ଭୁବନେଶ୍ୱର: ସାରା ରାଜ୍ୟରେ ସକ୍ରିୟ ହୋଇଛି ମୌସୂମୀ ବାୟୁ । ଆଗାମୀ କିଛି ଦିନ ମଧ୍ୟ ରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ଜାରି ହୋଇଛି । ଏ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୨୦ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ରାଜ୍ୟର ଉପକୂଳ ସମେତ ଉତ୍ତର ଓ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତର ଏବଂ ଉପକୂଳ ଓଡିଶାର ପ୍ରାୟ ୨୦ଟି ଜିଲ୍ଲାରେ ପର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ବର୍ତ୍ତମାନ ସାରା ଦେଶରେ ମୌସୂମୀ ପହଞ୍ଚି ସାରିଛି । ତେବେ ଓଡିଶାରେ ବର୍ତ୍ତମାନ ପର୍ଯ୍ୟନ୍ତ ମୌସୂମୀ ବର୍ଷାର ବିଶେଷ ପ୍ରଭାବ ଦେଖିବାକୁ ମିଳିନାହିଁ । କିନ୍ତୁ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଖୁବଶୀଘ୍ର ମୌସୂମୀର ବର୍ଷା ଓଡିଶାକୁ ଓଦା କରିବାକୁ ଯାଉଛି । ଆସନ୍ତା ୪ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏ ନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ଓଡିଶାର ଜଳବାୟୁକୁ ନେଇ ସେ କହିଛନ୍ତି ଯେ, ଆସନ୍ତା ୪ ତାରିଖରୁ ସମଗ୍ର ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାସହିତ ଆଜି ଉତ୍ତର ଏବଂ ଉପକୂଳରେ ମଧ୍ୟ ପ୍ରବଳ ବର୍ଷା ହେବା ନେଇ ସେ ପୂର୍ବାନୁମାନ କରିଛନ୍ତି । ସେହିପରି ଆସନ୍ତାକାଲି ଦକ୍ଷିଣ ଓଡିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଏହାକୁ ନେଇ ସେ ୱାର୍ଣ୍ଣିଂ ଜାରି କରିଛନ୍ତି । ଓଡିଶାରେ ବର୍ତ୍ତମାନ ମୌସୂମୀ ବାୟୁ ଦୁର୍ବଳ ରହିଥିବାରୁ ବର୍ଷା କମ୍ ହେଉଛି । କିନ୍ତୁ ବର୍ତ୍ତମାନ ଏହାର ସ୍ଥିତି ବଦଳୁଛି ଏବଂ ଖୁବଶୀଘ୍ର ଏହା ନିଜ ରୂପ ଦେଖାଇବ ବୋଲି ସେ ଅନୁମାନ କରିଛନ୍ତି ।