ଓଲଟି ପଡିବାରୁ ପେଟ୍ରୋଲ ଟ୍ୟାଙ୍କରରେ ଲାଗିଲା ନିଆଁ: ଘଟଣାସ୍ଥଳରେ ୪ ମୃତ

ମୁମ୍ବାଇ : ଦେଶରେ ବର୍ତ୍ତମାନ ବିଭିନ୍ନ ସ୍ଥାନରେ ତଥା ବିଭିନ୍ନ ଯାନବାହନରେ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହିଭଳି ଏକ ଖବର ସାମ୍ନାକୁ ଆସିଛି ପୁଣେ-ମୁମ୍ବାଇ ରାଜରାସ୍ତାରୁ । ସୋମବାର ଦିନ ରାତି ୧୨ଟା ସମୟରେ ପୁଣେ-ମୁମ୍ବାଇ ଏକ୍ସପ୍ରେସୱେରେ ଏକ ପେଟ୍ରୋଲ ଟ୍ୟାଙ୍କର ଓଲଟି ପଡ଼ିଥିବା ଜାଣିବାକୁ ମିଳିଛି । ଏହାପରେ ହଠାତ ଟ୍ୟାଙ୍କରରେ ଭୀଷଣ ନିଆଁ ଲାଗିଯିବାରୁ ଘଟଣାସ୍ଥଳରେ ୪ଜଣଙ୍କର ମୃତ୍ୟୁ ହୋଇଛି ।

ସୂଚନା ଅନୁଯାୟୀ, ରାସ୍ତାରେ ଯିବା ବେଳେ ପେଟ୍ରୋଲ ଟ୍ୟାଙ୍କର ଚାଳକ ଗାଡି ଉପରୁ ନିୟନ୍ତ୍ରଣ ହରାଇଥିଲେ । ଯାହାଫଳରେ ଏମିତି ଏକ ଦୁର୍ଘଟଣା ଘଟିଯାଇଛି । ଗାଡିକୁ ନିୟନ୍ତ୍ରଣ କରି ନପାରିବାରୁ ଟ୍ୟାଙ୍କର ଏକ ପଥରରେ ପିଟି ହୋଇ ଓଲଟି ପଡିଥିଲା । ସେଥିରୁ ପେଟ୍ରୋଲ ବାହାରି ଚାରିଆଡ଼େ ଭୀଷଣ ନିଆଁ ଲାଗିଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି ।

ଟ୍ୟାଙ୍କରର ଭୀଷଣ ନିଆଁ ଯୋଗୁଁ ପୁଣେ-ମୁମ୍ବାଇ ମୁଖ୍ୟରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଏହାପରେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ସହ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଏବଂ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଇଛି ।