପ୍ରଦାନ କରାଯାଇଥିବା ସିଟ ମାଟ୍ରିକ୍ସ ଆଧାରରେ ଏହି କାଉନସେଲିଂ କରାଯିବ । ମାତ୍ର ସାଧାରଣ କାଉନସେଲିଂ ଏକାଧିକ ରାଉଣ୍ଡ ହୋଇପାରେ । ଅଣ୍ଡର ଗ୍ରାଜୁଏଟ ମେଡିକାଲ ଏଜୁକେସନ ବୋର୍ଡ (ୟୁଜିଏମଇବି) ସାଧାରଣ କାଉନସେଲିଂକୁ ପରିଚାଳନା କରିବା ପାଇଁ ନିୟମାବଳୀ ଜାରି କରିବ । ଏହି ନିୟମ ଉଲ୍ଲଂଘନ କଲେ କୌଣସି ପ୍ରାର୍ଥୀଙ୍କୁ ସ୍ନାତକ ଚିକିତ୍ସା ଶିକ୍ଷା (ଜିଏମଇ) ପାଠ୍ୟକ୍ରମରେ ପ୍ରବେଶ ନେଇ ଅନୁମତି ମିଳିବ ନାହିଁ ବୋଲି କୁହାଯାଇଛି ।

Get real time updates directly on you device, subscribe now.