fbpx

ଓଡ଼ିଶା ଟ୍ରେନ ଦୁର୍ଘଟଣା ପଛରେ ଆତଙ୍କବାଦୀଙ୍କ ହାତ? PM ମୋଦୀଙ୍କୁ ଚିଠି ଲେଖିଲେ ୨୭୦ ଜଣ ପୂର୍ବତନ ବ୍ୟୁରୋକ୍ରାଟ, ବିଚାରପତି ଓ ସେନା ଅଧିକାରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୨ ତାରିଖ ସନ୍ଧ୍ୟାରେ ବାଲେଶ୍ୱରର ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାକୁ ଆଜି ବି କେହି ଭୁଲି ନାହାନ୍ତି । ଏହି ଦୁର୍ଘଟଣାରେ କ୍ଷଣିକ ମଧ୍ୟରେ ୨୮୮ ଜଣଙ୍କର ମୃତ୍ୟୁ ଘଟିବା ସହିତ ଏକ ହଜାରରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ସିଗନାଲ ଜନିତ ତ୍ରୁଟି କାରଣରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଥିବା ବେଳେ ଏହି ଘଟଣାର ସିବିଆଇ ତଦନ୍ତ ଜାରି ରହିଛି ।

ତେବେ ଏହି ଦୁର୍ଘଟଣା ପଛରେ ଏକ ବଡ଼ ଷଡ଼ଯନ୍ତ୍ର ରହିଥିବା ନେଇ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଦାବି କରି ଆସୁଛନ୍ତି । ତେବେ ଏହା ମଧ୍ୟରେ ୨୭୦ ଜଣ ପୂର୍ବତନ ବ୍ୟୁରୋକ୍ରାଟ, ବିଚାରପତି ଓ ପୂର୍ବତନ ସେନା ଅଧିକାରୀ ଆଗକୁ ଆସିଛନ୍ତି । ଏହି ଅଧିକାରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରୁ ଏକ ଚିଠି ଲେଖି ଏହି ଦୁର୍ଘଟଣା ପଛରେ ଷଡ଼ଯନ୍ତ୍ର ରହିଥିବା ଆଶଙ୍କା କରିଛନ୍ତି । ଏଥିସହିତ ନବେ ଦଶକ ଓ ୨୦୦୦ ମସିହା ପ୍ରାରମ୍ଭରେ ମଧ୍ୟ ଏଭଳି ଘଟିଥିଲା । ରେଲୱେ ଟ୍ରାକରେ ଦେଶବିରୋଧୀ ଶକ୍ତିଙ୍କ ଦ୍ୱାରା ଛେଡ଼ଛାଡ଼ କରାଯାଇଥିଲା ଓ ତାହା ଦୁର୍ଘଟଣାର ରୂପ ନେଇଥିଲା ବୋଲି କୁହାଯାଇଛି ।

ରେଳ ଲାଇନ ନିକଟରେ ଅବୈଧ କବଜା କରୁଥିବା ଲୋକଙ୍କୁ ହଟାଯିବାକୁ ଚିଠିରେ ଦାବି କରାଯାଇଛି । ଦୁର୍ଘଟଣାରେ ହୋଇଥିବା କ୍ଷତିର ପ୍ରତ୍ୟେକ ଦିଗକୁ ଟିକିନିଖି ଭାବେ ଯାଞ୍ଚ କରିବାକୁ ପୂର୍ବତନ ଡିଜିପି ବିକ୍ରମ ସିଂହ ଓ ପୂର୍ବ ଡିଜିପି ଏସପି ବେଧ୍ୟା ପ୍ରଧାନମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । ସେହିପରି ଏଭଳି ଘଟଣାକୁ ରୋକିବା ପାଇଁ ପଦକ୍ଷେପ ନେବା ଜରୁରୀ ବୋଲି ବହୁ ଆଇଏଏସ ଓ ଆଇପିଏସ ଅଧିକାରୀ କହିଛନ୍ତି । ସିବିଆଇ ଯାଞ୍ଚ ପରେ ସବୁ ସ୍ପଷ୍ଟ ହୋଇଯିବ, ଯଦି ଜାଣିଶୁଣି କିଛି ଭଙ୍ଗାରୁଜା କରାଯାଇଥାଏ ତେବେ ଏହା ପଛରେ ଆତଙ୍କବାଦୀଙ୍କ ହାତ ଥାଇପାରେ ବୋଲି ଅନେକ ଆଶଙ୍କା ବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.