ଆସନ୍ତା ୨୬ରୁ ଆରମ୍ଭ ହେବ ବହୁ ପ୍ରତୀକ୍ଷିତ ଏକାମ୍ର ପ୍ରକଳ୍ପ ଭୂମି ପୂଜନ ଓ ଶିଳାନ୍ୟାସ ଉତ୍ସବ: BDA ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁ ପ୍ରତିକ୍ଷୀତ ଏକାମ୍ର ପ୍ରକଳ୍ପ ଭୂମି ପୂଜନ ଓ ଶିଳାନ୍ୟାସ ଉତ୍ସବ ନିମନ୍ତେ ଆଜି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୬, ୨୭ ଓ ୨୮ ତାରିଖ ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏକାମ୍ର ପ୍ରକଳ୍ପର ଭୂମି ପୂଜନ ଓ ଶିଳାନ୍ୟାସ ଉତ୍ସବ କିଭଳି ସୁରୁଖୁରୁରେ ସମାପନ କରାଯିବ, ସେ ସଂପର୍କରେ ଏହି ବୈଠକରେ ବ୍ୟାପକ ଆଲୋଚନା କରାଯାଇଥିଲା ।

ଏହି ବୈଠକରେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ବିଜ୍ଞାନ ଓ କାରିଗରୀ କୌଶଳ ଏବଂ ସାଧାରଣ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂ, ଭୁବନେଶ୍ୱର ମହାନଗର ନିଗମ କମିଶନର ବିଜୟ ଅମୃତ କୁଲାଙ୍ଗେ, ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଭୁବନେଶ୍ୱର ପୋଲିସ ଉପାୟୁକ୍ତ ପ୍ରତୀକ କୁମାର ସିଂହ, ଓବିସିସି ପରିଚାଳନା ନିର୍ଦ୍ଦେଶକ ଜେ.କେ ଦାଶ, ଶ୍ରୀ ଲିଙ୍ଗରାଜ ମନ୍ଦିରର ବିଭିନ୍ନ ସେବାୟତ ନିଯୋଗର ପ୍ରତିନିଧି ଗଣ, ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟ ଗଣ ଏବଂ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଆସନ୍ତା ୨୬ରୁ ଆରମ୍ଭ ହେବାକୁ ଥିବା ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ତିନିଦିନ ଧରି ଏଠାରେ ଯଜ୍ଞାନୁଷ୍ଠାନ ସହ ଭଜନ ପରିବେଷଣ ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବାର କାର୍ଯ୍ୟକ୍ରମ ଅଛି । ଲକ୍ଷାଧିକ ଲୋକଙ୍କ ସମାଗମ ଦୃଷ୍ଟିରୁ ଉକ୍ତ ଉତ୍ସବକୁ ସମ୍ପୂର୍ଣ୍ଣ ଭାବେ ବ୍ୟବସ୍ଥିତ କରାଯିବ । ଏଥିସହିତ ଶୃଙ୍ଖଳାର ସହ କିଭଳି ଏହାକୁ ସମାପନ କରାଯିବ ସେ ଦିଗରେ ବିଭିନ୍ନ ପଦକ୍ଷେପ ନେବା ଲାଗି ବୈଠକରେ ବିଷଦ ଭାବେ ଆଲୋଚନା କରାଯାଇଥିଲା ।

ବୈଠକରେ ସେବାୟତ ନିଯୋଗର ପ୍ରତିନିଧି ମାନେ ଉତ୍ସବର ସଫଳ ଆୟୋଜନ ନିମନ୍ତେ ସଂପୂର୍ଣ୍ଣ ନିଷ୍ଠାର ସହ ସହଯୋଗ କରିବେ ବୋଲି ମତବ୍ୟକ୍ତ କରିଥିଲେ । ଏଥିସହିତ ସ୍ଥାନୀୟ କର୍ପୋରେଟରମାନେ ଆଲୋଚନା ରେ ଅଂଶଗ୍ରହଣ କରି ଏହି ଐତିହ୍ୟ ସଂପନ୍ନ ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିବା ଲାଗି ସମସ୍ତ ପ୍ରକାର ସହଯୋଗ କରିବେ ବୋଲି କହିଥିଲେ । ଶ୍ରୀ ଲିଙ୍ଗରାଜ ମନ୍ଦିର ସିଂହଦ୍ୱାର ସାମ୍ନା ଉତ୍ତର ପୂର୍ବକୋଣରେ ଯଜ୍ଞ ମଣ୍ଡପ ନିର୍ମାଣ କରାଯିବା ନେଇ ବୈଠକରେ ସ୍ଥିର ହୋଇଥିବା ବେଳେ ଦେବୀ ପାଦହରା ପୁଷ୍କରିଣୀ ପାର୍ଶ୍ୱରେ ଭଜନ ସମାରୋହ ନିମନ୍ତେ ବ୍ୟବସ୍ଥା କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା । ସେହିପରି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ସମ୍ଭାବନାକୁ ଦୃଷ୍ଟିରେ ରଖି ପାର୍କିଂ ଲାଗି ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।

ଏକାମ୍ର କ୍ଷେତ୍ରର ଗୌରବମୟ ଐତିହ୍ୟର ସଂରକ୍ଷଣ ପାଇଁ ଗତବର୍ଷ ରାଜ୍ୟ ସରକାର ଏକାମ୍ରକ୍ଷେତ୍ର ପ୍ରକଳ୍ପର ଘୋଷଣା କରିଥିଲେ । ଏହା ଅଧିନରେ ସୁଦୃଶ୍ୟ ପ୍ରବେଶ ପଥ, ବିନ୍ଦୁସାଗର ପୁନରୁଦ୍ଧାର, ଅତ୍ୟାଧୁନିକ ପାର୍କିଂ, ଲିଙ୍ଗରାଜ ଐତିହ୍ୟ ପ୍ରକଳ୍ପ, କେଦାରଗୌରୀ ଓ ମୁକ୍ତେଶ୍ୱର ପରିସରର ବିକାଶ ଓ ବିଭିନ୍ନ ସୁବିଧା ସୁଯୋଗ, ଇ-ଅଟୋ ସେବା, େଏ÷ତିହ୍ୟ ବ୍ୟାଖ୍ୟାନ କେନ୍ଦ୍ର, ଯାତାୟତର ସୁବିଧା ପାଇଁ ତାଳେଶ୍ୱର ଛକରୁ ବଢେଇବାଙ୍କ ଛକ ପର୍ଯ୍ୟନ୍ତ ରାସ୍ତା, ଚାରିଗୋଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା, ଶ୍ରୀ ଲିଙ୍ଗରାଜ ମନ୍ଦିର ସାମନାରେ ଉଦ୍ୟାନ ନିର୍ମାଣ ସହିତ ଏହାର ସୌନ୍ଦର୍ଯ୍ୟକରଣ ତଥା ମନ୍ଦିର ଚାରି ପାଖରେ ପରିକ୍ରମା ପଥ ନିର୍ମାଣ ଲାଗି ପରିକଳ୍ପନା କରାଯାଇ ଯୋଜନା ପ୍ରସ୍ତୁତ କରାଯାଇଛି । ଶ୍ରୀ ଲିଙ୍ଗରାଜ ଐତିହ୍ୟ ପ୍ରକଳ୍ପ ଅଧିନରେ ଭକ୍ତମାନେ ଯେପରି ସୁବିଧାରେ ଦର୍ଶନ କରିପାରିବେ, ସେଥିପାଇଁ ବ୍ୟବସ୍ଥା କରାଯିବ ଏବଂ ପର୍ଯ୍ୟଟକଙ୍କ ବିଭିନ୍ନ ପ୍ରକାରର ସୁବିଧା ସୁଯୋଗର ବିକାଶ ଲାଗି ଏହି ପ୍ରକଳ୍ପ ମାଧ୍ୟମରେ ବ୍ୟବସ୍ଥା କରାଯିବ । ଓଡ଼ିଶା ସେତୁ ନିର୍ମାଣ ନିଗମ (ଓବିସିସି) ଦ୍ୱାରା ଏହି ଐତିହ୍ୟ ପ୍ରକଳ୍ପ କରାଯିବାକୁ ରାଜ୍ୟ କ୍ୟାବିନେଟ୍ ପୂର୍ବରୁ ଅନୁମୋଦନ କରିଥିଲେ ।