fbpx

ଓଡ଼ିଶାରେ ଅଟକିଥିବା ବ୍ୟକ୍ତିଙ୍କ ପାଇଁ ଇ-ପାସର ବ୍ୟବସ୍ଥା ହୋଇଛି: ବାଗଚୀ

ଭୁବନେଶ୍ୱର, ୭ା୫(ଓଡ଼ିଶା ଭାସ୍କର): ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ ଓଡ଼ିଶାରେ ଅଟକିଥିବା ବ୍ୟକ୍ତିଙ୍କ ପାଇଁ ଇ-ପାସର ବ୍ୟବସ୍ଥା ହୋଇଛି । covid19.odisha.gov.in ୱେସାଇଟରେ ଆବେଦନ କରିବେ । ଅନଲାଇନ ଅନୁମତି ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପାସ ମିଳିବ । ବାହାରୁ ଫେରୁଥିବା ପ୍ରବାସୀ ଓଡ଼ିଆ ବାଟରେ କେଉଁଠାରେ ବି ଓହ୍ଲାଇ ପାରିବେ ନାହିଁ । ଯଦି କୌଣସି ବ୍ୟକ୍ତି ବାଟରେ ଓହ୍ଲାଇବା ଖବର ସାମ୍ନାକୁ ଆସେ ତେବେ ସମ୍ପୃକ୍ତ ବସ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ଏହାସହ ଆଜି ଗଞ୍ଜାମ ଜିଲ୍ଲାକୁ ରେଡ଼ ଜୋନ ଘୋଷଣା କରାଯାଇଛି ।

ବିଭିନ୍ନ ରାଜ୍ୟରୁ ପ୍ରବାସୀ ଓଡ଼ିଆ ପ୍ରତିଦିନ ରାଜ୍ୟକୁ ଫେରୁଛନ୍ତି । ସେନେଇ ୬୭୯୮ପଞ୍ଚାୟତରେ ୧୨୪୧୬ ଅସ୍ଥାୟୀ ଚିକିତ୍ସା ଶିବିର ବ୍ୟବସ୍ଥା କରାଯିବ । ଏବେ ରାଜ୍ୟରେ ଦିନକୁ ୩ହଜାରରୁ ଅଧିକ ଟେଷ୍ଟ ହୋଇପାରୁଛି । ରାଜ୍ୟରେ ପ୍ରତି ୧୦ଲକ୍ଷ ଜନସଂଖ୍ୟାରେ ୧୧ଶହ ୫୫ଟେଷ୍ଟ ହୋଇଛି । ଆଗାମୀ ଦିନରେ ଏହି ଟେଷ୍ଟକୁ ବଢ଼ାଯିବ । ଓଡ଼ିଶାରେ ଏପର୍ଯ୍ୟନ୍ତ ୫୦ହଜାରରୁ ଅଧିକ ଟେଷ୍ଟ ହୋଇପାରିଛି । ଅନ୍ୟପଟେ କରୋନା ପ୍ରତିଶେଧକ ଆଣିବା ପାଇଁ ପୂରା ବିଶ୍ୱରେ ଗବେଷଣା ଚାଲିଛି । କରୋନା ମୁକାବିଲା କରିବା ପାଇଁ ତିନିଟି ଅସ୍ତ୍ର ମାସ୍କ ପିନ୍ଧନ୍ତୁ, ହାତ ଧୁଅନ୍ତୁ, ସାମାଜିକ ଦୂରତା ମାନନ୍ତୁ ବୋଲି ବାଗଚୀ ପରାମର୍ଶ ଦେଇଛନ୍ତି ।

କରୋନାରେ ୨୧୨ ଟି ଦେଶ ଓ ୨ଟି ଜାହାଜ ସଂକ୍ରମିତ ହୋଇଛି । ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୩୮,୩୬୭୧୪ ଥିବା ବେଳେ ମୃତ୍ୟୁ ସଂଖ୍ୟା ୨,୬୫, ୩୬୭ଜଣରେ ପହଞ୍ଚିଛି । ଦେଶରେ କରୋନାରେ ୫୨ହଜାର ୯୫୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧ହଜାର ୭୮୩କୁ ବୃଦ୍ଧି ପାଇଛି । ୩୫ହଜାର ୯୦୨ଜଣ ଚିକିତ୍ସାଧୀନ ଥିବା ବେଳେ ୧୫ହଜାର ୨୬୬ଜଣ ଡିସଚାର୍ଯ ହୋଇଛନ୍ତି । ସେହିପରି ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୨୦୬ଜଣ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬୨ଜଣ ସୁସ୍ଥ ହୋଇଛନ୍ତି ଓ ୨ଜଣଙ୍କର ମୃତ୍ୟୁ ହୋଇଛି । ଓଡ଼ିଶାରେ ୧୪୨ଜଣ ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Get real time updates directly on you device, subscribe now.