କାର୍ ଭିତରେ ୩ ଶିଶୁ ଶ୍ୱାସରୁଦ୍ଧ ହୋଇ ମୃତ, ମୃତକଙ୍କ ମଧ୍ୟରେ ଦୁଇ ଭାଇ ଭଉଣୀ ଥିବା ସୂଚନା

ନାଗପୁର:ମହାରାଷ୍ଟ୍ରରେ ଘଟିଯାଇଛି ଏକ ଦୁଃଖଦ ଘଟଣା । ୩ ଜଣ ଶିଶୁ ଏଠାରେ କାର୍ ମଧ୍ୟରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଛନ୍ତି । ମହାରାଷ୍ଟ୍ରର ନାଗପୁର ଫାରୁକ୍ ନଗରରେ ୩ ଜଣ ଶିଶୁ ଘରଠାରୁ ୫୦ ମିଟର ଦୂରରେ ଏକ କାର୍ ମଧ୍ୟରେ ଖେଳୁଥିବା ବେଳେ ଏପରି ଦୁର୍ଘଟଣା ଘଟିଯାଇଛି । କାର୍ ମଧ୍ୟରେ ଖେଳୁଥବା ବେଳେ କାରଟି ଲକ୍ ପଡି ଯାଇଥିଲା ।

ଗତ ରବିବାର ସନ୍ଧ୍ୟାରେ ଏହି ତିନି ଶିଶୁଙ୍କ ମୃତଦେହ କାର୍ ମଧ୍ୟରୁ ଉଦ୍ଧାର କରାଯାଇଛି । ଶନିବାର ଦିନ ଅପରାହ୍ନ ୩ ଟାରୁ ଏହି ତିନି ଶିଶୁ ନିଖୋଜ ଥିଲେ । ଏହି ୩ ଶିଶୁ ମଧ୍ୟରେ ଦୁଇ ଜଣ ଭାଇ ଭଉଣୀ ହୋଇଥିବା ବେଳେ ଅନ୍ୟ ଜଣେ ସେମାନଙ୍କ ପାଖ ଘରର । ଏମାନଙ୍କ ବୟସ ୪ରୁ ୬ ମଧ୍ୟରେ ରହିଛି । ଏହି ୩ ଶିଶୁ ହେଲେ ଟୁଫିକ୍ ଫିରୋଜ ଖାନ୍ (୪), ଆଲିଆ ଫିରୋଜ୍ ଖାନ୍ (୬),ଆଫ୍ରିନ୍ ଇର୍ସାଦ ଖାନ୍ (୬) । ଏମାନେ ସମସ୍ତେ ଏକ ଗରିବ କବାଡିଆ ପରିବାରର ବୋଲି ପଚପାଓଲି ପୋଲିସ ସୂଚନା ଦେଇଛି ।

ପୋଲିସ କହିଛି ଶନିବାର ସନ୍ଧ୍ୟା ସୁଦ୍ଧା ଏମାନେ ଘରକୁ ନ ଫେରିବାରୁ ପରିବାର ଲୋକେ ଅପହରଣ ଆଶଙ୍କା କରି ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ରବିବାର ସନ୍ଧ୍ୟା ୭ ଟା ସମୟରେ ପୋଲିସ ଏମାନଙ୍କ ଘର ଠାରୁ ୫୦ ମିଟର ଦୂରରେ ଏକ ଏସୟୁଭି କାର୍ ପାର୍କିଂ ହୋଇ ରହିଥିବାର ଦେଖିଥିଲା । କାର୍ ଖୋଲିବା ପରେ ୩ ଶିଶୁଙ୍କ ମୃତ ଶରୀର ସେଠାରୁ ମିଳିଥିଲା ।