fbpx

ଶରଧାବାଲିରେ ବଳଭଦ୍ରଙ୍କ ରଥ : ଅଧାରେ ଅଟକିଲା ସୁଭଦ୍ରା ଓ ଜଗନ୍ନାଥଙ୍କ ରଥ

ପୁରୀ: ପୁରୀରେ ବିଶ୍ବପ୍ରସିଦ୍ଧ ରଥଯାତ୍ରାର ରଥଟଣା ଆଜି ପାଇଁ ଶେଷ ହୋଇଛି । ବଡଠାକୁର ବଳଭଦ୍ରଙ୍କ ରଥ ଶରଧାବାଲିରେ ପହଞ୍ଚିଥିବାବେଳେ ବାଟରେ ଅଟକିଛନ୍ତି ଜଗନ୍ନାଥ ଓ ସୁଭଦ୍ରା। ଦେବଦଳନ ବଡ଼ଶଂଙ୍ଖ ନିକଟରେ ଅଟକିଥିବାବେଳେ ମାଉସୀ ମାଆ ଛକରେ ରହିଛି ନନ୍ଦିଘୋଷ ରଥ। ବୁଧବାର ସକାଳେ ପୁଣି ରଥ ଟଣା କାର୍ଯ୍ୟକ୍ରମ ଆରମ୍ଭ ହେବ।

କେବଳ ବଡ଼ ଠାକୁରଙ୍କ ତାଳଧ୍ୱଜ ରଥ ଶରଧାବାଲିରେ ପହଞ୍ଚି ପାରିଥିବା ବେଳେ ଦର୍ପଦଳନ ଓ ନନ୍ଦିଘୋଷ ଅଧାବାଟରେ ଅଟକି ରହିଛନ୍ତି। ରାତି ହୋଇଯିବା କାରଣରୁ ଆଜିପାଇଁ ରଥଟଣା ବନ୍ଦ କରଯାଇଛି। କାଲି ଦୁଇ ରଥକୁ ଟାଣିନେଇ ଶରଧାବାଲିରେ ଲଗାଯିବ। ଏହାପରେ ଚତୁର୍ଦ୍ଧାମୂରତୀ ଜନ୍ମବେଦୀକୁ ବିଜେ କରିବେ। ଆଜି ତିନି ରଥରେ ଶ୍ରିଜୀଉମାନଙ୍କ ନୀତିକାନ୍ତି ଶେଷ କରାଯିବ।

ଠାକୁରଙ୍କ ବିଭିନ୍ନ ନୀତିନିର୍ଘଣ୍ଟ ଆଗୁଆ ଶେଷ ହେବାରୁ ଅପରାହ୍‌ଣ ୩ଟା ୪ ମିନିଟରେ ରଥଟଣା ଆରମ୍ଭ ହୋଇଯାଇଥିଲା। ପ୍ରଥମେ ବଡ଼ ଭାଇ ବଳଭଦ୍ରଙ୍କ ରଥଟଣା ଆରମ୍ଭ ହୋଇଥିଲା। ଏହାପରେ ୩ଟା ୫୫ ମିନିଟରେ ଦର୍ପଦଳନକୁ ଟଣାଯାଇଥିଲା। ଏହାପରେ ଅପରାହ୍‌ଣ ୪ଟା ୫୦ରେ ନନ୍ଦିଘୋଷ ରଥକୁ ଭକ୍ତମାନେ ଶରଧାବାଲି ଅଭିମୁଖେ ଟାଣି ନେଇଥିଲେ। ଭକ୍ତଙ୍କ ହରିବୋଲ, ହୁଳହୁଳି ଡାକ ସହ ଘଣ୍ଟଘଣ୍ଟି ଧ୍ବନିରେ ବଡ଼ଦାଣ୍ଡ ଉଛୁଳି ପଡୁଥିଲା। ଲକ୍ଷ ଲକ୍ଷ ଲୋକଙ୍କ ଗହଣରେ ୩ ରଥ ଗଡିଥିଲା। ସନ୍ଧ୍ୟା ସୁଦ୍ଧା ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଶରଧାବାଲିରେ ପହଞ୍ଚି ଯାଇଥିଲା। କିନ୍ତୁ ସୁଭଦ୍ରାଙ୍କ ଦର୍ପଦଳନ ଓ ଜଗନ୍ନାଥଙ୍କ ନନ୍ଦିଘୋଷ ଅଧାବାଟରେ ଅଟକି ରହିଛି।

Get real time updates directly on you device, subscribe now.