ନୂଆଦିଲ୍ଲୀ:ବାଲେଶ୍ୱରର ବାହାନଗାରେ ଯେଉଁ ଭୟଙ୍କର ରେଳ ଦୁର୍ଘଟଣା ଘଟିଗଲା ସେଥିରେ ସାରା ବିଶ୍ୱ ସ୍ତବ୍ଧ ହୋଇଗଲା । ଏହି ଦୁୂର୍ଘଟଣା ପରେ ଏବେ ଲୋକମାନେ ରେଳରେ ଯାତାୟତ କରିବାକୁ ଭୟ କରୁଛନ୍ତି । କିନ୍ତୁ ଆମ ଦେଶରେ ରେଳ ହିଁ ପରିବହନ ଓ ଯାତାୟତର ସବୁଠାରୁ ବଡ ଓ ସହଜ ମାଧ୍ୟମ । ଦୈନିକ ଶହ ଶହ ଟ୍ରେନ୍ ହଜାର ହଜାର ଲୋକଙ୍କୁ ନେଇ ଯାତ୍ରା କରୁଛି । କିନ୍ତୁ ଏତେ ଟ୍ରେନ୍ ଓ ଏତେ ଯାତ୍ରୀଙ୍କୁ ମ୍ୟାନେଜ୍ କରିବାରେ ବେଳେ ବେଳେ ରେଳ ବିଭାଗ ବିଫଳ ହୋଇଥାଏ । ଯେଉଁ କାରଣରୁ ଦୁର୍ଘଟଣା ମଧ୍ୟ ଘଟିଥାଏ ।
ତେବେ ରେଳ ଦୁର୍ଘଟଣା ସମୟରେ ଯାତ୍ରୀମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବା ଏତେ ସହଜ ହୋଇ ନ ଥାଏ । ଯଦି କିଛି ସହଜ ବ୍ୟବସ୍ଥା ଥାଆନ୍ତା ତେବେ ବାହାନଗାରେ ଘଟିଥିବା ଦୁର୍ଘଟଣାରେ ବହୁ ଲୋକଙ୍କ ଜୀବନ ବଞ୍ଚିଯାଇଥାନ୍ତା । ଅନେକ ସମୟରେ ଦୁର୍ଘଟଣା ଘଟିଥିବା ସ୍ଥାନକୁ ଯାନବାହାନ ଯିବାର ସୁବିଧା ବି ନ ଥାଏ । ଏହାର କାରଣ ରେଳ ଲାଇନ୍ କେବେ ପାହାଡ ଉପର ଦେଇ ତ କେବେ ନଦୀ ମଧ୍ୟ ଦେଇ ଯାଇଥାଏ । ଏସବୁକୁ ନଜରରେ ରଖି ଭାରତୀୟ ରେଳ ବିଭାଗ ପ୍ରଥମ ଟ୍ରେନ୍ ହସ୍ପିଟାଲ୍ ଆରମ୍ଭ କରିଛି । ତେବେ ଏହାର ବ୍ୟବହାର ରେଲୱେ କିଛି ଖାସ୍ କାମ ପାଇଁ କରିଥାଏ ।
ଭାରତୀୟ ରେଳର ଏହି ସ୍ପେସିଆଲ୍ ଟ୍ରେନର ନାମ ଲାଇଫ୍ ଲାଇନ୍ ଏକ୍ସପ୍ରେସ୍ । ଏହି ଟ୍ରେନ୍ ଜରିଆରେ ଯେଉଁଠି ସ୍ୱାସ୍ଥ୍ୟ ସେବାର ସୁବିଧା ନ ଥାଏ କିମ୍ବା ଡାକ୍ତର, ଔଷଧ ପହଞ୍ଚିବାର ସୁବିଧା ନ ଥାଏ ସେହିସବୁ ସ୍ଥାନରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଏ । ତେବେ ଏହି ପୁରା ଟ୍ରେନଟିକୁ ହସ୍ପିଟାଲ୍ ପରି ଡିଜାଇନ୍ କରାଯାଇଛି । ଏଥିରେ ରୋଗୀଙ୍କ ଲାଗି ବେଡ୍, ଅତ୍ୟାଧୁନିକ ମେସିନ୍, ଅପରେସନ ଥିଏଟର ସହିତ ଅନେକ ମେଡିକାଲ୍ ଷ୍ଟାଫ ବି ରହିଛନ୍ତି । ଏହି ଲାଇଫ୍ ଲାଇନ୍ ଏକ୍ସପ୍ରେସର ସମସ୍ତ କୋଚରେ ଆପଣଙ୍କୁ ପାୱାର ଜେନେରେଟର, ମେଡିକାଲ୍ ବୋର୍ଡ ଓ ପାଣ୍ଟ୍ରୀ କାର୍ ସହିତ ଅନେକ ସୁବିଧା ମିଳିପାରିବ ।
୧୯୯୧ ମସିହାରେ ଭାରତୀୟ ରେଲୱେ ଏହି ଟ୍ରେନ୍ ଆରମ୍ଭ କରିଥିଲା । ଏହାର ସବୁ ବଗି ଏସି କୋଚ୍ ରହିଛି । ଏହି ଟ୍ରେନ୍ ଆରମ୍ଭ କରିବାର ଉଦ୍ଦେଶ୍ୟ ଥିଲା ଯେଉଁ ଲୋକମାନଙ୍କ ପାଖରେ ଚିକିତ୍ସା ସୁବିଧା ନାହିଁ ସେମାନଙ୍କୁ ଏହା ଯୋଗାଇ ଦେବା ।