fbpx

ୱେଷ୍ଟଇଣ୍ଡିଜ ପରେ ଜିମ୍ବାୱେର ବିଶ୍ୱକପ ଖେଳିବାର ସ୍ୱପ୍ନ ଭାଙ୍ଗିଲା: ସ୍କଟଲାଣ୍ଡର ଆଶା ବଢ଼ିଲା

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବିଶ୍ୱକପର କ୍ୱାଲିଫାୟର ୨୦୨୩ର ସୁପରସିକ୍ସ ମୁକାବିଲାରେ ଆଜି ଏକ ରୋମାଞ୍ଚକର ପରିସ୍ଥିତି ସୃଷ୍ଟି ହୋଇଥିଲା । ୱେଷ୍ଟଇଣ୍ଡିଜ ପରେ ଜିମ୍ବାୱେର ବିଶ୍ୱକପ ଖେଳିବାର ସ୍ୱପ୍ନ ଚୁରମାର ହୋଇଯାଇଛି । ବୁଲାବାୟୋରେ ଅନୁଷ୍ଠିତ ମ୍ୟାଚରେ ଜିମ୍ବାୱେକୁ ୩୧ ରନରେ ପରାସ୍ତ କରିଛି ସ୍କଟଲାଣ୍ଡ । ଏହି ପରାଜୟ ପରେ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ ୨୦୨୩ରୁ ଜିମ୍ବାୱେ ବିଦାୟ ନେଇଥିବା ବେଳେ ସ୍କଟଲାଣ୍ଡର ଆଶାବାଦୀ ରହିଛି ।

ଆଜି ଜିମ୍ବାୱେ ଓ ସ୍କଟଲାଣ୍ଡ ମଧ୍ୟରେ ଏକ ଜବରଦସ୍ତ ମ୍ୟାଚ ଦେଖିବାକୁ ମିଳିଥିଲା । ସ୍କଟଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୨୩୪ ରନ୍ ସଂଗ୍ରହ କରିଥିଲା । ଚଳିତ ଟୁର୍ଣ୍ଣାମେଣ୍ଟ ଜିମ୍ବାୱେ ପାଇଁ ଶାନଦାର ରହିଥିଲେ ହେଁ ଠିକଣା ସମୟରେ ଦଳ ଫ୍ଲପ୍ ହୋଇଯାଇଥିଲା । ଫଳରେ ଦଳର ଖେଳାଳିମାନେ ଏକ ସାଧାରଣ ସ୍କୋରକୁ ଚେଜ୍ କରିପାରି ନଥିଲେ । ଦଳ ମାତ୍ର ୪୧.୧ ଓଭରରେ ୨୦୩ ରନ୍ କରି ଅଲଆଉଟ୍ ହୋଇଯାଇଥିଲା ।

ଆଜି ମ୍ୟାଚରେ ସ୍କଟଲାଣ୍ଡ ଜିମ୍ବାୱେକୁ ନକଆଉଟ୍ କରିଦେଇଥିବା ବେଳେ ସ୍କଟଲାଣ୍ଡ ଚତୁର୍ଥ ଥର ପାଇଁ ବିଶ୍ୱକପ ଖେଳିବାର ସମ୍ଭାବନା ରହିଛି । ଏହା ପୂର୍ବରୁ ୱେଷ୍ଟଇଣ୍ଡିଜର ବିଶ୍ୱକପ ଖେଳିବାର ସ୍ୱପ୍ନ ଧୂଳିସାତ ହୋଇଯାଇଥିବା ବେଳେ ଏବେ ଜିମ୍ବାୱେ ମଧ୍ୟ ସମଦଶା ଭୋଗିଛି । ପୂର୍ବରୁ ସ୍କଟଲାଣ୍ଡ ୧୯୯୯, ୨୦୦୭ ଓ ୨୦୧୫ ବିଶ୍ୱକପ ଖେଳିଥିବା ବେଳେ ୨୦୨୩ ଖେଳିବାକୁ ଏବେ ବେଶ୍ ଆଶାବାଦୀ ରହିଛି । ୨୦୨୩ ବିଶ୍ୱକପ ପାଇଁ କେବଳ ଶ୍ରୀଲଙ୍କା କ୍ୱାଲିଫାଇ ହୋଇଛି । ଏବେ ନେଦରଲାଣ୍ଡ-ସ୍କଟଲାଣ୍ଡ ମ୍ୟାଚ ବାକି ରହିଥିବା ବେଳେ ଏହି ମ୍ୟାଚ ପରେ ସବୁ ସ୍ପଷ୍ଟ ହୋଇଯିବ ।

Get real time updates directly on you device, subscribe now.