fbpx

ଓଲିଉଡରେ କାଷ୍ଟିଂ କାଉଚ୍: ଏହି ଝଡ଼କୁ କ’ଣ ରୋକି ହେବନି, ଏଥିପାଇଁ ଦାୟୀ କିଏ, ସମାଧାନର ବାଟ କ’ଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କାଷ୍ଟିଂ କାଉଚକୁ ନେଇ ଏବେ ଓଲିଉଡରେ ଝଡ଼ ସୃଷ୍ଟି ହୋଇଛି । ପ୍ରଯୋଜକ ଟୁଟୁ ନାୟକଙ୍କ ବିରୋଧରେ କିଛି ଅଭିନେତ୍ରୀ ଆଣିଛନ୍ତି ଏପରି ସଙ୍ଗୀନ ଅଭିଯୋଗ । ଓଡ଼ିଶା ଫିଲ୍ମ ଇଣ୍ଡଷ୍ଟ୍ରିରେ କାଷ୍ଟିଂ କାଉଚ ଚାଲିଥିବା ନେଇ ଅଭିନେତ୍ରୀ ପ୍ରକୃତି ମିଶ୍ର, ଜସ୍ମିନ ରଥ ଓ ରୂପଶ୍ରୀ ପଣ୍ଡାଙ୍କ ପରି କିଛି ଅଭିନେତ୍ରୀ ଅଭିଯୋଗ କରିଛନ୍ତି । ପ୍ରକୃତି-ଟୁଟୁଙ୍କ ବିବାଦ ଏବେ ଥାନାରେ ପହଞ୍ଚିଲାଣି । ସିରିଏଲରେ କାମ ଦେବାକୁ ତାଙ୍କୁ କମ୍ପ୍ରୋମାଇଜ କରିବାକୁ କୁହାଯାଇଥିଲା ଓ ସେଥିରେ ସେ ରାଜି ନ ହେବାରୁ ତାଙ୍କୁ ବାଦ୍ ଦିଆଯାଇଥିଲା ବୋଲି ରୂପଶ୍ରୀ କହିଛନ୍ତି ।

ଅନ୍ୟପକ୍ଷରେ ତାଙ୍କୁ ବଦନାମ କରିବାକୁ ଏକ ଗୋଷ୍ଠୀ ତାଙ୍କ ବିରୋଧରେ ଚକ୍ରାନ୍ତ ଚଳାଇଥିବା ଟୁଟୁ କହିଥିଲେ । ତେବେ ଫିଲ୍ମ ଇଣ୍ଡଷ୍ଟ୍ରିରେ କାଷ୍ଟିଂ କାଉଚକୁ ନେଇ ବିଭିନ୍ନ ଅଭିନେତା, ଅଭିନେତ୍ରୀମାନେ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଓଲିଉଡରେ ୯୯ ପ୍ରତିଶତ କଳାକାର ସ୍ୱଚ୍ଛ ବୋଲି ଜଣେ ଅଭିନେତ୍ରୀ କହିଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି, ଓଲିଉଡରେ କ’ଣ ସତରେ କାଷ୍ଟିଂ କାଉଚ୍ ଚାଲିଛି? ଯଦି ଚାଲିଛି ତେବେ ଏଥିପାଇଁ ପ୍ରକୃତରେ ଦାୟୀ କିଏ? । ଯଦି ଚାଲିନାହିଁ ତେବେ ଏହି ଝଡ଼ ଯଥାସମ୍ଭବ ଅନ୍ତ ହେବା ଆବଶ୍ୟକ । ଓଲିଉଡରେ ସୃଷ୍ଟି ହୋଇଥିବା ଏହି ବିବାଦର ପ୍ରଭାବ ଆମ ସମାଜ ଉପରେ ପଡ଼ୁଛି ।

ଆମର କରିବା କଥା ହେଲା, କାଷ୍ଟିଂ କାଉଚ୍ ଯେଉଁଠି ବି ଚାଲିଥାଉ ଜଣେ ଅଭିନେତା ବା ଅଭିନେତ୍ରୀ ଯଦି ଠିକ୍ ରହିବେ ତେବେ ତାଙ୍କର କେହି କିଛି କ୍ଷତି କରିପାରିବେ ନାହିଁ । ଏଭଳି ମତ ଅନେକ କଳାକାର ଦେଇଛନ୍ତି । ଆଗକୁ କ’ଣ ଘଟିବାକୁ ଯାଉଛି, କାହାର ଭଲ କି ମନ୍ଦ ଉଦ୍ଦେଶ୍ୟ ରହିଛି ସୁସ୍ଥ ମନରେ ବିଚାର କଲେ ଜଣେ ଜାଣିପାରିବ । ଭଲ-ଖରାପ ଆମ ସମାଜର ଦୁଇଟି ଦିଗ । ତେଣୁ ଆମେ ସର୍ବଦା ମନରେ ସକରାତ୍ମକ ଭାବନା ରଖି ଭଲ ଦିଗକୁ ଢଳି ରହିଲେ ଖରାପ ଆପେ ଅପେ ନଷ୍ଟ ହୋଇଯିବ । ଅଯଥାରେ ବିବାଦ ନକରି କିପରି ଏହାର ସମାଧାନ କରିହେବ ସେ ଦିଗରେ ଚିନ୍ତା କଲେ ଭଲ ହୁଅନ୍ତା । କଳାକାରମାନେ ନିଜ ନିଜ ଭିତରେ ଏଭଳି କଳହରେ ମାତି ରହିଲେ ଆମର ଫିଲ୍ମ ଜଗତ ଉନ୍ନତି କରିପାରିବ ନାହିଁ ।

Get real time updates directly on you device, subscribe now.