fbpx

ସେନ୍ଥିଲ ବାଲାଜୀଙ୍କୁ କ୍ୟାବିନେଟରୁ ବହିଷ୍କାର କଲେ ରାଜ୍ୟପାଳ: ଭ୍ରଷ୍ଟାଚାର ଅଭିଯୋଗରେ ଗିରଫ ହୋଇଥିଲେ ମନ୍ତ୍ରୀ

ନୂଆଦିଲ୍ଲୀ: ବେଆଇନ ଅର୍ଥ କାରବାର ମାମଲାରେ ଗିରଫ ହୋଇ ତାମିଲନାଡ଼ୁର ବିଜୁଳି ଓ ଅବକାରୀ ମନ୍ତ୍ରୀ ସେନ୍ଥିଲ ବାଲାଜୀ ଏବେ ଜେଲରେ ରହିଛନ୍ତି । ତେବେ ଭ୍ରଷ୍ଟାଚାର ଅଭିଯୋଗ ଆଧାରରେ ବାଲାଜୀଙ୍କୁ ତ୍ୱରିତ ଭାବେ କ୍ୟାବିନେଟରୁ ବହିଷ୍କାର କରାଯାଇଛି । ମନ୍ତ୍ରୀ ନିଜର ପଦର ଦୁରୂପଯୋଗ କରିବା ସହିତ ଯାଞ୍ଚକୁ ପ୍ରଭାବିତ କରିଥିବା ଜଣାପଡ଼ିଛି । ଏନେଇ ରାଜଭବନ ତରଫରୁ ଏକ ବୟାନ ଜାରି କରାଯାଇଛି ।

ଗତ ୧୪ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବାଲାଜୀଙ୍କୁ ଭ୍ରଷ୍ଟାଚାର ମାମଲାରେ ଗିରଫ କରିଥିଲା । ପ୍ରିଭେନସନ ଅଫ୍ ମନୀ ଲଣ୍ଡରିଂ ଆକ୍ଟ (ପିଏମଏଲଏ) ଅନୁସାରେ ତାଙ୍କୁ ଗିରଫ କରାଯାଇଥିଲା । ଏବେ ବାଲାଜୀ ଜେଲରେ ସଜ୍ଜା କାଟୁଥିବା ବେଳେ ତାଙ୍କୁ ମନ୍ତ୍ରିମଣ୍ଡଳରୁ ରାଜ୍ୟପାଳ ଆର.ଏନ ରବି ବହିଷ୍କାର କରିଛନ୍ତି । ଏନେଇ ରାଜଭବନ ପକ୍ଷରୁ ଏକ ନୋଟିଫିକେସନ ଜାରି କରାଯାଇଛି ।

ଅର୍ଥ ନେଇ ଚାକିରି ଦେବା ଓ ମନୀ ଲଣ୍ଡରିଂ ସହିତ ଭ୍ରଷ୍ଟାଚାରର ଅନେକ ଅଭିଯୋଗ ବାଲାଜୀଙ୍କ ନାମରେ ରହିଛି । ସେ ମନ୍ତ୍ରୀ ପଦରେ ରହି ନିଜର ପଦର ଦୁରୂପଯୋଗ କରି ଯାଞ୍ଚକୁ ପ୍ରଭାବିତ କରିଥିଲେ ଓ ଆଇନ ପ୍ରକ୍ରିୟାରେ ଅସ୍ଥିରତା ସୃଷ୍ଟି କରିଥିଲେ । ବର୍ତ୍ତମାନ ସେ ଅପରାଧିକ ମାମଲରେ ନ୍ୟାୟିକ ହେପାଜତରେ ରହିଛନ୍ତି । ତାଙ୍କ ବିରୋଧରେ ପିଏମଏଲଏ ଓ ଆଇପିସିର ଧାରା ଅନୁସାରେ ମାମଲା ଦାୟର ହୋଇଛି । ମନ୍ତ୍ରୀ ପଦରେ ରହିଲେ ସେ ଯାଞ୍ଚ ପ୍ରକ୍ରିୟାକୁ ପ୍ରଭାବିତ କରିବାର ଆଶଙ୍କା କରାଯାଉଛି । ତେବେ ବାଲାଜୀଙ୍କୁ କ୍ୟାବିନେଟରୁ ହଟାଯିବା ପରେ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ବିରୋଧ କରିଛନ୍ତି । କୌଣସି ମନ୍ତ୍ରୀଙ୍କୁ କ୍ୟାବିନେଟରୁ ବହିଷ୍କାର କରିବାର ଅଧିକାର ରାଜ୍ୟପାଳଙ୍କ ନାହିଁ । ତେଣୁ ସେ ଏହା ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଷ୍ଟାଲିନ କହିଛନ୍ତି ।

Get real time updates directly on you device, subscribe now.