fbpx

ପବିତ୍ର ବାହୁଡା ଯାତ୍ରାରେ ଜଳିଗଲା ମହାପ୍ରଭୁଙ୍କ ରଥ: ୬ ଜଣ ଶ୍ରଦ୍ଧାଳୁ ମୃତ

ତ୍ରିପୁରା: ଆଜି ସାରା ଭାରତରେ ପାଳନ ହେଉଛି ମହାପ୍ରଭୁଙ୍କ ପବିତ୍ର ବାହୁଡାଯାତ୍ରା । ନବଦିନାତ୍ମକ ଲୀଳା ଶେଷ କରି ଶ୍ରୀମନ୍ଦିର ଅଭିମୁଖେ ବାହୁଡିଛନ୍ତି ଚତୁର୍ଦ୍ଧାମୂରତୀ । କିନ୍ତୁ ଏହି ପର୍ବରେ ଘଟିଚାଲିଛି ଅନେକ ଅଘଟଣ । ଆଜି ରଥଟଣା ସମୟରେ ଶ୍ରଜୀଉଙ୍କ ରଥରେ ନିଆଁ ଲାଗିଯାଇଛି । ଫଳରେ ଏହି ଅଘଟଣରେ ୬ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଛି । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ରଥରେ ଅଗ୍ନିକାଣ୍ଡ ଘଟିଥିବା ଜାଣିବାକୁ ମିଳିଛି । ଏହାବ୍ୟତୀତ ୧୫ ଜଣ ଭକ୍ତ ଆହତ ହୋଇଛନ୍ତି ।

ସୂଚନା ଅନୁସାରେ ତ୍ରିପୁରାର ଉନ୍ନାକୋଟିରେ ଏଭଳି ଏକ ବିରାଟ ଅଘଟଣ ଘଟିଯାଇଛି । ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ଦିବ୍ୟ ରଥରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଛି । ରଥଟଣା ସମୟରେ ଉଚ୍ଚକ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ଶ୍ରୀଜୀଉଙ୍କ ରଥରେ ଅଗ୍ନିକାଣ୍ଡ ହୋଇଥିବା ଜଣାଯାଇଛି । ତେବେ ଏହି ଅଘଟଣରେ ୬ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣରୁ ଅଧିକ ଭକ୍ତ ଆହତ ହୋଇଛନ୍ତି ।ଏଭଳି ଏକ ଅଘଟଣରେ ଗୁରୁତର ଆହତ ହୋଇଥିବା ସମସ୍ତ ଶ୍ରଦ୍ଧାଳୁମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସେହିପରି ଶ୍ରୀକ୍ଷେତ୍ର ପୁରୀରେ ମଧ୍ୟ ବାହୁଡାଯାତ୍ରା ସମୟରେ ଅଘଟଣ ଘଟିଯାଇଛି । ରଥଟଣା ସମୟରେ ଅଣନିଶ୍ୱାସୀ ହୋଇ ୮ ଜଣରୁ ଅଧିକ ଶ୍ରଦ୍ଧାଳୁ ଅସୁସ୍ଥ ହୋଇ ପଡିଛନ୍ତି । ରଥ ନିକଟରେ ପ୍ରବଳ ଭିଡ ଯୋଗୁଁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଛି । ଏହାପୂର୍ବରୁ ଠେଲାପେଲା ଯୋଗୁଁ ୬ ଜଣ ଭକ୍ତ ଆହତ ହୋଇଛନ୍ତି । ନନ୍ଦିଘୋଷ ରଥର ୩ ଏବଂ ତାଳଧ୍ୱଜ ରଥରୁ ୩ ଜଣ ଶ୍ରଦ୍ଧାଳୁ ଆହତ ହୋଇଥିବା ଜାଣିବାକୁ ମିଳିଛି । ତେବେ ସମସ୍ତ ଆହତମାନଙ୍କୁ ଭିଡ ଭିତରୁ ଉଦ୍ଧାର କରାଯାଇ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.