fbpx

ଜନ୍ମବେଦୀରେ ସରି ଆସୁଛି ଲୀଳାଖେଳା: ଆଜି ବାହୁଡିବେ ମହାବାହୁ

ପୁରୀ : ଜନ୍ମବେଦୀରେ ସରିସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା । ରତ୍ନବେଦୀ ଛାଡି ଜନ୍ମବେଦୀକୁ ଯାଇଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କର ନବଦିନାତ୍ମକ ଲୀଳାଖେଳା ସାରି ବୁଧବାର ବଡଦାଣ୍ଡକୁ ବାହୁଡିବେ । ଏଥିନେଇ ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିପୂର୍ବରୁ ମଙ୍ଗଳବାର ଆଡପ ମଣ୍ଡପରେ ନବମୀ ତିଥିରେ ଅପରାହ୍ନ ୫ଟାରେ ସନ୍ଧ୍ୟା ଦର୍ଶନ ଶେଷ ହୋଇଛି । ସନ୍ଧ୍ୟା ଦର୍ଶନ ପାଇଁ ଶରଧା ବାଲିରେ ହଜାରହଜାର ଭକ୍ତଙ୍କ ଭିଡ ହୋଇଥିବା ଦେଖିବାକୁ ମିଳିଛି । ବାହୁଡାରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିପୂର୍ବରୁ ସୋମବାର ନାକଚଣା ଦ୍ୱାର ନିକଟରେ ତିନି ରଥକୁ ସୁସଜ୍ଜିତ କରି ରଖାଯାଇଥିଲା ।

ସେହିପରି ଶ୍ରୀକ୍ଷେତ୍ର ଯାତ୍ରାଠାରୁ ଆରମ୍ଭ କରି ହେରା ପଞ୍ଚମୀ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତିକାନ୍ତିରେ ଘୋର ବିଭ୍ରାଟ ଦେଖାଦେଇଥିବା ବେଳେ ବାହୁଡା ନୀତିକୁ କିପରି ଶୃଙ୍ଖଳିତ କରାଯାଇପାରିବ ସେ ନେଇ କେନ୍ଦ୍ରାଞ୍ଚଳ ଆର୍ଡିସିଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବାହୁଡାଯାତ୍ରା ପାଇଁ ମହାପ୍ରଭୁଙ୍କର ସ୍ୱତନ୍ତ୍ର ନୀତିକାନ୍ତି ଥିବାରୁ ସନ୍ଧ୍ୟା ଦର୍ଶନକୁ କାଣ୍ଟଛାଟ କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି ।

ବୁଧବାର ଭୋର ୪ଟାରେ ମଙ୍ଗଳ ଆଳତୀ, ୪ଟା ୧୫ରେ ମଇଲମ, ୪ଟା ୩୦ରେ ତଡପଲାଗି ଓ ରୋଷ ହୋମ, ୫ଟାରେ ଅବକାଶ, ୫ଟା ୧୫ରେ ସୂର୍ଯ୍ୟପୂଜା, ୫ଟା ୩୦ରେ ଦ୍ୱାରପାଳ ପୂଜା ଓ ବେଶ ଶେଷ, ୫ଟା ୪୫ରୁ ୬ଟା୪୫ ଭିତରେ ଗୋପାଳବଲ୍ଲଭ ଓ ସକାଳ ଧୂପ, ୭ଟା୩୦ରୁ ୧୧ଟା ୩୦ ସେନାପଟାଲାଗି, ୧୧ଟା ୪୫ରେ ମଙ୍ଗଳାର୍ପଣ, ୧୨ଟାରୁ ୨ଟା ୩୦ ମଧ୍ୟରେ ବାହୁଡ଼ା ପହଣ୍ଡି, ୧ଟାରୁ ୨ଟା ୩୦ ବେଶ ଶେଷ, ୨ଟା ୩୦ରୁ ୩ଟା ୩୦ ଛେରା ପହଁରା, ୩ଟାରୁ ୪ଟା ଭିତରେ ଚାରମାଳ ବନ୍ଧା ଓ ଘୋଡ଼ା ଯୋଚା ଏବଂ ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି ।

Get real time updates directly on you device, subscribe now.