ଅଣ୍ଡା ଦାମରେ ଲଗାମ ନାହିଁ: ସରକାରୀ ଅର୍ଥ ୫ ଟଙ୍କା, କିନ୍ତୁ କିଣା ପଡୁଛି ୭ ଟଙ୍କା

ଧର୍ମଗଡ଼ : ଦରଦାମ ଦିନକୁ ଦିନ ବୃଦ୍ଧି ପାଉଥିବା ନେଇ ଲୋକଙ୍କ ଭିତରେ ଅତିଷ୍ଠ ଦେଖିବାକୁ ମିଳିଛି । ଏପରିକି ସରକାରୀ ସଂସ୍ଥାମାନଙ୍କ ମଧ୍ୟରେ ଏହାର ପ୍ରଭାବ ପଡିଛି । ସରକାର ଯୋଗାଇ ଦେଉଥିବା ଅର୍ଥ ରାଶି ଠାରୁ କିଣା ଅର୍ଥ ବଳି ପଡୁଛି । ବିଶେଷ ଭାବେ ଅଙ୍ଗନୱାଡି ଓ ବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀଙ୍କୁ ରନ୍ଧା ଅଣ୍ଡା ଦିଆ ଯାଉଥିବା ବାବଦକୁ ସରକାରୀ ଅର୍ଥ ୫ଟଙ୍କା ଥିବା ବେଳେ ତାହା ବଜାରରେ ୭ଟଙ୍କାରେ କ୍ରୟ ହେଉଥିବା ଜଣାପଡ଼ିଛି । ସରକାର ଛାତ୍ରଛାତ୍ରୀମାନଙ୍କ ପୃଷ୍ଟି ସାଧନା ନିମନ୍ତେ ମାଧ୍ୟାହ୍ନ ଭୋଜନରେ ଭିଟାମିନ ଯୁକ୍ତ ଭାବେ ଅଣ୍ଡା ତରକାରୀ ସହିତ ଅନ୍ୟାନ୍ୟ ପନିପରିବା ଦେବାକୁ ନିର୍ଦ୍ଦେଶ କରିଛନ୍ତି ।

ଏହି ସବୁ କିଣା ବାବଦକୁ ଏକ ସରକାରୀ ମୂଲ୍ୟ ପ୍ରସ୍ତୁତି ହୋଇଛି । ହେଲେ ବଜାରରେ କିଣା ମୂଲ୍ୟ ଅଧିକ ରହିଥିବା ବେଳେ ସରକାର ଯୋଗାଉ ଥିବା ମୂଲ୍ୟ କମ ଥିବା ନେଇ ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠିଛି । ଅଙ୍ଗନୱାଡି କର୍ମୀ ଓ ଶିକ୍ଷକମାନେ ସରକାରୀ ଅର୍ଥ କମ ଥିବା ବେଳେ କିପରି ଅଧିକ ଅର୍ଥ ଦେଇ କିଣୁଛନ୍ତି ତାହା ସହଜେ ଅନୁମେୟ । କେବଳ ଅଣ୍ଡା ନୁହେଁ ସରକାରୀ ସାମଗ୍ରୀ କ୍ରୟ ନିର୍ଦ୍ଧାରିତ ମୂଲ୍ୟ ମଧ୍ୟରେ ତେଲ ଡାଲି, ସୋୟାବଡି, ପନିପରିବା ଖୋଲା ବଜାରରେ ଅଧିକ ଥିବା ଜଣାପଡିଛି ।

ତେବେ ବିଦ୍ୟାଳୟମାନଙ୍କରେ ବୁଧବାର ଓ ଶନିବାର ପିଲାମାନଙ୍କୁ ଅଣ୍ଡା ତରକାରୀ ଦିଆଯାଉଥିବା ବେଳେ ଅଙ୍ଗନୱାଡି କେନ୍ଦ୍ରମାନଙ୍କରେ ସୋମବାର ଓ ଗୁରୁବାର ବ୍ୟତୀତ ସବୁ ଦିନ ଅଣ୍ଡା ଦିଆଯାଇଥାଏ । ଏଇଠି ପ୍ରଶ୍ନ ଉଠେ ସରକାରୀ ମୂଲ୍ୟଠାରୁ କିଣା ମୂଲ୍ୟ ଅଧିକ ଥିବା ଭିତରେ କର୍ମଚାରୀମାନେ କିଭଳି ସମାନତା ରକ୍ଷା କରି ପରିଚାଳନା କରୁଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ । ଏହାରି ଭିତରେ ନିହାତି କିଛି ପ୍ରଛପଦ୍ଧତା ରହିଥିବା କଥାକୁ ଏଡାଇ ଦିଆ ଯାଇନପାରେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହୁଏ । ଏପରିକି ସରକାର ସ୍ୱଚ୍ଛତା ଆଣିବାକୁ ହେଲେ ନିହାତି ଦରଦାମ ପ୍ରତି ଦୃଷ୍ଟି ଦେଇ ସରକାରୀ ମୂଲ୍ୟ ଧାର୍ଯ୍ୟ କରିବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଏ ।